Indian Embassy Issues Advisory: ଫ୍ରାନ୍ସ ଆନ୍ଦୋଳନ: ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସତର୍କତା
ଫ୍ରାନ୍ସରେ ଚାଲିଥିବା ପ୍ରତିବାଦ ଯୋଗୁଁ କେତେକ ଅଞ୍ଚଳରେ କର୍ଫ୍ୟୁ ଲାଗୁ ହେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଓ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସୁରକ୍ଷା ପରାମର୍ଶ ଜାରି କରାଯାଇଛି। ଭାରତୀୟ ନାଗରିକମାନେ ସତର୍କ ରହିବା ସହ ଭିଡ଼ ଥିବା ସ୍ଥାନ, ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବା ଅଞ୍ଚଳକୁ ନଯିବାକୁ ଦୂତାବାସ ପରାମର୍ଶ ଦେଇଛି। ଏହା ସହ ଫ୍ରାନ୍ସର ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ନିର୍ଦ୍ଦେଶ ଓ ସତର୍କ ସୂଚନାକୁ ପାଳନ କରିବାକୁ କୁହାଯାଇଛି।
ପ୍ୟାରିସ୍ସ୍ଥିତ ଭାରତୀୟ ଦୂତାବାସ ଅକ୍ଟୋବର ୨୧ରେ ଜାରି କରିଥିବା ପରାମର୍ଶରେ ଫ୍ରାନ୍ସର ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବାକୁ ଭାରତୀୟ ନାଗରିକଙ୍କୁ କହିଛି। ବିଶେଷକରି ଯେଉଁ ସ୍ଥାନରେ ବିକ୍ଷୋଭ ଓ ଅଶାନ୍ତି ଦେଖାଦେଇଛି, ସେଠାକୁ ନଯିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।
ଦୂତାବାସ ପକ୍ଷରୁ ମୁଖ୍ୟତଃ ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
- ବିକ୍ଷୋଭ, ପ୍ରତିବାଦ ଓ ହିଂସା ପ୍ରଭାବିତ ଅଞ୍ଚଳଠାରୁ ଦୂରେଇ ରୁହନ୍ତୁ।
- ଅତ୍ୟଧିକ ଭିଡ଼ ହେଉଥିବା ସ୍ଥାନରୁ ଦୂରେଇ ରୁହନ୍ତୁ।
- ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ଓ ସୁରକ୍ଷା ସମ୍ପର୍କିତ ସୂଚନାକୁ ପାଳନ କରନ୍ତୁ।
- ସ୍ଥାନୀୟ ଖବର ଓ ସରକାରୀ ସୂଚନା ଉପରେ ନିୟମିତ ନଜର ରଖନ୍ତୁ।
- ଯାତ୍ରା ପୂର୍ବରୁ ସାର୍ବଜନୀନ ପରିବହନ ସେବାର ସ୍ଥିତି ଯାଞ୍ଚ କରନ୍ତୁ।
- ବିମାନ କିମ୍ବା ଅନ୍ୟ ଯାତ୍ରା କାର୍ଯ୍ୟକ୍ରମ ଥିଲେ ସମ୍ପୃକ୍ତ ଏୟାରଲାଇନ୍ସ କିମ୍ବା ଟ୍ରାଭେଲ୍ ଏଜେନ୍ସି ସହ ଯୋଗାଯୋଗରେ ରୁହନ୍ତୁ।
ଆବଶ୍ୟକ ପଡ଼ିଲେ +33 6 48 34 00 63ରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କାହିଁକି ଫ୍ରାନ୍ସରେ ଅଶାନ୍ତି?
ଫ୍ରାନ୍ସରେ ଦୈନନ୍ଦିନ ଜୀବନଧାରଣ ଖର୍ଚ୍ଚ ବୃଦ୍ଧି, ଇନ୍ଧନ ଦର, ସରକାରୀ ସେବା ଓ ଶିକ୍ଷା ବ୍ୟବସ୍ଥାରେ ଅବନତିକୁ ନେଇ ଅସନ୍ତୋଷ ତୀବ୍ର ହେବା ପରେ ପ୍ରତିବାଦ ଜୋର ଧରିଛି। ପ୍ରାରମ୍ଭରେ କେତେକ ସ୍ଥାନରେ ସ୍କୁଲ୍ର ଅବ୍ୟବସ୍ଥା ଓ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ କ୍ଷେତ୍ରରେ ମଧ୍ୟ ଆନ୍ଦୋଳନ ହୋଇଛି।
କେତେକ ସ୍ଥାନରେ ପ୍ରତିବାଦ ସମୟରେ ହିଂସା, ଦୋକାନ ଲୁଟ୍ ଓ ସମ୍ପତ୍ତି ନଷ୍ଟ ହେବା ଘଟଣା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି କିଛି ଅଞ୍ଚଳରେ ସ୍ଥାନୀୟ କର୍ଫ୍ୟୁ ଲାଗୁ କରାଯାଇଛି। ଅକ୍ଟୋବର ୨୪ରେ ପୁଣି ପ୍ରତିବାଦ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।