Interstate Gang Steals One-Crore Trailer: ନକଲି ଚାବିରେ ୧୮ ଚକିଆ ଟ୍ରେଲର ଚୋରି; ଧରାପଡିଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲୁଟେରା
ରାଜଧାନୀରୁ କୋଟିଏ ଟଙ୍କାର ଗାଡ଼ି ଲୁଟ୍। ଚୋରଙ୍କ ଆଖି ଥିଲା ବଡ଼ ବଡ଼ ଟ୍ରେଲର୍ ଉପରେ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲର୍ ଚୋରି କରି ରାଜ୍ୟ ବାହାରକୁ ଫେରାର୍ ହେଉଥିବା ବେଳେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ୍। ସେମାନଙ୍କଠାରୁ ଟ୍ରେଲର୍ ସହ ଏକ ହାଇୱା ମଧ୍ୟ ଜବତ କରାଯାଇଛି। ସେପଟେ ସେଲ୍ଫ ଡ୍ରାଇଭ୍ ବାହାନାରେ କାର୍ ଭଡ଼ାରେ ଆଣି ପ୍ରାୟ ୩୦ଟି କାର୍ ବିକ୍ରି କରିଦେଇଥିବା ଅନ୍ୟ ଜଣେ ଠକକୁ ମଧ୍ୟ ଗିରଫ କରିଛି ପୋଲିସ୍।
୧୮ ଚକିଆ ଟ୍ରେଲରକୁ କେହି ଚୋରି କରି ନେଇଯିବ, ଆପଣ କେବେ ଭାବି ପାରୁଛନ୍ତି? କିନ୍ତୁ ଅସଲ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟ୍ରେଲରଟିକୁ ଏକ ଚୋର ଗ୍ୟାଙ୍ଗ୍ ଚୋରି କରି ନେଉଥିଲେ। ଏହାକୁ ପୋଲିସ୍ ଜବତ କରିବା ସହ ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଛି। ଗ୍ୟାଙ୍ଗର 4 ସଦସ୍ୟ ରବୀନ୍ଦ୍ର ପ୍ରଧାନ, ସତ୍ୟବାନ ସୁବୁଦ୍ଧି, ମନୋଜ ପଟ୍ଟନାୟକ ଓ ବିଶ୍ୱଜିତ ରାଉତରାୟଙ୍କୁ ଗିରଫ କରିଛି ଇନ୍ଫୋଭାଲି ପୋଲିସ୍। ଏହି ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କ ନାଁରେ ପୂର୍ବରୁ ମଧ୍ୟ ଚୋରି ମାମଲା ଥିବା ପୋଲିସ୍ ସୂଚନା ଦେଇଛି। ଗ୍ୟାଙ୍ଗ୍ ରେ ଆଉ କିଏ ସାମିଲ୍ ଅଛନ୍ତି, ସେନେଇ ତଦନ୍ତ ଚାଲିଛି।
ତେବେ ଚୋର ଗ୍ୟାଙ୍ଗ, ଏତେ ବଡ଼ ଗାଡ଼ିକୁ କିଭଳି ଚୋରି କରୁଥିଲେ? ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ି ଚୋରି ପାଇଁ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି ଲୁଟେରା। ଡୁପ୍ଲିକେଟ୍ ଚାବି ତିଆରି କରି ଗାଡ଼ିଟିକୁ ଚୋରି କରି ନେଇଥିଲେ ତିନି ଜଣ। ଏ ହେଉଛି ସେହି ସମୟର CCTV ଫୁଟେଜ୍, ଯେଉଁଠି ଅଭିଯୁକ୍ତ ଯାଇ ନକଲି ଚାବି କିଣୁଛି।
ପରେ ସେହି ଚାବିକାଠିକୁ ବ୍ୟବହାର କରି ଗାଡ଼ିକୁ ଚୋରି କରି ଫେରାର ମାରିଥିଲା। ଅଭିଯୋଗ ପରେ ଇନ୍ଫୋଭାଲି ପୋଲିସ୍ ଖୋଜାଖୋଜି ପରେ ତମାଣ୍ଡୋ କେନାଲ୍ ରୋଡ୍ ନିକଟରୁ ଚୋରି ଟ୍ରେଲରଟିକୁ ଠାବ କରିଥିଲା। ତେବେ ସେତିକି ବେଳକୁ ଗାଡ଼ିର ଚକା ଖୋଲି ଅନ୍ୟ ଏକ ହାଇୱାରେ ଲଗାଇ ଦିଆଯାଇଥିଲା। ଚୋରି ଗାଡ଼ିକୁ କବାଡ଼ିଆଙ୍କୁ ବିକ୍ରି କରିବାକୁ ଗ୍ୟାଙ୍ଗ୍ ର ଯୋଜନା ଥିଲା। ଗାଡ଼ିର ଚକା ଖୋଲିଥିବା ବ୍ୟକ୍ତିଙ୍କୁ ମଧ୍ୟ ହାଇୱା ସହ ପୋଲିସ୍ ଗିରଫ କରିଛି।
ସେପଟେ ପାହାଳ ପୋଲିସ୍ ଅନ୍ୟ ଜଣେ କୁଖ୍ୟାତ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ହେଉଛନ୍ତି ସେହି କୁଖ୍ୟାତ ଠକ ପ୍ରିୟବ୍ରତ ମହାନ୍ତି। 55 ଲକ୍ଷ ଟଙ୍କା ଠକେଇ ମାମଲାରେ ପୋଲିସ ଏ ମହାଶୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ବାବୁଙ୍କ କାରମାନା ଶୁଣିଲେ ଆପାଣ ଆଶ୍ଚର୍ଯ୍ୟ ହୋଇଯିବେ। ଲୋକଙ୍କ ଆଗରେ ନିଜକୁ ବଡ଼ ଦେଖାଇ ହେବାକୁ ପ୍ରତ୍ୟେକ ଦିନ ଦାମୀ ଗାଡ଼ି ଚଢ଼ି ଆସୁଥିଲେ। କିନ୍ତୁ ଗାଡ଼ିଗୁଡ଼ିକୁ ସେଲ୍ଫ ଡ୍ରାଇଭରୁ ଭଡ଼ାରେ ଆଣି ବାବୁ ଚଢ଼ୁଥିଲେ। କିନ୍ତୁ ଏହାରି ଭିତରେ ସେ ପାଖାପାଖି 30ଟି ସେଲ୍ଫ ଡ୍ରାଇଭ୍ କାର୍ ବିକ୍ରି କରିଦେଇଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।