International Day of the Girl Child: ଓଡ଼ିଶା ପୋଲିସର ଆହ୍ୱାନ; ଝିଅ ନୁହେଁ ପରଧନ, ଶିକ୍ଷା ଦେଇ ଗଢ଼ନ୍ତୁ ଭବିଷ୍ୟତ!
ଝିଅଙ୍କ ସୁରକ୍ଷା, ଶିକ୍ଷା ଓ ଅଧିକାରକୁ ଗୁରୁତ୍ୱ ଦେବା ସହ ବାଲ୍ୟବିବାହ ରୋକିବା ଏବଂ କନ୍ୟା ସନ୍ତାନଙ୍କୁ ସମ୍ମାନ ଦେବା ନେଇ ସଚେତନତା ବାର୍ତ୍ତା ଦେଇଛି ଓଡ଼ିଶା ପୋଲିସ। ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଜନସାଧାରଣଙ୍କୁ ଏହି ଆହ୍ୱାନ ଦିଆଯାଇଛି। ପ୍ରତ୍ୟେକ ଶିଶୁକନ୍ୟା ସୁରକ୍ଷା, ଶିକ୍ଷା, ସମ୍ମାନ ଓ ଭୟମୁକ୍ତ ଭବିଷ୍ୟତର ଅଧିକାରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଝିଅଙ୍କୁ କେବଳ ପରିବାରର ଦାୟିତ୍ୱ ନୁହେଁ, ବରଂ ସମାଜର ଅମୂଲ୍ୟ ସମ୍ପଦ ଭାବେ ଦେଖିବା ଆବଶ୍ୟକ। ସେମାନଙ୍କ ଶୈଶବକୁ ସୁରକ୍ଷିତ ରଖିବା ସହ ଶିକ୍ଷା ଓ ଉପଯୁକ୍ତ ସୁଯୋଗ ଦେଇ ଭବିଷ୍ୟତକୁ ସଶକ୍ତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏଥିସହ ବାଲ୍ୟବିବାହ, କନ୍ୟାଭ୍ରୂଣ ହତ୍ୟା ଓ ଶିଶୁଙ୍କ ଅଧିକାରର ଉଲ୍ଲଂଘନ ବିରୋଧରେ ସମସ୍ତେ ଏକାଠି ହେବାକୁ ଓଡ଼ିଶା ପୋଲିସ ଆହ୍ୱାନ ଦେଇଛି।
ଓଡ଼ିଶା ପୋଲିସ ପକ୍ଷରୁ ଝିଅଙ୍କ ଶିକ୍ଷା, ସୁରକ୍ଷା ଓ ଅଧିକାରକୁ ନେଇ ଆକର୍ଷଣୀୟ ସ୍ଲୋଗାନ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି।
• “ଝିଅ ନୁହେଁ ପରଧନ, ଅସମୟେ ବିବାହ ନକରି ଦିଅ ତାଙ୍କୁ ଶିକ୍ଷାଦାନ।”
• “ଝିଅ ପଢ଼ିଲେ ବଢ଼ିବ ମାନ, ଶିକ୍ଷାରେ ଗଢ଼ିବ ଦେଶର ସମ୍ମାନ।”
• “ଶିଶୁ କଲ୍ୟାଣ ନୁହେଁ କୌଣସି ବ୍ୟବସାୟ, ଏହା ବିରୁଦ୍ଧରେ ଏକାଠି ହେବା ହିଁ ଆମର ଦାୟିତ୍ୱ।”
• “ଗର୍ଭରେ ଥିବା ଜୀବନଟି ମାଗେ ଅଧିକାର, ଜନ୍ମ ନେବାକୁ ଦିଅ, ଏତିକି ଦାବି ତା’ର।”
ଏହି ବାର୍ତ୍ତାଗୁଡ଼ିକ ମାଧ୍ୟମରେ ଝିଅଙ୍କ ପ୍ରତି ଥିବା ଭେଦଭାବ ଦୂର କରିବା, ବାଲ୍ୟବିବାହକୁ ରୋକିବା, ଶିକ୍ଷାର ଗୁରୁତ୍ୱ ବୁଝିବା ଏବଂ ପ୍ରତ୍ୟେକ ଶିଶୁର ଜନ୍ମ ଓ ବଞ୍ଚିବାର ଅଧିକାରକୁ ସମ୍ମାନ ଦେବା ପାଇଁ ଆହ୍ୱାନ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।