Hamid Ansari remarks: ହମିଦ ଅନ୍ସାରୀଙ୍କ ହିନ୍ଦୁ ଉଗ୍ରବାଦ ମନ୍ତବ୍ୟକୁ ମୁସଲିମ୍ ଧର୍ମଗୁରୁଙ୍କ ସମାଲୋଚନା
"ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନ୍ସାରୀଙ୍କ "ହିନ୍ଦୁ ଉଗ୍ରବାଦ" ଓ ଆର୍ଏସ୍ଏସ୍ ବିରୋଧୀ ମନ୍ତବ୍ୟକୁ ନେଇ କେତେକ ମୁସଲିମ୍ ଧର୍ମଗୁରୁ ସମାଲୋଚନା କରିଛନ୍ତି।
ଏଭଳି ମନ୍ତବ୍ୟ ଦେଶରେ ସାମାଜିକ ବିଭେଦ ବଢ଼ାଇପାରେ ବୋଲି ସେମାନେ ଚିନ୍ତା ପ୍ରକାଶ କରିବା ସହ ଧାର୍ମିକ ସଦ୍ଭାବ ଓ ଜାତୀୟ ଏକତା ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି।Advertisment ଅଲ୍ ଇଣ୍ଡିଆ ଇମାମ୍ ଆସୋସିଏସନ୍ର ସଭାପତି ମୌଲାନା ସାଜିଦ ରଶିଦି କହିଛନ୍ତି ଯେ ଭାରତରେ ମୁସଲିମ୍ମାନଙ୍କୁ ନିଜ ଦେଶରେ ବାହାର ଲୋକ ଭଳି ଅନୁଭବ କରାଇବା ଉଚିତ ନୁହେଁ।
ଏକଦା ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତି ସମସ୍ତ ବର୍ଗଙ୍କ ପ୍ରତିନିଧିତ୍ବ କରିବା ଆଶା କରାଯାଏ।
ଉପରାଷ୍ଟ୍ରପତି ଥିବା ସମୟରେ ଅନ୍ସାରୀ ମୁସଲିମ୍ମାନଙ୍କ ସପକ୍ଷରେ ମନ୍ତବ୍ୟ ଦେଇନଥିଲେ, କିନ୍ତୁ ପଦ ଛାଡ଼ିବା ପରେ ଏଭଳି ପ୍ରସଙ୍ଗରେ ଅଧିକ କହୁଛନ୍ତି ବୋଲି ରଶିଦି କହିଛନ୍ତି।
ଭାରତରେ ରହିବାକୁ ନେଇ ମୁସଲିମ୍ମାନେ ଗର୍ବିତ ବୋଲି ରଶିଦି କହିବା ସହ ବିଭାଜନ ସମୟରେ ଭାରତରେ ରହିଥିବା ମୁସଲିମ୍ମାନଙ୍କ ଅବଦାନର କଥା ଉଲ୍ଲେଖ କରିଛନ୍ତି।
ଏଥିସହ କୌଣସି ସମ୍ପ୍ରଦାୟକୁ ନେଇ ଉତ୍ତେଜନା ସୃଷ୍ଟି କରୁଥିବା ମନ୍ତବ୍ୟ ବିରୋଧରେ ରାଜନୈତିକ ଓ ଧାର୍ମିକ ନେତାମାନେ ପଦକ୍ଷେପ ନେବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି।
ଏହା ପୂର୍ବରୁ ଅଲ୍ ଇଣ୍ଡିଆ ଇମାମ୍ ଅର୍ଗାନାଇଜେସନ୍ର ମୁଖ୍ୟ ଇମାମ୍ ଉମର ଅହମଦ ଇଲିଆସି ମଧ୍ୟ ଅନ୍ସାରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ।
ତାଙ୍କ ଅଭିଯୋଗ ଅନୁଯାୟୀ, ଏଭଳି ମନ୍ତବ୍ୟ ମୁସଲିମ୍ମାନଙ୍କୁ ଉତ୍ତେଜିତ କରିବା ସହ ଦେଶର ସାମାଜିକ ପରିବେଶକୁ ପ୍ରଭାବିତ କରିପାରେ।
ଅନ୍ସାରୀ ମୁସଲିମ୍ମାନଙ୍କ ମଧ୍ୟରେ ନିଜ ଛବି ପୁଣି ସୁଧାରିବା ପାଇଁ ଏଭଳି ମନ୍ତବ୍ୟ ଦେଇଥିବା ଇଲିଆସି ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ହମିଦ ଅନସାରୀ ସେପ୍ଟେମ୍ବର ୧୮ରେ ଏଜି ନୁରାନିଙ୍କୁ ସ୍ମରଣ କରି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତରେ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା ଓ ସାଂସ୍କୃତିକ ଜାତୀୟତାବାଦକୁ ନେଇ ମତ ରଖିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ମତ ଉଦ୍ଧୃତ କରି ଅନସାରୀ କହିଥିଲେ ଯେ ଭାରତ ପାଇଁ ପ୍ରକୃତ ବିପଦ କମ୍ୟୁନିଜମ୍ ନୁହେଁ, ବରଂ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା।
ସେ କହିଥିଲେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏପରି କିଛି ପ୍ରବୃତ୍ତି ଦେଖାଦେଇଛି ଯାହା ନାଗରିକ ଜାତୀୟତାବାଦର ପ୍ରଚଳିତ ଧାରଣାକୁ ପ୍ରଶ୍ନ କରି ସାଂସ୍କୃତିକ ଜାତୀୟତାବାଦକୁ ଆଗକୁ ଆଣୁଛି।
ତାଙ୍କ ମତରେ, ଏହି ପ୍ରବୃତ୍ତି ଧାର୍ମିକ ପରିଚୟ ଆଧାରରେ ନାଗରିକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିପାରେ, ଅସହିଷ୍ଣୁତା ବଢ଼ାଇପାରେ ଏବଂ କେତେକଙ୍କ ମଧ୍ୟରେ ଅସୁରକ୍ଷାର ଭାବନା ସୃଷ୍ଟି କରିପାରେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।