India Strengthens Grip on European Market: ୟୁରୋପ ଡିଜେଲ ବଜାରରେ ଭାରତର ଦବଦବା, ରୁଷିଆ-ଆମେରିକା ପଡ଼ିଲେ ପଛରେ...

Sep 06, 2026 - 16:46
India Strengthens Grip on European Market: ୟୁରୋପ ଡିଜେଲ ବଜାରରେ ଭାରତର ଦବଦବା, ରୁଷିଆ-ଆମେରିକା ପଡ଼ିଲେ ପଛରେ...

ୟୁରୋପର ଡିଜେଲ ବଜାରରେ ବଢ଼ୁଛି ଭାରତର ଦବଦବା। ରୁଷିଆରୁ ଯୋଗାଣ ହ୍ରାସ ଏବଂ ଆମେରିକାର ରପ୍ତାନି କମିବା ପରେ ୟୁରୋପ ପାଇଁ ବଡ଼ ଡିଜେଲ ଯୋଗାଣକାରୀ ଭାବେ ଉଭା ହୋଇଛି ଭାରତ।

ଏନର୍ଜି ଆନାଲିଟିକ୍ସ ସଂସ୍ଥା ଭୋର୍ଟେକ୍ସାର ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ବାବ୍-ଏଲ୍-ମନ୍ଦେବ ଜଳପଥ ଦେଇ ପ୍ରତିଦିନ ପ୍ରାୟ ୨ ଲକ୍ଷ ବ୍ୟାରେଲ ଡିଜେଲ ଓ ଗ୍ୟାସଅଏଲ ୟୁରୋପ ଅଭିମୁଖେ ପଠାଯାଇଥିଲା। ଏଥିରୁ ପ୍ରାୟ ୬୦ ପ୍ରତିଶତ ଯୋଗାଣ ଭାରତରୁ ହୋଇଥିବା ସୂଚନା ମିଳିଛି।

ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲରେ ଏହି ରୁଟରେ ଇନ୍ଧନ ପରିବହନ ପ୍ରାୟ ଠପ୍ ହୋଇଯାଇଥିଲା। ତେବେ ଅଗଷ୍ଟରେ ପୁଣିଥରେ ଯୋଗାଣ ବୃଦ୍ଧି ପାଇଛି। ଏହି ସମୟରେ ୟୁରୋପର ଡିଜେଲ ଆବଶ୍ୟକତା ପୂରଣରେ ଭାରତୀୟ ରିଫାଇନେରୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି।

ବିଶ୍ୱର ଚତୁର୍ଥ ବୃହତ୍ତମ ରିଫାଇନିଂ ହବ୍ ଭାବେ ପରିଚିତ ଭାରତର ବାର୍ଷିକ ରିଫାଇନିଂ କ୍ଷମତା ରହିଛି ୨୫୮.୧ ନିୟୁତ ଟନ୍। ଦେଶର ଘରୋଇ ଚାହିଦାଠାରୁ ଏହି କ୍ଷମତା ଯଥେଷ୍ଟ ଅଧିକ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ୬୧.୫ ନିୟୁତ ଟନ୍ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରିଥିଲା।

ତେବେ ଆଗାମୀ ଦିନରେ ଏହି ରପ୍ତାନି ଧାରା ବଜାୟ ରଖିବା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ଅଗଷ୍ଟରେ ଭାରତର ଅଶୋଧିତ ତୈଳ ଓ କଣ୍ଡେନସେଟ ଆମଦାନି ପ୍ରତିଦିନ ପ୍ରାୟ ୩.୮ ନିୟୁତ ବ୍ୟାରେଲକୁ ଖସିଥିବା ବେଳେ, ଗତବର୍ଷ ଏହି ପରିମାଣ ପ୍ରାୟ ୪.୮ ନିୟୁତ ବ୍ୟାରେଲ ଥିଲା।

ସେପଟେ ରୁଷିଆର ଡିଜେଲ ଓ ଗ୍ୟାସଅଏଲ ରପ୍ତାନିରେ ବଡ଼ ହ୍ରାସ ଦେଖାଦେଇଛି। ଅଗଷ୍ଟର ପ୍ରଥମ ୨୫ ଦିନରେ ସମୁଦ୍ରପଥରେ ରୁଷିଆର ରପ୍ତାନି ଦୈନିକ ପ୍ରାୟ ୧.୫ ଲକ୍ଷ ବ୍ୟାରେଲ ରହିଥିଲା। ୟୁକ୍ରେନର ଡ୍ରୋନ ଆକ୍ରମଣ ଯୋଗୁଁ ରୁଷିଆର ଅନେକ ରିଫାଇନେରୀ ଓ ରପ୍ତାନି ଭିତ୍ତିଭୂମି ପ୍ରଭାବିତ ହୋଇଛି।

ଆମେରିକାରୁ ମଧ୍ୟ ୟୁରୋପକୁ ଡିଜେଲ ଯୋଗାଣ କମିଛି। ଅଗଷ୍ଟରେ ୟୁରୋପକୁ ଆମେରିକା ପକ୍ଷରୁ ଦୈନିକ ପ୍ରାୟ ୫.୨ ଲକ୍ଷ ବ୍ୟାରେଲ ଡିଜେଲ ଯୋଗାଣ ହୋଇଥିଲା। କିନ୍ତୁ ମାସର ଶେଷ ଆଡ଼କୁ ଏହି ପରିମାଣ ପ୍ରାୟ ୩.୫ ଲକ୍ଷ ବ୍ୟାରେଲକୁ ଖସିଆସିଥିଲା।

ଏଭଳି ସ୍ଥିତିରେ ୟୁରୋପରେ ଡିଜେଲ ଭଣ୍ଡାର ପୂର୍ବରୁ କମ୍ ରହିଥିବା ବେଳେ, ଶୀତ ଋତୁର ବଢ଼ୁଥିବା ଚାହିଦା ଆଗରୁ ରିଫାଇନେରୀଗୁଡ଼ିକର ମରାମତି କାର୍ଯ୍ୟ ମଧ୍ୟ ଚିନ୍ତା ବଢ଼ାଇଛି। ତେଣୁ ୟୁରୋପର ଇନ୍ଧନ ଯୋଗାଣ ବ୍ୟବସ୍ଥା ଏବେ ଅଧିକ ସୀମିତ ଉତ୍ସ ଉପରେ ନିର୍ଭରଶୀଳ ହେଉଥିବାରୁ ଭବିଷ୍ୟତରେ ଯୋଗାଣ ବାଧା ଦେଖାଦେଲେ ପରିସ୍ଥିତି ଜଟିଳ ହୋଇପାରେ। ଏହି ସମୟରେ ୟୁରୋପର ଡିଜେଲ ଯୋଗାଣରେ ଭାରତର ବଢ଼ୁଥିବା ଭୂମିକା ବିଶ୍ୱ ଇନ୍ଧନ ବଜାରରେ ଦେଶର ଗୁରୁତ୍ୱକୁ ଆହୁରି ସ୍ପଷ୍ଟ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।