'Influencer' is Now a College Degree: ଇନ୍ଫ୍ଲୁଏନ୍ସର ହେବାକୁ ମିଳିବ ଡିଗ୍ରୀ! କଲେଜରେ ଆରମ୍ଭ ହେଲା କଣ୍ଟେଣ୍ଟ କ୍ରିଏସନ୍ କୋର୍ସ
ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଟିକ୍ଟକ୍ରେ କ୍ୟାରିୟର କରିବାକୁ କଲେଜ ଆଣିଛି ବ୍ୟାଚେଲର କୋର୍ସ। ଇନଫ୍ଲୁଏନ୍ସର (Influencer) ହାସଲ କରିବେ ଡିଗ୍ରୀ। ଡିଜିଟାଲ ମିଡିଆରେ କ୍ୟାରିୟର ଗଢିବାକୁ ଚାହୁଁଥିବା ଇନଫ୍ଲୁଏନ୍ସରମାନେ ପ୍ରଫେସନାଲ ଭାବେ ଭିଡ଼ିଓ କରିବା ପାଇଁ କଲେଜ ପଢାଇବ ପାଠ ଓ ଦେବ ଟ୍ରେନିଂ। ଏହା ଶୁଣିବାକୁ ଅସାଧାରଣ ଲାଗୁଥିଲେ ମଧ୍ୟ ଆମେରିକାର ଏକ ୟୁନିଭର୍ସିଟି ଏବେ ଏହି ବିଷୟବସ୍ତୁ ଉପରେ ଏକ ସ୍ନାତକ ଡିଗ୍ରୀ କୋର୍ସ ଆରମ୍ଭ କରିଛି।
ଆମେରିକାର ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟି ପକ୍ଷରୁ (ASU) ପକ୍ଷରୁ ବ୍ୟାଚେଲର ଆର୍ଟ୍ସ ଇନ୍ କଣ୍ଟେଣ୍ଟ କ୍ରିଏସନ (Bachelor Degrees) ନାମରେ ନୂଆ ସ୍ନାତକ ଡିଗ୍ରୀ ଆରମ୍ଭ କରାଯାଇଛି। ଏହି ପ୍ରୋଗ୍ରାମ୍ଟି ବିଶ୍ୱବିଦ୍ୟାଳୟର ୱାଲଟର କ୍ରକାଇଟ୍ ସ୍କୁଲ ଅଫ ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ ଅଧିନରେ ଚାଲିଛି।
ଏହା କେବଳ ମୋବାଇଲ୍ରେ ଭିଡିଓ ତିଆରି କରିବା ଶିଖାଇବାର କୋର୍ସ ନୁହେଁ। କଣ୍ଟେଣ୍ଟ କିପରି ତିଆରି କରିବେ, ଦର୍ଶକଙ୍କ ପାଖରେ କିପରି ପହଞ୍ଚାଇବେ ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ନିଜର ବ୍ରାଣ୍ଡ କିପରି ଗଢ଼ିବେ ଏସବୁ ଉପରେ ଶିକ୍ଷା ଦିଆଯିବ। ପଡ୍କାଷ୍ଟିଂ, ଷ୍ଟୁଡିଓ ପ୍ରଡକ୍ସନ୍, ଅନ୍-କ୍ୟାମେରା ପ୍ରେଜେନ୍ସ, ଫଟୋଗ୍ରାଫି, ଭିଡିଓଗ୍ରାଫି, ଏଡିଟିଂ ଓ ସୋସିଆଲ ମିଡିଆ ରଣନୀତି ଭଳି ବିଷୟ ମଧ୍ୟ ଏଥିରେ ରହିଛି।
ଏହି ଡିଗ୍ରୀର ଏକ ବିଶେଷ ଦିଗ ହେଉଛି ଫାଇନାଲ୍ ପ୍ରୋଜେକ୍ଟ। ଛାତ୍ରଛାତ୍ରୀଙ୍କୁ ନିଜ ପସନ୍ଦର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ବାଛି କଣ୍ଟେଣ୍ଟ ତିଆରି କରିବା ସହ ଦର୍ଶକ ବଢ଼ାଇବାର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ସେମାନଙ୍କ କଣ୍ଟେଣ୍ଟର ପ୍ରଦର୍ଶନ ଓ ଅଡିଏନ୍ସ ଗ୍ରୋଥ୍କୁ ମଧ୍ୟ ମାପିବାକୁ ହେବ।
କାହିଁକି ଆରମ୍ଭ ହେଲା ଏଭଳି ଡିଗ୍ରୀ?
ଗତ କିଛି ବର୍ଷରେ କ୍ରିଏଟର ଇକୋନୋମି ବା କଣ୍ଟେଣ୍ଟ କ୍ରିଏଟର (Content Creator) ଙ୍କ ଅର୍ଥନୀତି ବହୁତ ବଢ଼ିଛି। ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଟିକ୍ଟକ୍ ଭଳି ଡିଜିଟାଲ୍ ମାଧ୍ୟମରେ କଣ୍ଟେଣ୍ଟ ତିଆରି କରିବା ଏବେ ଅନେକଙ୍କ ପାଇଁ ପେସା ହୋଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଆମେରିକୀୟ ବିଶ୍ୱବିଦ୍ୟାଳୟ କଣ୍ଟେଣ୍ଟ କ୍ରିଏସନ୍ ସମ୍ପର୍କିତ ମାଇନର୍, କୋର୍ସ ଓ ଡିଗ୍ରୀ ଆରମ୍ଭ କରିଛନ୍ତି। ସିରକ୍ୟୁଜ ୟୁନିଭର୍ସିଟି, କ୍ୱିନପିଆକ୍ ୟୁନିଭର୍ସିଟି ଓ କଲରାଡୋ ଷ୍ଟେଟ୍ ୟୁନିଭର୍ସିଟି ଭଳି ପ୍ରତିଷ୍ଠାନରେ ଏ ସମ୍ପର୍କିତ ପ୍ରୋଗ୍ରାମ୍ ରହିଛି।
ତେବେ କ’ଣ ଏହା ସହଜରେ ‘ଇନ୍ଫ୍ଲୁଏନ୍ସର’ ବନାଇଦେବ?
ବିଶେଷଜ୍ଞମାନଙ୍କ ମତରେ, କେବଳ ଡିଗ୍ରୀ ହାସଲ କଲେ କେହି ଭାଇରାଲ୍ ହୋଇଯିବେ କିମ୍ବା ନିଶ୍ଚିତ ଭାବେ ଭଲ ଆୟ କରିପାରିବେ ତାହା ନୁହେଁ। ବରଂ କଣ୍ଟେଣ୍ଟ କ୍ରିଏସନ୍ ଏକ ପ୍ରତିଯୋଗିତାମୂଳକ ଓ ଶ୍ରମସାଧ୍ୟ କ୍ଷେତ୍ର। ଅଡିଏନ୍ସ ତିଆରି କରିବା, ନେଟୱର୍କିଂ, ମାର୍କେଟିଂ ଓ ବ୍ରାଣ୍ଡ ସହ ସମ୍ପର୍କ ଗଢ଼ିବା ପାଇଁ ଦୀର୍ଘ ସମୟ ଲାଗିପାରେ।
ତେବେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏସନ୍ ଏବେ କେବଳ ସଉକ ନୁହେଁ, ବରଂ ପେସା ଭାବେ ଶିକ୍ଷା କ୍ଷେତ୍ରରେ ମଧ୍ୟ ସ୍ୱୀକୃତି ପାଉଛି। ତେବେ ଡିଗ୍ରୀ ଥିଲେ ମାତ୍ର ସଫଳତା ନିଶ୍ଚିତ ନୁହେଁ; ସୃଜନଶୀଳତା, ନିୟମିତ କାମ, ଦର୍ଶକଙ୍କୁ ବୁଝିବା ଓ ବଦଳୁଥିବା ଡିଜିଟାଲ୍ ଟ୍ରେଣ୍ଡ ସହ ଖାପ ଖୁଆଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।