Legal Profession Not for the Faint-Hearted: NLSIU ବିବାଦ ପରେ CJIଙ୍କ ବଡ଼ ବୟାନ, ବାଧା ସୃଷ୍ଟି କରିଥିଲେ ବାହ୍ୟ ଶକ୍ତି

Oct 17, 2026 - 16:37
Legal Profession Not for the Faint-Hearted: NLSIU ବିବାଦ ପରେ CJIଙ୍କ ବଡ଼ ବୟାନ, ବାଧା ସୃଷ୍ଟି କରିଥିଲେ ବାହ୍ୟ ଶକ୍ତି

NALSAR ବିବାଦ ପରେ ନ୍ୟାସନାଲ୍ ଲ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (NLSIU)ର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ। କାର୍ଯ୍ୟକ୍ରମ ପୂର୍ବରୁ କିଛି ବାହ୍ୟ ଶକ୍ତିଙ୍କ ଯୋଗୁଁ ଅନିଶ୍ଚିତତା ସୃଷ୍ଟି ହୋଇଥିବା ସେ କହିଛନ୍ତି। ଏହାସହ ଆଇନ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟ, ସ୍ୱାଧୀନତା ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି।

ସମାରୋହକୁ ସମ୍ବୋଧିତ କରି CJI କହିଛନ୍ତି, କାର୍ଯ୍ୟକ୍ରମ ପୂର୍ବରୁ କିଛି ଅପ୍ରତ୍ୟାଶିତ ଓ ଦୁର୍ଭାଗ୍ୟଜନକ ପରିସ୍ଥିତି ଯୋଗୁଁ ଏହା ଆଶା ଅନୁଯାୟୀ ହୋଇପାରିବ କି ନାହିଁ, ସେନେଇ ଅନିଶ୍ଚିତତା ଦେଖାଦେଇଥିଲା। ତେବେ ଛାତ୍ରଛାତ୍ରୀମାନେ ସବୁ ବାଧାକୁ ଅତିକ୍ରମ କରି ଖୋଲା ଆଲୋଚନା ଓ ମତପ୍ରକାଶର ମର୍ଯ୍ୟାଦାକୁ ବଜାୟ ରଖିଥିବା ସେ କହିଛନ୍ତି।

‘କେବଳ ଆଇନ ଜାଣିଲେ ହେବନି’

ଆଇନ ବୃତ୍ତିରେ ସଫଳତା ପାଇଁ କେବଳ ଆଇନର ଧାରା ଓ ପୂର୍ବ ଅଦାଲତୀ ରାୟ ସମ୍ପର୍କରେ ଜ୍ଞାନ ଯଥେଷ୍ଟ ନୁହେଁ ବୋଲି CJI କହିଛନ୍ତି। ନ୍ୟାୟ ପାଇଁ ଦୃଢ଼ତାର ସହ ଠିଆ ହେବା ଏବଂ ଯେଉଁମାନଙ୍କ ସ୍ୱର ଅନେକ ସମୟରେ ଶୁଣାଯାଏ ନାହିଁ, ସେମାନଙ୍କ କଥା ଶୁଣିବାର ନମ୍ରତା ମଧ୍ୟ ଜରୁରୀ।

ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ପେସାଗତ ଜୀବନରେ ସୁବିଧା ପାଇଁ ନିଜ ନୀତି ଓ ଆଦର୍ଶ ସହ ସାଲିସ କରିବା ଉଚିତ ନୁହେଁ। ସଫଳତା ପାଇଁ ସର୍ଟକଟ୍ ନ ଆପଣାଇ ସଚ୍ଚୋଟତାକୁ ଗୁରୁତ୍ୱ ଦେବା ଆବଶ୍ୟକ।
ତାଙ୍କ ମତରେ, ଆଇନ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କେବଳ ଆଇନ ବୁଝିବା ନୁହେଁ; ବରଂ ଭିନ୍ନ ଦୃଷ୍ଟିକୋଣ ଓ ଅନୁଭୂତିକୁ ବୁଝି ନ୍ୟାୟର ସୁରକ୍ଷା କରିବା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।