Heavy Rains Flood Northern Odisha: ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶା ଉବୁଟୁବୁ, ବଢ଼ିଲା ବନ୍ୟା ଭୟ

Aug 13, 2026 - 19:54
Heavy Rains Flood Northern Odisha: ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶା ଉବୁଟୁବୁ, ବଢ଼ିଲା ବନ୍ୟା ଭୟ

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା। ଏମିତି ବର୍ଷିଲା ଯେ, ଚାରିଆଡ଼େ ଖାଲି ପାଣି ଆଉ ପାଣି। ଘରଦ୍ବାର, ରାସ୍ତାଘାଟ, ସବୁ ପାଣି ଘେରରେ। ଆଖି ଖୋଲିବା ବେଳକୁ ସମସ୍ତେ ଜଳବନ୍ଦୀ। ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ବାଲେଶ୍ବର। ଦିନକର ବର୍ଷାରେ କିଛି ନଦୀ ବି ଫୁଲିଛି। ଆଗକୁ ଏଭଳି ବର୍ଷା ଲାଗି ରହିଲେ, ବନ୍ୟା ଆଶଙ୍କା ରହିଛି। 

ରାଉରକେଲା ମୁଖ୍ୟ ରାସ୍ତାରେ ପାଣି.. ଜାତୀୟ ରାଜପଥରେ ପାଣି.. ସାହି-ଗଳିରେ ପାଣି। ଘରେ ବି ହାଲ୍ ବେହାଲ। କେଉଁଠି ଅଣ୍ଟାଏ ତ କେଉଁଠି ଆଣ୍ଠୁଏ। ପାଣିରେ ବୁଡ଼ିଛି ଘରଦ୍ବାର। ତା ଭିତରେ ଭାସୁଛି ଆସବାବପତ୍ର। ୫ ଘଣ୍ଟାର ଲଗାଣ ବର୍ଷାରେ ଉବୁଟୁବୁ ଷ୍ଟିଲ ସିଟି। ଭୋରରେ ଆଖି ଖୋଲିବା ବେଳକୁ ଘରେ ପଶିସାରିଥିଲା ବର୍ଷା ଜଳ। ମିଡ୍ ପିଟିସି- ପୱନ ତିୱାରୀ, ଓଟିଭି ପ୍ରତିନିଧି, ରାଉରକେଲା.. ସକାଳୁ ଆହୁରି କାଚିଥିଲା ବର୍ଷା। ଅନବରତ ବର୍ଷି ଚାଲିଥିଲା। ତାଭିତରେ ଚାଲିଥିଲା ବର୍ଷାରୁ ବଂଚିବାକୁ ସଂଗ୍ରାମ। ବାସନ୍ତୀ କଲୋନୀ ହେଉ କି ଛେଣ୍ଡ କଲୋନୀ, ସେକ୍ଟର ୧୫, ପ୍ରେସ ଗଳି, ଇନ୍ଦିରା ନଗର ସବୁଠି ଭରି ଯାଇଥିଲା ପାଣି। ୪୦ ବର୍ଷ ଭିତରେ ଏମିତି ବର୍ଷା ଦେଖିନ ଥିବା କହିଛନ୍ତି ସହର ବାସୀ। 

କୋଇଡାରେ ବି ବର୍ଷାର କରାଳ ରୂପ। ପାହାଡ଼ରୁ ମାଡ଼ି ଆସିଲା ମାଟି ମିଶା ପାଣି। ଯେଉଁଥିରେ ବୁଡିଛି ବ୍ଲକ୍ ର କେରକେଟା ବସ୍ତି। ଅନେକ ପରିବାର ଜଳବନ୍ଦୀ। ରାସ୍ତା ଉପରେ ପାଣି ଚାଲିଛି, ଘର ଭିତରେ ବି ଆଣ୍ଠୁଏ ଉଚ୍ଚରେ ସୁଅ ଛୁଟୁଛି। ସେହି ପାଣିରେ ଭାସୁଛି ଫ୍ରିଜ୍, ଆଲମିରା, ସିଲିଣ୍ଡର ଆଉ ଖାଦ୍ୟ ସାମଗ୍ରୀ। ଲଗାଣ ବର୍ଷାରେ ସଙ୍ଗା ସାହିର ସ୍ଥିତି ସଙ୍ଗୀନ। 

ଉବୁଟୁବୁ ବାରିପଦା। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ ସାନ ନଇରେ ବନ୍ୟା ଯୋଗୁଁ ସାରୁମୂଳାଠାରେ ପୋଲ ଉପରେ ୪ଫୁଟର ପାଣି ଚାଲିଛି। ଠପ୍ ହୋଇଯାଇଛି ଯାତାୟାତ। ବାରିପଦା-ଅମର୍ଦା ରାସ୍ତାରେ ବି ପାଣିର ସୁଅ। ବାଙ୍ଗିରିପୋଷି ବ୍ଳକ୍ ର କାଳିଆମି ପୋଲ ଉପର ଦେଇ ବୋହୁଛି ବୁଢାବଳଙ୍ଗ। ଶିମିଳିପାଳ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ସୃଷ୍ଟି ହେଲାଣି ବନ୍ୟା ଭୟ। ରାଇରଙ୍ଗପୁରରେ ରାତିସାରା ବର୍ଷା ପରେ ବଢିଛି କାହ୍ନୁ ନଦୀର ଜଳସ୍ତର। ଫଳରେ କୁସୁମୀ ବ୍ଲକ କାଦୁଆଣିରୁ ଉପରବେଡା ରାସ୍ତା ପୋଲ ଉପରେ ୩ଫୁଟରୁ ଅଧିକ ପାଣି ଚାଲିଛି। 

ଲଗାଣ ବର୍ଷାରେ ପୁଣି ବୁଡ଼ିଲା ବାଲେଶ୍ୱର। ରାସ୍ତା ଉପରେ ଛୁଟିଲା ସୁଅ। ନୂଆସାହି ରାସ୍ତାରେ ଦୁଇ ଫୁଟର ପାଣି ଚାଲିଲା। ଫଳରେ ଠପ୍ ହୋଇଗଲା ରେମୁଣାରୁ ବାଲେଶ୍ୱର ଯାତାୟାତ। ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ବର୍ଷା ହେବା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଜଳବନ୍ଦୀ ସ୍ଥିତି। କଂଗ୍ରେସ ଗଳିି, ତେଲେଙ୍ଗା ସାହି ଭଳି ଅଞ୍ଚଳରେ ପଶିଛି ଡ୍ରେନ ପାଣି। ସେପଟେ ବିପଦ ସଙ୍କେତ ଡେଇଁଛି ଜଳକା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିବାରେ ଲାଗିଛି। ବନ୍ୟା ହେଲେ ବସ୍ତା ବ୍ଲକର ୫ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।