Hockey World Cup: ୫୧ ବର୍ଷର ଅପେକ୍ଷା ଜାରି, ସେମିଫାଇନାଲରୁ ବାଦ୍ ପଡ଼ିଲା ଭାରତ

Aug 24, 2026 - 22:17
Hockey World Cup: ୫୧ ବର୍ଷର ଅପେକ୍ଷା ଜାରି, ସେମିଫାଇନାଲରୁ ବାଦ୍ ପଡ଼ିଲା ଭାରତ

ପୁଣି ଥରେ ଭାରତୀୟ ହକିପ୍ରେମୀଙ୍କୁ ନିରାଶା। ପୁରୁଷ ହକି ବିଶ୍ୱକପ୍‌ର ସେମିଫାଇନାଲ ଟିକେଟ୍ ହାତଛଡ଼ା କରିଛି ଭାରତ। ସୋମବାର ଆର୍ଜେଣ୍ଟିନାଠାରୁ ୩-୫ ଗୋଲ୍‌ରେ ହାରି ବିଶ୍ୱକପ୍ ଅଭିଯାନର ଆଉ ଏକ ନିରାଶାଜନକ ଅଧ୍ୟାୟ ଲେଖିଛି ଟିମ୍ ଇଣ୍ଡିଆ।

ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ପାଇଁ ସ୍ଥିତି ଜଟିଳ ହୋଇଯାଇଥିଲା। ମାତ୍ର ୪୦ ସେକେଣ୍ଡରେ ଜୋଆକିନ୍ ଟୋସ୍କାନିଙ୍କ ଗୋଲ୍‌ରେ ଆର୍ଜେଣ୍ଟିନା ଖାତା ଖୋଲିଥିଲା। ଏହାପରେ ପେନାଲ୍ଟି କର୍ଣ୍ଣରରୁ ନିକୋଲାସ୍ ଡେଲ୍ ଟୋରେ ଆଉ ଏକ ଗୋଲ୍ କରି ଭାରତ ଉପରେ ଚାପ ବଢ଼ାଇଥିଲେ।

ପ୍ରଥମ କ୍ୱାର୍ଟରରେ ଭାରତୀୟ ରକ୍ଷଣଭାଗ ଆର୍ଜେଣ୍ଟିନାର ଆକ୍ରମଣକୁ ରୋକିବାରେ ବାରମ୍ବାର ବିଫଳ ହୋଇଥିଲା। ତେବେ ୧୦ମ ମିନିଟ୍‌ରେ ସୁଖଜିତ ସିଂହ ଗୋଲ୍ କରି ଭାରତକୁ ମ୍ୟାଚ୍‌କୁ ଫେରାଇବାର ଆଶା ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ବଲ୍ ପଜେସନ୍ ନିଜ ପାଖରେ ରଖିଥିଲା। କିନ୍ତୁ ଏହି ପଜେସନ୍‌କୁ ଗୋଲ୍‌ରେ ପରିଣତ କରିବାରେ ଦଳ ବିଫଳ ହୋଇଥିଲା। ହାଫ୍ ଟାଇମ୍ ସୁଦ୍ଧା ଭାରତର ପଜେସନ୍ ୫୪.୫ ପ୍ରତିଶତ ଥିଲେ ମଧ୍ୟ ଶଟ ଦେଖିବାକୁ ମିଳିନଥିଲା।

ସୁଖଜିତ ଏହି ମ୍ୟାଚ୍‌ରେ ଦୁଇଟି ଗୋଲ୍ କରିଥିବା ବେଳେ ହାର୍ଦ୍ଦିକ ସିଂହ ଏକ ପେନାଲ୍ଟି ଷ୍ଟ୍ରୋକ୍‌ରୁ ଗୋଲ୍ କରିଥିଲେ। କିନ୍ତୁ ଆର୍ଜେଣ୍ଟିନାର ଲଗାତାର ଚାପ ଏବଂ ଭାରତୀୟ ରକ୍ଷଣଭାଗର ଦୁର୍ବଳ ପ୍ରଦର୍ଶନ ମ୍ୟାଚ୍‌ର ଫଳାଫଳ ବଦଳାଇପାରିନଥିଲା।

ସବୁଠାରୁ ବଡ଼ କଥା, ଆର୍ଜେଣ୍ଟିନା ବିପକ୍ଷରେ ଭାରତର ଏହା ଲଗାତାର ପଞ୍ଚମ ପରାଜୟ। ୧୯୭୫ରେ ବିଶ୍ୱକପ୍ ଜିତିବା ପରଠାରୁ ଭାରତ ପୁଣି ଥରେ ବିଶ୍ୱକପ୍‌ର ସେମିଫାଇନାଲରେ ପହଞ୍ଚିପାରିନାହିଁ। ଅର୍ଥାତ୍, ଅପେକ୍ଷା ଏବେ ୫୧ ବର୍ଷରେ ପହଞ୍ଚିଛି।

ଭାରତ ପାଇଁ ଏହି ବିଶ୍ୱକପ୍ ଆଶାରୁ ଆରମ୍ଭ ହୋଇଥିଲା, କିନ୍ତୁ ଗୋଲ୍ ସୁଯୋଗକୁ ସଠିକ୍ ଭାବେ ବ୍ୟବହାର ନକରିବା ଓ ଚାପରେ ରକ୍ଷଣଭାଗର ଦୁର୍ବଳତା ଦଳକୁ ଭାରି ପଡ଼ିଛି। ଏବେ ସେମିଫାଇନାଲ ଆଶା ଶେଷ। ଭାରତ ୭ମ-୮ମ ସ୍ଥାନ ପାଇଁ ବେଲଜିୟମ୍‌ ବିପକ୍ଷରେ ଖେଳିବ। ଆସନ୍ତା ୨୮ ଅଗଷ୍ଟରେ ଏହି ମ୍ୟାଚ୍ ସହ ଭାରତ ନିଜ ବିଶ୍ୱକପ୍ ଅଭିଯାନ ଶେଷ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।