India Halts Sugar-Based Ethanol Procurement: ଚିନି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଇଥାନଲ୍ ନୀତିରେ ବଡ଼ ପରିବର୍ତ୍ତନ
ଦେଶରେ ଚିନି ଦର ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଆଖୁରୁ ପ୍ରସ୍ତୁତ ଇଥାନଲ କିଣିବା ବନ୍ଦ କରିବାକୁ ତେଲ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୧ରୁ ଆରମ୍ଭ ହେଉଥିବା ନୂଆ ଯୋଗାଣ ବର୍ଷରେ ଏହି ନିୟମ ଲାଗୁ ହେବ।
ଚଳିତ ବର୍ଷ ଦୁର୍ବଳ ମୌସୁମୀ ଏବଂ ଏଲ୍ ନିନୋ ପ୍ରଭାବରେ ଦେଶରେ ଆଖୁ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ରହିଛି। ଏହାଦ୍ୱାରା ଚିନି ଯୋଗାଣ କମିବା ସହ ବିଶ୍ୱ ବଜାରରେ ଚିନି ଦର ବୃଦ୍ଧି ପାଇଛି। ତେଣୁ ଦେଶରେ ଚିନିର ଉପଲବ୍ଧତା ବଜାୟ ରଖିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ସମେତ ୫ଟି ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ପ୍ରାୟ ୧୧ ହଜାର ନିୟୁତ ଲିଟର ଇଥାନଲ କିଣିବା ପାଇଁ ଟେଣ୍ଡର ଜାରି କରିଛନ୍ତି। ଏଥିରେ ଆଖୁ ରସ, ଚିନି, ଚିନି ସିରପ୍ ଏବଂ ବି-ହେଭି ମୋଲାସେସ୍ରୁ ପ୍ରସ୍ତୁତ ଇଥାନଲ କିଣାଯିବ ନାହିଁ।
ତେବେ ସି-ହେଭି ମୋଲାସେସ୍, ମକା, ନଷ୍ଟ ହୋଇଥିବା ଖାଦ୍ୟଶସ୍ୟ ଏବଂ ଭାରତୀୟ ଖାଦ୍ୟ ନିଗମର ଅତିରିକ୍ତ ଚାଉଳରୁ ପ୍ରସ୍ତୁତ ଇଥାନଲ ଯୋଗାଣକୁ ଅନୁମତି ମିଳିବ। ପେଟ୍ରୋଲରେ ଇଥାନଲ ମିଶାଇ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରତା କମାଇବା ସହ ଚାଷୀଙ୍କ ଆୟ ବଢ଼ାଇବା ସରକାରଙ୍କ ଲକ୍ଷ୍ୟ। ଭାରତ ୨୦୨୫ରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।