IAS Posts To Be Reduced: ପ୍ରଶାସନିକ ଖର୍ଚ୍ଚ କମାଇବାକୁ ବଡ଼ ନିଷ୍ପତ୍ତି: କମିବ IAS-IFS ଅଧିକାରୀଙ୍କ ସଂଖ୍ୟା, ୫୮ ପଦ ହ୍ରାସ ଯୋଜନା

Aug 20, 2026 - 15:25
IAS Posts To Be Reduced: ପ୍ରଶାସନିକ ଖର୍ଚ୍ଚ କମାଇବାକୁ ବଡ଼ ନିଷ୍ପତ୍ତି: କମିବ IAS-IFS ଅଧିକାରୀଙ୍କ ସଂଖ୍ୟା, ୫୮ ପଦ ହ୍ରାସ ଯୋଜନା

ପ୍ରଶାସନିକ ଖର୍ଚ୍ଚ କମାଇବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ହିମାଚଳ ପ୍ରଦେଶ ସରକାର। ରାଜ୍ୟରେ IAS, IFS ଏବଂ IPS ଅଧିକାରୀଙ୍କ ସଂଖ୍ୟା କମାଇବା ପାଇଁ ଯୋଜନା ହେଉଛି। IAS ଅଧିକାରୀଙ୍କ ସଂଖ୍ୟା ୧୫୩ରୁ ୧୩୦କୁ କମାଯାଇପାରେ। ଅର୍ଥାତ୍ ୨୩ ଜଣ IAS ଅଧିକାରୀ କମିପାରନ୍ତି। ସେହିପରି IFS ଅଧିକାରୀଙ୍କ ସଂଖ୍ୟା ୧୧୮ରୁ ୮୩କୁ ଅର୍ଥାତ୍ ୩୫ ଜଣ ଅଧିକାରୀ କମିପାରନ୍ତି। ତେବେ IPS ଅଧିକାରୀଙ୍କ ସଂଖ୍ୟା କେତେ କମାଯିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ପ୍ରସଙ୍ଗରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ରାଜ୍ୟ ପାଇଁ ପ୍ରକୃତରେ ୧୦୦ରୁ ୧୧୦ ଜଣ IAS ଅଧିକାରୀ ଯଥେଷ୍ଟ। କିନ୍ତୁ ଏବେ ସରକାର ୨୩ ଜଣ ଅଧିକାରୀ କମାଇବା ପାଇଁ ହିଁ ଅନୁରୋଧ କରୁଛି।

ସୂଚନା ଅନୁସାରେ, ଅଲ୍ ଇଣ୍ଡିଆ ସର୍ଭିସ୍ ଅଧିକାରୀଙ୍କ ସଂଖ୍ୟା କମାଇବା ନେଇ ଖୁବ୍ଶୀଘ୍ର ଏକ ଔପଚାରିକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯିବ। ବର୍ତ୍ତମାନ ହିମାଚଳର ୨୦ରୁ ଅଧିକ IAS ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଏହା ସହ ଏକ ଡଜନରୁ ଅଧିକ IPS ଓ IFS ଅଧିକାରୀ ମଧ୍ୟ କେନ୍ଦ୍ରରେ ଅଛନ୍ତି। ଡେପୁଟେସନରେ ଥିବା ଅଫିସରଙ୍କ ଦରମାଠାରୁ ଆରମ୍ଭ କରି ଯାବତୀୟ ଖର୍ଚ୍ଚ ରାଜ୍ୟ ସରକାରଙ୍କ ତହବିଲରୁ ଯାଉଛି । ପ୍ରତ୍ୟେକ ଅଧିକାରୀଙ୍କ ପିଛା ବାର୍ଷିକ ଖର୍ଚ୍ଚ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କା ହେଉଥିବା ଆକଳନ କରାଯାଉଛି। ସରକାରୀ ଖର୍ଚ୍ଚ ହ୍ରାସ କରିବାକୁ ସରକାର ବାବୁଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛନ୍ତି ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।