Honey Trap Allegation: ହନି ଟ୍ରାପ୍‌ରେ ଫସିଲେ ନୌସେନା ନାବିକ, ପାକିସ୍ତାନକୁ ତଥ୍ୟ ଦେଇଥିବା ଅଭିଯୋଗ

Oct 04, 2026 - 18:37
Honey Trap Allegation: ହନି ଟ୍ରାପ୍‌ରେ ଫସିଲେ ନୌସେନା ନାବିକ, ପାକିସ୍ତାନକୁ ତଥ୍ୟ ଦେଇଥିବା ଅଭିଯୋଗ

ପାକିସ୍ତାନୀ ଅପରେଟିଭ୍‌ଙ୍କୁ ସମ୍ବେଦନଶୀଳ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଲିକ୍‌ କରିଥିବା ଅଭିଯୋଗରେ ଭାରତୀୟ ନୌସେନାର ଜଣେ ୩୧ ବର୍ଷୀୟ ନାବିକଙ୍କୁ ତାମିଲନାଡୁର କୋଏମ୍ବାଟୁରରୁ ଗିରଫ କରାଯାଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ଗିରଫ ନାବିକଙ୍କ ପରିଚୟ ପ୍ରଦୀପ ମୁଖାର୍ଜୀ ବୋଲି ଜଣାପଡ଼ିଛି। ସେ ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ନିୟୋଜିତ ଥିଲେ। ଏବେ ସେ ଏକ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କୋର୍ସ କରୁଥିଲେ। ଶନିବାର କୋଏମ୍ବାଟୁରର INS ଅଗ୍ରଣୀରୁ ତାଙ୍କୁ ଗିରଫ କରାଯାଇଛି। INS ଅଗ୍ରଣୀ ହେଉଛି ନୌସେନାର ଏକ ଲିଡରଶିପ୍ ଟ୍ରେନିଂ ସେଣ୍ଟର।

ପଶ୍ଚିମବଙ୍ଗର ବାସିନ୍ଦା ପ୍ରଦୀପ ୨୦୧୪ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ଅଧିକାରୀଙ୍କ ଅନୁସାରେ, ସୋସିଆଲ ମିଡିଆ ଜରିଆରେ ଜଣେ ପାକିସ୍ତାନୀ ମହିଳା ଏଜେଣ୍ଟ ତାଙ୍କୁ ‘ହନି ଟ୍ରାପ୍‌’ରେ ଫସାଇଥିଲେ। ଗତ କିଛି ମାସ ଧରି ଉଭୟଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା। ଏହି ସମୟରେ ପ୍ରଦୀପ ବିଶାଖାପାଟଣା ନାଭାଲ ବେସ୍‌ର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ନୌସେନା ସମ୍ପତ୍ତି, ଜାହାଜଗୁଡ଼ିକର ଗତିବିଧି ଏବଂ ଅପରେସନାଲ୍ ବ୍ୟବସ୍ଥା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗ ହୋଇଛି।

ଆନ୍ଧ୍ରପ୍ରଦେଶ ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ ତାଙ୍କ ଡିଜିଟାଲ୍ ଗତିବିଧି ଉପରେ ନଜର ରଖିଥିଲା। ଏହି ୟୁନିଟ୍ ସୀମାପାର ଗୁପ୍ତଚରବୃତ୍ତି ଓ ଆତଙ୍କବାଦୀ ବିପଦର ମୁକାବିଲା ପାଇଁ କାର୍ଯ୍ୟ କରେ।

କୋଚିରୁ ମଧ୍ୟ ଧରାପଡ଼ିଥିଲେ ନୌସେନା ଅଧିକାରୀ

ପ୍ରଦୀପ ମୁଖାର୍ଜୀଙ୍କ ଗିରଫ ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଆଉ ଜଣେ ଭାରତୀୟ ନୌସେନା ଅଧିକାରୀଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ କରାଯାଇଥିଲା।
ଲାନ୍ସ ନାଏକ ଆଦର୍ଶ କୁମାର ଓରଫ ଲକିଙ୍କୁ କେରଳର କୋଚିରୁ ଧରାଯାଇଥିଲା। ଉତ୍ତରପ୍ରଦେଶର ଆଗ୍ରା ବାସିନ୍ଦା ଆଦର୍ଶ ସଦର୍ଣ୍ଣ ନାଭାଲ କମାଣ୍ଡରେ ନିୟୋଜିତ ଥିଲେ। ଉତ୍ତରପ୍ରଦେଶ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ (ATS) ଏକ ଗୁପ୍ତଚର ନେଟୱର୍କର ପର୍ଦ୍ଦାଫାସ କରିବା ପରେ ତାଙ୍କୁ ଗିରଫ କରିଥିଲା।

ତଦନ୍ତ ବେଳେ ଆଦର୍ଶ ପାକିସ୍ତାନୀ ଏଜେଣ୍ଟଙ୍କୁ ସମ୍ବେଦନଶୀଳ ତଥ୍ୟ ଦେଇଥିବା ଜଣାପଡ଼ିଥିଲା। ଏପରିକି ଟଙ୍କା ବଦଳରେ ଯୁଦ୍ଧଜାହାଜ ସମେତ ବିଭିନ୍ନ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ନୌସେନା ସମ୍ପତ୍ତିର ଫଟୋ ମଧ୍ୟ ସେୟାର କରିଥିବା ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଥିଲେ। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅଦାଲତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ISI ଦୀର୍ଘଦିନ ଧରି ଭାରତର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଉଗ୍ରବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରୁଥିବା ଭାରତର ଅଭିଯୋଗ ରହିଛି। ଜମ୍ମୁ-କାଶ୍ମୀର ସମେତ ବିଭିନ୍ନ ଅଞ୍ଚଳରେ ଆକ୍ରମଣ ସହ ଜଡ଼ିତ ସଂଗଠନଗୁଡ଼ିକୁ ISI ଆର୍ଥିକ ସହାୟତା, ପ୍ରଶିକ୍ଷଣ ଓ ଲଜିଷ୍ଟିକ୍ ସମର୍ଥନ ଯୋଗାଇ ଆସିଥିବା ଅଭିଯୋଗ ହୋଇଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।