Indian Rupee Strengthens Against Dollar: ଆରବିଆଇର ଗୋଟିଏ ପଦକ୍ଷେପରେ ବଦଳାଇଦେଲା ଖେଳ, ମଜବୁତ ହେଲା ଟଙ୍କା

Oct 14, 2026 - 13:45
Indian Rupee Strengthens Against Dollar: ଆରବିଆଇର ଗୋଟିଏ ପଦକ୍ଷେପରେ ବଦଳାଇଦେଲା ଖେଳ, ମଜବୁତ ହେଲା ଟଙ୍କା

ଡଲାର ତୁଳନାରେ ମଜବୁତ ହେଲା ଭାରତୀୟ ଟଙ୍କା। ଏକ ମାସରୁ ଅଧିକ ସମୟ ପରେ ଟଙ୍କା ସବୁଠାରୁ ଉଚ୍ଚ ସ୍ତରରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କର ପଦକ୍ଷେପ ଏବଂ ମୁଦ୍ରା ବିନିମୟ ବଜାରରେ ସ୍ଥିରତା ରଖିବା ନେଇ ଆରବିଆଇ ଗଭର୍ଣ୍ଣରଙ୍କ ଆଶ୍ୱାସନ ପରେ ଟଙ୍କାର ମୂଲ୍ୟ ବଢ଼ିଛି।

ବୁଧବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୦.୪ ପ୍ରତିଶତ ବଢ଼ିଛି। ଗୋଟିଏ ଡଲାରର ମୂଲ୍ୟ ୯୪ ଟଙ୍କା ୯୧ ପଇସା ସ୍ତରରେ ପହଞ୍ଚିଛି। ଚଳିତ ସପ୍ତାହରେ ଟଙ୍କା ପ୍ରାୟ ୨ ପ୍ରତିଶତ ମଜବୁତ ହୋଇଛି। ଏହାଦ୍ୱାରା ଏସିଆର ଅନ୍ୟ ମୁଦ୍ରା ତୁଳନାରେ ଟଙ୍କାର ପ୍ରଦର୍ଶନ ଭଲ ରହିଛି।

ଟଙ୍କାକୁ ସମର୍ଥନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ କେତେକ ନିୟମ କଡ଼ାକଡ଼ି କରିଛି। ତେଲ କିଣିବା ପାଇଁ ଡଲାରର ଚାହିଦାକୁ ବଜାରରୁ ଅନ୍ୟ ଦିଗକୁ ନେବା ସହ ବିଦେଶୀ ମୁଦ୍ରାରେ ହେଉଥିବା କାରବାର ଉପରେ ନଜର ବଢ଼ାଯାଇଛି। ଆମଦାନିକାରୀ ଓ ବ୍ୟାଙ୍କଗୁଡ଼ିକର ମୁଦ୍ରା ବିନିମୟ ସମ୍ପର୍କିତ କାରବାର ପାଇଁ ମଧ୍ୟ କଟକଣା ଲଗାଯାଇଛି।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ଟଙ୍କାର ମୂଲ୍ୟରେ ଅନିୟମିତ ଉତ୍‌ଥାନ-ପତନ ରୋକିବା ଏବଂ କଳ୍ପନାଭିତ୍ତିକ କାରବାର ଉପରେ ରୋକ୍ ଲଗାଇବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଆବଶ୍ୟକ ପଡ଼ିଲେ ମୁଦ୍ରା ବଜାରରେ ସ୍ଥିରତା ରଖିବା ପାଇଁ ଆହୁରି ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ତେବେ ଅନ୍ୟପଟେ ଦେଶର ବଣ୍ଡ୍ ବଜାର ଉପରେ ଚାପ ଦେଖାଦେଇଛି। ତେଲ ଦର ବୃଦ୍ଧି ଏବଂ ଆରବିଆଇ ଗଭର୍ଣ୍ଣରଙ୍କ କଡ଼ା ମନ୍ତବ୍ୟ ପରେ ୧୦ ବର୍ଷିଆ ସରକାରୀ ବଣ୍ଡ୍‌ର ସୁଧ ହାର ୦.୧ ପ୍ରତିଶତ ବଢ଼ି ୭.୪ ପ୍ରତିଶତରେ ପହଞ୍ଚିଛି। ତେଣୁ ଟଙ୍କା ମଜବୁତ ହୋଇଥିଲେ ମଧ୍ୟ ବଜାରରେ ଆର୍ଥିକ ଚାପ ଏବେ ବି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।