Heavy Rainfall in Gajpati: ଗର୍ଜୁଛି ଗଣ୍ଡାହାତୀ ଜଳପ୍ରପାତ, ଧସୁଛି ପାହାଡ଼! ବନ୍ୟାର ଭୟଙ୍କର ରୂପ
ଗଜପତିରେ କୋହ ଫଟାଇ କାନ୍ଦୁଛି ମଣିଷ।
ଚାରିଆଡ଼େ ପ୍ରକୃତିର ପ୍ରଳୟଙ୍କରୀ ରୂପ ।
ପାଣିର ପ୍ରଖର ସ୍ରୋତ ପାହାଡ଼କୁ ଭାଙ୍ଗିଦେବାକୁ ଯେମିତି ପଣ କରିଛି ।
ଆଉ ପଥରକୁ ଖଣ୍ଡ ଖଣ୍ଡ କରି ଚୁରମାର କରିବାକୁ ମାଡ଼ି ଆସୁଛି ।
ପ୍ରକୃତିର ଏ ଭୟଙ୍କର ତାଣ୍ଡବ ଆଗରେ ଅସହାୟ ହୋଇପଡ଼ିଛି ମଣିଷ ।
କେଉଁଠି ପାହାଡ଼ ଧସୁଛି, ତ ପୁଣି କେଉଁଠି ନଦୀ ଛାତି ଫୁଲାଇ ଗାଁ ଆଡ଼କୁ ମାଡ଼ି ଆସୁଛି ।
ଆଖି ଆଗରେ ବଦଳିଯାଉଛି ସବୁ କିଛି ।
ବାତ୍ୟା 'ଅର୍ଣ୍ଣବ'ର ଅବିସ୍ରାନ୍ତ ବର୍ଷା ଏଠି ସବୁ କିଛି ଛିନଛତ୍ର କରିଛି ।
ବନ୍ୟାପାଣିର ଗର୍ଜନ ଆଗରେ ମଣିଷର କୋହ ଆଉ କାହାକୁ ଶୁଭୁନି ।
ଗଜପତିର ପ୍ରସିଦ୍ଧ ଗଣ୍ଡାହାତୀ ଜଳପ୍ରପାତର ଭୟଙ୍କର ରୂପ ।
ପାହାଡ଼ ଉପରୁ ଗର୍ଜନ କରି ତଳକୁ ଖସୁଛି ପାଣି ।
ସେପଟେ ପ୍ରବଳ ବର୍ଷା ପରେ କଇଁପୁର-ଗଙ୍ଗାବାଡ଼ ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଘଟିଛି ।
ପାହାଡ଼ ଧସି ରାସ୍ତାର ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ମାଟି ଓ ପଥର ଜମିଛି ।
ଫଳରେ ଯାତାୟାତ ଠପ୍ ହୋଇଛି ।
ଗଜପତିରେ ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ବି ଫୁଲିବାରେ ଲାଗିଛି।
କାଶୀନଗରରେ ବଂଶଧାରା ଜଳସ୍ତର ବିପଦ ସଙ୍କେତ ୫୪.୬୦ ମିଟରକୁ ଅତିକ୍ରମ କରି ୫୫.୬୦ ମିଟରରେ ପହଞ୍ଚିଛି ।
ତେଣୁ ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି ।
ଗୋଷାଣୀ ବ୍ଲକର ବାଘଶାଳା, ସର୍ଧାପୁର, ଲିଙ୍ଗିପୁର, ବଡ଼କତ୍ତୁରୁ, ଗୁରାଣ୍ଡି ଓ ମହାଦେଇପୁର ସମେତ ଅନେକ ଗାଁକୁ ଜଳମଗ୍ନ କରିଛି ।
ରାୟଗଡ଼ ବ୍ଲକ ସହ ପାରଳାଖେମୁଣ୍ଡି ସହର ପ୍ରତି ମଧ୍ୟ ବିପଦ ଆଶଙ୍କା ବଢ଼ିଛି ।
ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଆଗକୁ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି ।
ତେଣୁ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।