Illegal Cough Syrup Network: କୋଡିନ୍ କଫ୍ ସିରଫ୍ ପାଲଟିଛି ନିଶାଡିଙ୍କ ନୂଆ ପସନ୍ଦ; ଦମଦାର ନିଶାକୁ ନାହିଁ ପୋଲିସ ଧରପଗଡ଼ର ଟେନସନ୍

Oct 04, 2026 - 20:24
Illegal Cough Syrup Network: କୋଡିନ୍ କଫ୍ ସିରଫ୍ ପାଲଟିଛି ନିଶାଡିଙ୍କ ନୂଆ ପସନ୍ଦ; ଦମଦାର ନିଶାକୁ ନାହିଁ ପୋଲିସ ଧରପଗଡ଼ର ଟେନସନ୍

ମଦ, ଗଞ୍ଜେଇ ଆଉ ବ୍ରାଉନସୁଗାର ପରେ ଏବେ ନିଶାଡ଼ିଙ୍କ ନୂଆ ଟାର୍ଗେଟ୍ କଫ୍ ସିରପ୍। କାଶ ଭଲ କରିବାକୁ ବ୍ୟବହାର ହେଉଥିବା ଔଷଧ ଏବେ ଯୁବପିଢ଼ିଙ୍କ ପାଇଁ ପାଲଟିଛି ନିଶାର ମାଧ୍ୟମ। ବିଶେଷକରି ପଶ୍ଚିମ ଓଡ଼ିଶାରେ ମାଡ଼ି ଚାଲିଛି କୋଡିନ୍ ଯୁକ୍ତ କଫ୍ ସିରପର ବେଆଇନ କାରବାର। ଶହେ ଟଙ୍କିଆ ବୋତଲ ବିକ୍ରି ହେଉଛି ୩୦୦ରୁ ୪୦୦ ଟଙ୍କାରେ। ଅଧିକ ମୁନାଫା ଲୋଭରେ ଏହି କାରବାରରେ ସାମିଲ ହେଉଛନ୍ତି ଯୁବପିଢ଼ି। ପୋଲିସର ଚଢ଼ାଉ, ଗିରଫଦାରୀ ଆଉ ମାମଲା ସତ୍ତ୍ୱେ କାହିଁକି ଥମୁନି ଏହି ନିଶା ବେପାର ? କେମିତି ପଶ୍ଚିମ ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଛତିଶଗଡ଼ ଯାଏଁ ଲମ୍ବିଛି ନେଟୱର୍କ ? 

ଏଠି ମଦ ପୁରୁଣା, ଗଞ୍ଜେଇ ପୁରୁଣା, ବ୍ରାଉନସୁଗାରକୁ ପଚାରେ କିଏ। ଏବେ କେବେଳ ମାର୍କେଟରେ ରାଜ କରୁଛି କଫ୍ ସିରପ୍। ନିଶା ଦମ୍ଦାର, ନାହିଁ ପୋଲିସ ଟେନ୍ସନ୍। ଯେଉଁଠି ଚାହିଁବେ ସେଠି ମିଳିବ....ଟିକେ ମାରିଦେଲେ ମୁଣ୍ଡ ଝୁମିବ। ଏଥିପାଇଁ ତ୍ ଜେନ୍-ଜି’ଙ୍କ ପସନ୍ଦ ପାଲଟିଯାଇଛି କଫ୍ ସିରପ୍। ଦେଖନ୍ତୁ, କେମିତି ଚାଲିଛି କଫ୍ ସିରପ୍ ପିଇବାର ପ୍ରସ୍ତୁତି। 

ମୃଦୁ ପାନୀୟ ସହ ଗ୍ଲାସରେ ମିଶାଯାଉଛି କଫ୍ ସିରପ୍, ପାଖରେ ଅଛି ଗଞ୍ଜେଇ ପୁରାଇ ଦେଶୀ ହୁକ୍କା ଆଉ ଚାଖାଣ ପାଇଁ ଲଡ଼ୁ। ବାସ୍ ଜମିଲା ଆସର। ସାରା ରାଜ୍ୟରେ ନିଶା କାରବାରର ନୂଆ ନେଟୱର୍କ ମାଡିଚାଲିଥିବା ବେଳେ ପଶ୍ଚିମ ଓଡ଼ିଶା ପାଲଟିଛି ହବ୍। ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଗଦା ଗଦା ହୋଇ ପଡିଛି କଫ ସିରପ ବୋତଲ। ଯାହା ଦେଖିଲେ ଲାଗୁଛି କେମିତି ମାଡି ଚାଲିଛି ଏହି ବେପାର। 

କେବେଳ ସମ୍ବଲପୁର ନୁହେଁ ବରଗଡ଼ରୁ ବଲାଙ୍ଗିର, ଝାରସୁଗୁଡ଼ାରୁ ସୁନ୍ଦରଗଡ ସବୁଠି ଏବେ କୋଡିନ୍ କଫ୍ ସିରପ୍ ର ଅବାଧ କାରବାର ଚାଲିଛି। ମଦ ଭଳି ଦୁର୍ଗନ୍ଧ ନଥିବାରୁ କଫ୍ ସିରପ୍ କୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆକର୍ଷଣ ବଢୁଛି। ନେବା ଆଣିବାରେ ବି ଅସୁବିଧା ନାହିଁ, ଆସର ବେଳେ ପୋଲିସ୍ ଚଢ଼ାଉର ଡର ବି ରହୁନି। ହେଲେ ଏଇ କଫ୍ ସିରପ୍ ପିଇବା ପରେ ନିଶାଶକ୍ତ ହୋଇ ହରାଇ ବସୁଛନ୍ତି ହିତାହିତ ଜ୍ଞାନ। ଫଳରେ କେତେବେଳେ ପରସ୍ପର ମଧ୍ୟରେ ମାଡ଼ପିଟ୍ ହେଉଛି ତ କେତେବେଳେ ଅନ୍ୟକୁ କରୁଛନ୍ତି ଆକ୍ରମଣ। 

ଅଳ୍ପ ଦିନରେ ଅଧିକ ଟଙ୍କା ରୋଜଗାର ଏଇ ବେପାରକୁ ଅଧିକ ବଢ଼ାଇଛି। ହେଲେ ପ୍ରକୃତରେ କ’ଣ ଏହି କୋଡିନ୍ ଯୁକ୍ତ କଫ୍ ସିରପ୍ ? କାଶ ହେଲେ ତ କଫ୍ ସିରପ୍ ପିଅନ୍ତି। ହେଲେ ନିଶା କେମିତି ହୁଏ ଓ ଏହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ କେମିତି ? କୋଡିନ୍ ହେଉଛି ଏକ ଔଷଧ, ଯାହା ଚିକିତ୍ସା କ୍ଷେତ୍ରରେ କାଶ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର ହୁଏ।

କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା କିମ୍ବା ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ନେଲେ ଏହା ନିଶା ଭଳି କାମ କରାଏ। ଦୀର୍ଘଦିନ ଧରି କୋଡିନ୍ ର ବ୍ୟବହାର କଲେ ମୁଣ୍ଡ ଘୂରିବା, ବାନ୍ତି, କୋଷ୍ଠକାଠିନ୍ୟ ସହ ଶ୍ୱାସକ୍ରିୟାକୁ ଧୀମା କରିଦେଇପାରେ। ଯାହା ଗୁରୁତର ଅବସ୍ଥାରେ ଦୀର୍ଘ ଦିନ ପାଇଁ କୋମା, ପାରାଲିସିସ୍ ଏପରିକି ମୃତ୍ୟୁର କାରଣ ବି ହୋଇପାରେ। 

କଫ୍ ସିରଫ ବେପାର ବେଆଇନ ଭାବେ ଚାଲୁଥିବାରୁ ଭଲ ମୁନାଫା ବି ମିଳେ। ଶହେ ଟଙ୍କାର କଫ ସିରଫ ବଜାରରେ ପ୍ରାୟ ୩୦୦ ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି। ସେଥିପାଇଁ ଯୁବପିଢି ନିଜେ ପିଇବା ସହ ଏହାକୁ ବ୍ୟବସାୟ ବି କରୁଛନ୍ତି। ପଶ୍ଚିମ ଓଡିଶା କଫ ସିରପର ହବ୍ ପାଲଟିଥିବା ବେଳେ ଏହାର ନେଟୱର୍କ ପଶ୍ଚିମବଙ୍ଗ- ଛତିଶଗଡ଼ ଯାଏଁ ଲମ୍ବିଛି। 

ପୋଲିସ, ବାରମ୍ବାର ବିପୁଳ ପରିମାଣ ର କଫ ସିରଫ ଧରୁଛି, NDPS ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି। କିନ୍ତୁ ପୋଲିସ୍ ଡାଳେ ଡାଳେ ଗଲା ବେଳେ ଅଭିଯୁକ୍ତ ପତ୍ରେ ପତ୍ରେ ଯାଉଛନ୍ତି। ଆଉ ଖୋଦ୍ ପୋଲିସ ଡିଜି ବି ଏକଥା ସ୍ବୀକାର କରିଛନ୍ତି। ପଶ୍ଚିମ ଓଡିଶାରେ ଗଞ୍ଜେଇ ଅପେକ୍ଷା କଫ ସିରଫ କାରବାର ଅଧିକ ହେଉଛି। ରୋକ ଲଗାଇବାକୁ ନୂଆ ପ୍ଲାନ୍ ପ୍ରସ୍ତୁତ କରୁଛି ପୋଲିସ୍।
 
କଫ ସିରପର ବେପାର ବଢିବା ସହ ଯୁବପିଢିଙ୍କୁ ଯେମତି ତା କବଳକୁ ନେଉଛି, ତାହାକୁ ଦୃଢ ଭାବେ ନିୟନ୍ତ୍ରଣ ନକଲେ ଆଗକୁ ପରିସ୍ଥିତି ସଙ୍ଗୀନ ହୋଇପାରେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।