01 NOVEMBER 2026

Welcome!

Unlock your personalized experience.
Sign Up

Ijarupa seeks development: ବିକାଶ ଖୋଜୁଛି ଇଜରୁପା: ରାହୁଲ ଆସିଥିଲେ, ବଦଳିଲାନି ଭାଗ୍ୟ, ୨୬ ବର୍ଷ ପରେ ବି ଗାଁ’କୁ ନାହିଁ ରାସ୍ତା

Nov 01, 2026 - 08:27
Ijarupa seeks development: ବିକାଶ ଖୋଜୁଛି ଇଜରୁପା: ରାହୁଲ ଆସିଥିଲେ, ବଦଳିଲାନି ଭାଗ୍ୟ, ୨୬ ବର୍ଷ ପରେ ବି ଗାଁ’କୁ ନାହିଁ ରାସ୍ତା

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ଯେଉଁ ଗାଁରେ ପାଦ ଥାପି ଆଦିବାସୀଙ୍କ ସହ ସମୟ ବିତାଇଥିଲେ ରାହୁଲ ଗାନ୍ଧୀ, ଯେଉଁଠାରୁ ପ୍ରେରଣା ପାଇ ନିଜକୁ ‘ଆଦିବାସୀଙ୍କ ସିପାହି’ ବୋଲି ଘୋଷଣା କରିଥିଲେ, ସେହି ଗାଁ ଆଜି ବି ବିକାଶର ମାନଚିତ୍ରରେ ନିଜ ସ୍ଥାନ ଖୋଜୁଛି। ନା ଅଛି ଯିବାଆସିବା ପାଇଁ ରାସ୍ତା, ନା ମିଳୁଛି ବିଶୁଦ୍ଧ ପାନୀୟ ଜଳ, ନା ଜଳୁଛି ଘରେ ବିଜୁଳି ଆଲୁଅ। କଳାହାଣ୍ଡି ଜିଲ୍ଲାର ନିୟମଗିରି ପାଦଦେଶରେ ଥିବା ଇଜରୁପା ଗାଁର ଏହା ହେଉଛି ବାସ୍ତବ ଚିତ୍ର। ରାହୁଲ ଗାନ୍ଧୀଙ୍କ ଗସ୍ତର ସ୍ମୃତି ବହନ କରୁଥିବା ଏହି ଗାଁରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ। 

BOB: ବ୍ୟାଙ୍କ ଅଫ୍‌ ବରୋଦାର ୬୫୩୨ କୋଟି ରେକର୍ଡ ଲାଭ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ର ନିୟମଗିରି ପାଦଦେଶରେ ବଣପାହାଡ଼ ଘେରା ସବୁଜିମା ମଧ୍ୟରେ ଅବସ୍ଥିତ ଇଜରୁପା। ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ତଳେ ଲାବଣ୍ୟ ଗଉଡ଼ ଜଙ୍ଗଲ ଭିତରେ ଘର କରି ଏଠାରେ ସ୍ଥାୟୀ ଭାବେ ବସବାସ ଆରମ୍ଭ କରିଥିଲେ। ପରେ ତାଙ୍କର ଦୁଇ ପୁଅ ଧନୁର୍ଜୟ ଓ ଦିବାକରଙ୍କ ପରିବାର ଏଠାରେ ରହିଥିଲେ। ଧନୁର୍ଜୟଙ୍କ ମାମୁ ଅନନ୍ତ ନାଗଙ୍କ ପରିବାର ମଧ୍ୟ ଗାଁରେ ଆସି ବସତି ସ୍ଥାପନ କରିଥିଲେ। ଦୁଇ ବର୍ଷ ତଳେ ଲାବଣ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ମଧ୍ୟ ଆଖି ବୁଜିଛନ୍ତି। ଏବେ ଏହି ଛୋଟିଆ ଗାଁରେ ମାତ୍ର ୩ଟି ପରିବାରର ୧୦ ଜଣ ସଦସ୍ୟ ରହୁଛନ୍ତି। ଏତେ ବର୍ଷ ଧରି ଏଠାରେ ମଣିଷ ବସବାସ କରୁଥିଲେ ମଧ୍ୟ ମୌଳିକ ସୁବିଧାର ଛିଟା ପଡ଼ିନାହିଁ। ଗାଁକୁ ଯିବା ପାଇଁ ଆଜି ବି ପାଦଚଲା ରାସ୍ତା ଏକମାତ୍ର ଭରସା। କୂଅପାଣିରେ ଚଳୁଥିବା ଗ୍ରାମବାସୀଙ୍କ ପାଇଁ କିଛି ବର୍ଷ ପୂର୍ବେ ସୌର ପାନୀୟଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ହେଲେ ହାତୀ ଏହାକୁ ଭାଙ୍ଗିଦେବା ପରଠାରୁ ପାଣି ଯୋଗାଣ ବନ୍ଦ। ଏବେ ଝରଣା ପାଣି ସେମାନଙ୍କ ଶୋଷ ମେଣ୍ଟାଉଛି।

୨୬ ବର୍ଷ ପରେ ବି ଗାଁ’କୁ ନାହିଁ ରାସ୍ତା
ଝରଣା ପାଣିରେ ମେଣ୍ଟୁଛି ଶୋଷ

ଗାଁରେ ବିଦ୍ୟୁତ୍‌, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସୁବିଧା ନାହିଁ। ଏସବୁ ଆବଶ୍ୟକତା ପାଇଁ ଗ୍ରାମବାସୀଙ୍କୁ ୯ କିମି ଦୂର ଲାଞ୍ଜିଗଡ଼ ଉପରେ ନିର୍ଭର କରିବାକୁ ପଡ଼ୁଛି। ୨୦୧୦ ଅଗଷ୍ଟ ୨୬ ତାରିଖରେ ଇଜରୁପା ଗାଁରେ ପହଞ୍ଚିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେତେବେଳେ ସେ ଅଞ୍ଚଳର କୁଟିଆ କନ୍ଧ ଆଦିବାସୀଙ୍କ ସହ ଆଲୋଚନା କରିବା ସହ ନିୟମଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଥିଲେ। ପ‌ରେ ଲାଞ୍ଜିଗଡ଼ରେ ଆୟୋଜିତ ଏକ ଜନସଭାରେ ନିଜକୁ ଆଦିବାସୀଙ୍କ ସିପାହି ବୋଲି ଘୋଷଣା କରିଥିଲେ। ଆଜି ସେ ଦେଶର ବିରୋଧୀ ଦଳ ନେତା। କିନ୍ତୁ ଯେଉଁ ଇଜରୁପା ଗାଁ ତାଙ୍କୁ ଆଦିବାସୀଙ୍କ ପାଇଁ ଲଢ଼ିବାର ପ୍ରେରଣା ଦେଇଥିଲା, ସେହି ଗାଁର ଲୋକେ ଆଜି ବି ରାସ୍ତା, ପାଣି ଓ ଆଲୋକ ଭଳି ସର୍ବନିମ୍ନ ସୁବିଧାରୁ ବଞ୍ଚିତ। ଇଜରୁପା ଗାଁର ଗୁରୁତ୍ୱ କେବଳ ରାହୁଲ ଗାନ୍ଧୀଙ୍କ ଗସ୍ତରେ ସୀମିତ ନୁହେଁ।

ISRO: ଏନ୍‌ଭିଏସ୍‌-୦୩ ଉତ୍‌କ୍ଷେପଣ; ୩ଟି ପାଇରୋ ଭାଲ୍‌ଭ ଖୋଲା ରଖିଥିଲା ଇସ୍ରୋ

ପ୍ରତିବର୍ଷ ଫେବ୍ରୁଆରି ଶେଷ ଭାଗରେ ନିୟମରଜା ପରବ ପାଳନ ସମୟରେ ବହୁ ସଂଖ୍ୟାରେ ଲୋକ ଏହି ଗାଁ ଦେଇ ନିୟମଗିରି ପାହାଡ଼ ଚଢ଼ିଥାନ୍ତି। ଏହି ପରମ୍ପରା ଗାଁକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଲାବଣ୍ୟ ଗଉଡ଼ ବଞ୍ଚିଥିବା ସମୟରେ ସେ ଓ ତାଙ୍କ ପତ୍ନୀ ଗାଁ ଦେଇ ଯାଉଥିବା ଲୋକଙ୍କୁ ଆତିଥ୍ୟ ଦେବାରେ କେବେ ହେଳା କରୁନଥିଲେ। ଆଜି ତାଙ୍କ ପୁଅବୋହୂ ଓ ପରିବାରର ଅନ୍ୟ ସଦସ୍ୟମାନେ ସେହି ପରମ୍ପରାକୁ ଜୀବିତ ରଖିଛନ୍ତି। କେବେ କେମିତି ଶାସନ ଓ ପ୍ରଶାସନର ଅଧିକାରୀ, ଦେଶ-ବିଦେଶର ସାମ୍ବାଦିକ ଗାଁକୁ ଆସନ୍ତି। ହେଲେ ସେମାନଙ୍କ ପରିବାର ନିଜର ଦୁଃଖ, ଅଭାବ ଓ ଅସୁବିଧାକୁ କାହା ଆଗରେ ଖୋଲି କହନ୍ତି ନାହିଁ। ପ୍ରକୃତିର କୋଳରେ ଥିବା ଏହି ଛୋଟିଆ ଗାଁର ଲୋକଙ୍କ ଜୀବନରେ ଏବେ ବି ଅଭାବ ନିତିଦିନିଆ ସାଥୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।