Doctor Shortage Deepens Across Odisha: ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ, ରୋଗୀଙ୍କ ଲମ୍ବା ଲାଇନ୍ ବଢାଉଛି ଚିନ୍ତା
ହସ୍ପିଟାଲରେ ରୋଗୀଙ୍କ ଭିଡ଼...OPD ଆଗରେ ଲମ୍ବା ଲାଇନ୍...ସରୁନି ରୋଗୀଙ୍କ ଅପେକ୍ଷା...କାରଣ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାଁନ୍ତି। ଏ ଚିତ୍ର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲର। ରୋଗୀ କିମ୍ବା ସମ୍ପର୍କୀୟ ପଚାରିଲେ କହୁଛନ୍ତି କେଉଁ ଡାକ୍ତର ବାବୁ ପିଜି କୋର୍ସ ପାଇଁ ବାହାରକୁ ଯାଇଛନ୍ତି ତ ପୁଣି କିଏ ଦୀର୍ଘଦିନ ହେଲାଣି ଅନୁପସ୍ଥିତ। ହେଲେ କାହିଁକି ? କାହା ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ଅଗଷ୍ଟର ତାଜା ତଥ୍ୟ ଯଦି ଦେଖିବା, ତେବେ ନବରଙ୍ଗପୁର DHHରୁ PG ପଢିବାକୁ ଯାଇଥିବା ୧୬ ଡାକ୍ତର ଦରମା ବାବଦକୁ ପାଇଛନ୍ତି ମୋଟ୍ ୧୪ ଲକ୍ଷ ୫୦ ହଜାର ୪୩୨ ଟଙ୍କା। ଏହି ହାର ଅନୁଯାୟୀ, ପିଜି ଷ୍ଟଡ଼ି ପାଇଁ ଯାଇଥିବା ମୋଟ୍ ୬୮ ଡାକ୍ତରଙ୍କ ଦରମା ବାବଦରେ ମାସକୁ ୬୦ ଲକ୍ଷରୁ ଅଧିକ ଯାଇଛି ସରକାରଙ୍କ ତହବିଲରୁ। ବର୍ଷକୁ ୭ କୋଟି ୨୦ ଲକ୍ଷରୁ ଅଧିକ। ଯଦି ଡାକ୍ତର ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଉଛନ୍ତି, ସେଥିରେ କୌଣସି ଆପତ୍ତି ନାହିଁ। ବିଧି ବ୍ୟବସ୍ଥା ବି ରହିଛି। କିନ୍ତୁ ତାଙ୍କ ସ୍ଥାନରେ କିଏ କରୁଛନ୍ତି ରୋଗୀ ସେବା ? ତା’ର ଉତ୍ତର ନାହିଁ।
ଗୋଟିଏ କଥା ସ୍ପଷ୍ଟ ଯେ, ଡାକ୍ତର ମାନେ ଯେତିକି ଉଚ୍ଚଶିକ୍ଷା ଲାଭ କରିବେ, ସେତିକି ଭଲ। ଶକ୍ତିଶାଳୀ ହେବ ମେଡିକାଲ ସେବା। କିନ୍ତୁ ତାଙ୍କ ବଦଳରେ ରୋଗୀ ସେବା ପାଇଁ ବିକଳ୍ପ ବ୍ୟକ୍ତି କିଏ ? ନବରଙ୍ଗପୁର ଜିଲ୍ଲାରେ ୬୮ଟି ସାଙ୍କସନ୍ଡ ସ୍ପେଶାଲିଷ୍ଟ ପୋଷ୍ଟରୁ ୪୩ଟି ଖାଲି। ଅର୍ଥାତ୍ ପ୍ରାୟ ୬୩% ବିଶେଷଜ୍ଞ ଡାକ୍ତର ପଦବୀ ଶୂନ୍। କେବଳ ନବରଙ୍ଗପୁର ନୁହେଁ, ମାଲକାନଗିରିରେ ବି ଅବସ୍ଥା ସମାନ। ଏଠି ୩୮୨ ଡାକ୍ତର ପଦବୀରୁ ଅଛନ୍ତି ମାତ୍ର ୧୪୬। ପିଜି ଷ୍ଟଡ଼ି ପାଇଁ ୧୭ ଡାକ୍ତର ବାହାରେ। ଆଉ ୩ ଜଣ କୁଆଡ଼େ ଗଲେ, ତଥ୍ୟ ମିଳୁନି। ୫୬ଟି ବିଶେଷଜ୍ଞ ଡାକ୍ତର ପଦବୀ ପାଇଁ ମଞ୍ଜୁରୀ ମିଳିଥିଲେ ବି କାମ ଚଳାଉଛନ୍ତି ମାତ୍ର ୯ ଜଣ। ସେହିପରି ରାୟଗଡ଼ା ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ୪୫୯ ଡାକ୍ତର ପଦବୀରୁ ୧୫୭ଟି ଖାଲି ପଡ଼ିଥିବାବେଳେ ୪୫ ଜଣ ଏଠାରୁ ଦରମା ପାଉଛନ୍ତି, ରାଜ୍ୟ ବାହାରେ ପିଜି ପଢୁଛନ୍ତି।
କର୍ମକ୍ଷେତ୍ରରେ ଏଭଳି ଅନୁପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଗତ ଜୁନରେ ୧୨୮ ଜଣ ସରକାରୀ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ ଆକ୍ସନ ନେଇଥିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ତଥାପି ଯେଉଁ ଅବସ୍ଥାକୁ ସେହି ଅବସ୍ଥା। କୁହାଯାଉଛି, ହାଇୟର୍ ଷ୍ଟଡ଼ି ପରେ ଅନେକ ଡାକ୍ତର ନା ଡ୍ୟୁଟିରେ ଯୋଗଦେଉଛନ୍ତି ନା ଫେରୁଛନ୍ତି ସେହି ଜିଲ୍ଲାକୁ। ଫଳରେ ଶୂନ୍ୟ ହୋଇପଡୁଛି ଡାକ୍ତର ପଦବୀ। ତେବେ କ୍ୟାମେରା ସାମ୍ନାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିନଥିଲେ ବି ସୂଚନା ଦେଇ କହିଛନ୍ତି, ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୋଧରେ ଖୁବଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।