Harish Rawat Resigns From Congress Posts: ଓଏସଡିଙ୍କ ଘରେ ଇଡି ରେଡ୍‌; ପଦରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Sep 12, 2026 - 14:34
Harish Rawat Resigns From Congress Posts: ଓଏସଡିଙ୍କ ଘରେ ଇଡି ରେଡ୍‌; ପଦରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା। କଂଗ୍ରେସର ଦୁଇଟି ସାଂଗଠନିକ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ। ଉତ୍ତରାଖଣ୍ଡ ପ୍ରଦେଶ କଂଗ୍ରେସ କମିଟି (PCC) କାର୍ଯ୍ୟକାରିଣୀ ସଦସ୍ୟ ଓ କଂଗ୍ରେସ ୱାର୍କିଂ କମିଟି (CWC)ର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବତନ ଓଏସଡି ଚନ୍ଦନ ସିଂହ ଜିନାଙ୍କ ଘରେ ଇଡି ଚଢ଼ାଉ ଓ ନଗଦ/ସମ୍ପତ୍ତି ଜବତ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ରାୱତ କହିଛନ୍ତି, ତାଙ୍କ ଯୋଗୁଁ ଦଳର ଦୁର୍ନୀତି ବିରୋଧୀ ଲଢ଼େଇ ଦୁର୍ବଳ ହେଉ ବୋଲି ସେ ଚାହୁଁନାହାନ୍ତି।

ଉତ୍ତରାଖଣ୍ଡରେ ରାୱତଙ୍କ ପୂର୍ବତନ ଓଏସଡି ତଥା ସହଯୋଗୀ ଜିନାଙ୍କ ସହ ଜଡ଼ିତ ଏକ ମାମଲାକୁ ନେଇ ବିବାଦ ଉପୁଜିଛି। ଡେରାଡୁନରେ ତାଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ଗହଣା ଜବତ ହୋଇଥିବା ନେଇ ରିପୋର୍ଟ ଆସିବା ପରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ଏହା ସହ ନିଯୁକ୍ତି ଓ ଓଏମଆର ସିଟ୍‌ରେ ହେରଫେର ଅଭିଯୋଗକୁ ନେଇ ମଧ୍ୟ ବିବାଦ ଉପୁଜିଛି। 

ରାୱତ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଜିନାଙ୍କୁ ଜଣେ ଭଦ୍ର ଓ ପରିଶ୍ରମୀ ବ୍ୟକ୍ତି ବୋଲି କହିଥିବା ବେଳେ, ଯଦି ଗ୍ରାମ ବିକାଶ ଅଧିକାରୀ ନିଯୁକ୍ତି ପରୀକ୍ଷାର ଓଏମଆର ସିଟ୍‌ରେ ହେରଫେର କରିବାରେ ତାଙ୍କ ସହଯୋଗୀଙ୍କ ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ ସେ ନିଜେ ଏଥିପାଇଁ ଲଜ୍ଜିତ ହେବେ ବୋଲି କହିଛନ୍ତି।

ରାୱତ କହିଛନ୍ତି ଯେ ଆଗାମୀ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦଳ ଦୁର୍ନୀତି ବିରୋଧରେ ଲଢ଼ୁଥିବା ସମୟରେ ତାଙ୍କ ସହ ଜଡ଼ିତ କୌଣସି ପଦକ୍ଷେପ ଯଦି ଏହି ଲଢ଼େଇକୁ ଦୁର୍ବଳ କରେ, ତେବେ ସେ ତାହା ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏହି କାରଣରୁ ସେ ଉତ୍ତରାଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଏବଂ କଂଗ୍ରେସ ୱାର୍କିଂ କମିଟିର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। 

ରାୱତ ଉତ୍ତରାଖଣ୍ଡର ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ନିଜ ପକ୍ଷ ରଖିଛନ୍ତି। ତାଙ୍କ ସରକାରର ପ୍ରାୟ ୩ ବର୍ଷର କାର୍ଯ୍ୟକାଳରେ ୪୨ ହଜାରରୁ ଅଧିକ ସରକାରୀ ପଦ ପୂରଣ ହୋଇଥିବା ସେ ଦାବି କରିଛନ୍ତି। ନିଯୁକ୍ତି ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ବିଭିନ୍ନ ନିଯୁକ୍ତି ବୋର୍ଡ ଗଠନ ଏବଂ ପରୀକ୍ଷାକୁ ଠିକ୍ ସମୟରେ କରିବାକୁ ପଦକ୍ଷେପ ନିଆଯାଇଥିବା ମଧ୍ୟ ସେ କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି, ସରକାରୀ ନିଯୁକ୍ତି ଓ ପରୀକ୍ଷାରେ ଅନିୟମିତତା ହେବା ଅର୍ଥ ହେଉଛି ପରବର୍ତ୍ତୀ ପିଢ଼ିର ଭବିଷ୍ୟତ ସହ ଖେଳିବା। ଯଦି ଏଭଳି କୌଣସି ଅନିୟମିତତାରେ ସେ ଜାଣତରେ କିମ୍ବା ଅଜାଣତରେ ସମ୍ପୃକ୍ତ ଥିବାର ପ୍ରମାଣ ରହିଛି, ତେବେ ତାହା ତଦନ୍ତକାରୀ ସଂସ୍ଥାଙ୍କୁ ଦେବାକୁ ସେ ଆହ୍ୱାନ କରିଛନ୍ତି। ପ୍ରମାଣ ମିଳିଲେ ଆଇନ ଅନୁସାରେ ଦଣ୍ଡ ଭୋଗିବାକୁ ସେ ପ୍ରସ୍ତୁତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।