Kailash Kher Sells Mumbai Office: ୧୦ ମାସରେ କୈଳାଶ ଖେର ଅଫିସ୍ ବିକିଲେ; ମୁମ୍ବାଇ BKCର ଅଫିସ୍ ବିକ୍ରି କଲେ, ଦାମ ୧୦.୭୫ କୋଟି
ନିଜର ନିଆରା ଓ ଦମଦାର କଣ୍ଠସ୍ୱର ପାଇଁ ଭାରତୀୟ ସଙ୍ଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ କୈଳାଶ ଖେର। ସୁଫି, ଲୋକ ଓ ଭକ୍ତି ସଙ୍ଗୀତକୁ ଫିଲ୍ମ ସଙ୍ଗୀତ ସହ ମିଶାଇ ନିଜସ୍ୱ ଶୈଳୀରେ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଛନ୍ତି ସେ। ‘ଅଲ୍ଲାହ କେ ବନ୍ଦେ’ ଗୀତ ତାଙ୍କୁ ଦେଇଥିଲା ବଡ଼ ପରିଚୟ। ପରେ ‘ତେରି ଦିୱାନୀ’, ‘ୟା ରବ୍ବା’ ଏବଂ ‘ବାହୁବଳୀ’ ଫ୍ରାଞ୍ଚାଇଜିର ଗୀତ ତାଙ୍କ ଲୋକପ୍ରିୟତାକୁ ଆହୁରି ବଢ଼ାଇଥିଲା।
ତେବେ ଏବେ ଗୀତ ପାଇଁ ନୁହେଁ, ଏକ ବଡ଼ ପ୍ରପର୍ଟି ଡିଲ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି କୈଳାଶ ଖେର।
୧୦ ମାସରେ ବିକ୍ରି କଲେ ଅଫିସ୍
କୈଳାଶ ଖେର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ବା BKCରେ ଥିବା ନିଜର ଏକ ଅଫିସ୍କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଅଫିସ୍ର ଆୟତନ ୨,୬୧୯ ବର୍ଗଫୁଟ୍। ଖାସ୍ କଥା ହେଉଛି, କୈଳାଶ ଖେର ଏହି ପ୍ରପର୍ଟିକୁ ମାତ୍ର ୧୦ ମାସ ପୂର୍ବରୁ ୧୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲେ। ଅର୍ଥାତ୍ କାଗଜପତ୍ରରେ ଥିବା କ୍ରୟ ଓ ବିକ୍ରୟ ମୂଲ୍ୟ ତୁଳନା କଲେ, ସେ ୨୫ ଲକ୍ଷ ଟଙ୍କା ଅଧିକ ଦାମରେ ଏହାକୁ ବିକ୍ରି କରିଛନ୍ତି।
CRE Matrix ପକ୍ଷରୁ ହାସଲ କରାଯାଇଥିବା ପ୍ରପର୍ଟି ରେଜିଷ୍ଟ୍ରେସନ୍ ଦସ୍ତାବିଜ ଅନୁସାରେ, ଏହି ଡିଲ୍ ୯ ସେପ୍ଟେମ୍ବର ୨୦୨୬ରେ ରେଜିଷ୍ଟର ହୋଇଛି। Lakewater Retail Private Limited କୈଳାଶ ଖେରଙ୍କଠାରୁ ଏହି ଅଫିସ୍ କିଣିଛି।
BKCର କେଉଁଠି ଥିଲା ଅଫିସ୍?
ଏହି ଅଫିସ୍ BKCର Trade Centreର ସପ୍ତମ ମହଲାରେ ରହିଛି। ବାନ୍ଦ୍ରା ଇଷ୍ଟରେ ଥିବା MTNL ବିଲ୍ଡିଂ ସମ୍ମୁଖରେ ଏହି ପ୍ରପର୍ଟି ଅବସ୍ଥିତ। ୨,୬୧୯ ବର୍ଗଫୁଟ୍ର ଅଫିସ୍ ସହ ଗୋଟିଏ କାର୍ ପାର୍କିଂ ସ୍ପେସ୍ ମଧ୍ୟ ଏହି ଡିଲ୍ରେ ସାମିଲ ରହିଛି। ରେଜିଷ୍ଟ୍ରେସନ୍ ଡକ୍ୟୁମେଣ୍ଟ ଅନୁସାରେ, ପ୍ରପର୍ଟିର ଡିଲ୍ ମୂଲ୍ୟ ୧୦.୭୫ କୋଟି ଟଙ୍କା ଥିବା ବେଳେ ଟ୍ରାଞ୍ଜାକ୍ସନ୍ ପାଇଁ ପ୍ରାୟ ୬୪.୫୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦିଆଯାଇଛି।
୨୫ ଲକ୍ଷ ଟଙ୍କା ଲାଭ, ନା ହିସାବ ଅଲଗା?
କୈଳାଶ ଖେର ୧୦.୫୦ କୋଟି ଟଙ୍କାରେ ଅଫିସ୍ କିଣି ୧୦.୭୫ କୋଟି ଟଙ୍କାରେ ବିକ୍ରି କରିଥିବାରୁ କାଗଜପତ୍ରରେ ମୂଲ୍ୟରେ ୨୫ ଲକ୍ଷ ଟଙ୍କାର ବୃଦ୍ଧି ଦେଖାଯାଉଛି। ଏହା ପ୍ରାୟ ୨.୪ ପ୍ରତିଶତ ବୃଦ୍ଧି।
ତେବେ ଏହି ୨୫ ଲକ୍ଷ ଟଙ୍କାକୁ କୈଳାଶ ଖେରଙ୍କ ନିଟ୍ ଲାଭ ବୋଲି କୁହାଯାଇପାରିବ ନାହିଁ। ପ୍ରପର୍ଟି କ୍ରୟ ଓ ବିକ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି, ରେଜିଷ୍ଟ୍ରେସନ୍ ଫି', ଟ୍ୟାକ୍ସ ଏବଂ ଅନ୍ୟାନ୍ୟ ଟ୍ରାଞ୍ଜାକ୍ସନ୍ ଖର୍ଚ୍ଚ ମଧ୍ୟ ରହିଥାଏ। ସେସବୁ ଖର୍ଚ୍ଚକୁ ହିସାବକୁ ନେଲେ ପ୍ରକୃତ ଲାଭ ଏହାଠାରୁ କମ୍ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।