Tribal Rights Take Centre Stage: ବିଶ୍ୱ ଆଦିବାସୀ ଦିବସ… ରାଜନେତାଙ୍କ ଭାଷଣବାଜି ଜୋରଦାର; ଆଦିବାସୀଙ୍କ ପାଖରେ ପହଞ୍ଚୁଛି ତ ଯୋଜନା?
ବିଶ୍ବ ଆଦିବାସୀ ଦିବସ। ଆଦିବାସୀଙ୍କ ପରମ୍ପରା, ସଂସ୍କୃତି ଓ ଅଧିକାରକୁ ନେଇ ସବୁଠି ଦିଆଯାଉଛି ବାର୍ତ୍ତା। ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିକୁ ସରକ୍ଷା ଦେବା, ସେମାନଙ୍କ ପାଖରେ ଶିକ୍ଷା-ସ୍ବାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ବିକାଶ ପହଁଚାଇବାକୁ କେତେ କଣ କାର୍ଯ୍ୟକ୍ରମ। ରାଜନେତାଙ୍କ ଭାଷଣବାଜି ବି ଜୋରଦାର। ହେଲେ ସରଳ, ନୀରିହ ଆଦିବାସୀଟି ଆଜି ବି ବିକାଶର ସେହି ଶେଷ କୋଣରେ ଅପେକ୍ଷା କରିଛି ସାମାନ୍ୟ ମୌଳିକ ଆବଶ୍ୟକତାର ପୂରଣକୁ।
ଆଦିବାସୀ ଦିବସକୁ ନେଇ ମହାଆଡମ୍ବର। କେଉଁଠି ନାଚଗୀତ... କେଉଁଠି ଉତ୍ସବ... କେଉଁଠି ଅଧିକାରର ଦାବି। ଆଉ କେଉଁଠି ଏବେ ବି ନିରବ ଜୀବନ। ଜଙ୍ଗଲ ପାହାଡ଼ ଘେରା ଉପାନ୍ତ ନିୟମଗିରିରେ ନା ଅଛି ଉତ୍ସବର କୋଳାହଳ, ନା ଆଦିବାସୀ ଦିବସକୁ ନେଇ ବିଶେଷ ଆୟୋଜନ। ଡଙ୍ଗରିଆ କନ୍ଧଙ୍କ ପାଇଁ ଆଜି ବି ଜୀବନର ମୌଳିକ ଆବଶ୍ୟକତା ହିଁ ବଡ଼ ପ୍ରଶ୍ନ। ପାହାଡ଼, ଜଙ୍ଗଲ, ଝରଣା, ଏହି ପ୍ରକୃତି ହିଁ ସେମାନଙ୍କ ଘର, ସେମାନଙ୍କ ବଜାର ଆଉ ସେମାନଙ୍କ ଜୀବନ। ଚାଷବାସ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ପାରମ୍ପରିକ ଜୀବିକା ଉପରେ ନିର୍ଭର କରି ବଂଚିଛି ଅନେକ ପରିବାର।
ଏ କାହାଣୀ କେବଳ ନିୟମଗିରିର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକାଶର ଅନ୍ଧାରରେ ଖୁନ୍ଦି ହୋଇ ରହିଥିବା ଆଦିମ ଆଦିବାସୀଙ୍କର। ଯେଉଁଠି ରାସ୍ତାଟିଏ ନାହିଁ, ଯେଉଁଠି ମାଇଲ୍ ମାଇଲ୍ ଚଢ଼ିବାକୁ ପଡ଼େ ପାହାଡ଼, ଯେଉଁଠି ଯୋଗାଯୋଗ ଏବେ ବି ଚ୍ୟାଲେଞ୍ଜ, ସେଠି ସରକାରୀ ବ୍ୟବସ୍ଥା କେତେ ପହଞ୍ଚ ଥରେ ଭାବନ୍ତୁ। ପାହାଡ଼ ଓ ଦୁର୍ଗମ ଅଞ୍ଚଳରେ ସେମିତି ବିଚ୍ଛିନ୍ନ ହୋଇ ବିତୁଛି ଜୀବନ।
ଦୁର୍ଗମ ଇଲାକାର ଏହି ପିଲାଙ୍କ ଆଖିରେ ବି ସ୍ୱପ୍ନ ଅଛି, କିନ୍ତୁ ଶିକ୍ଷାର ପହଞ୍ଚ ବଡ଼ ଚ୍ୟାଲେଞ୍ଜ। ଆଦିବାସୀଙ୍କ ହାତରେ ହୁଏତ ଆଧୁନିକ ଦୁନିଆର ସବୁ ସୁବିଧା ନାହିଁ, କିନ୍ତୁ ଅଛି ହଜାର ହଜାର ବର୍ଷର ଜ୍ଞାନ। ଜଙ୍ଗଲକୁ ସୁରକ୍ଷା ଦେବା, ପ୍ରକୃତି ସହ ସମ୍ପର୍କ ଗଢ଼ିବା, ଔଷଧୀୟ ଗଛଲତାଠାରୁ ଆରମ୍ଭ କରି ପାରମ୍ପରିକ ଚାଷ ପର୍ଯ୍ୟନ୍ତ, ପୀଢ଼ି ପରେ ପୀଢ଼ି ପ୍ରଥାକୁ ମାନି ଆସିଛନ୍ତି। କିନ୍ତୁ ସେମାନଙ୍କ ବିକାଶକୁ ନେଇ ସବୁବେଳେ ରାଜନୀତି ଓ ବୟାନବାଜି ଚାଲି ଆସିଛି। ସେମାନେ କଣ ଚାହୁଁଛନ୍ତି, ପ୍ରକୃତରେ ତାଙ୍କୁ କଣ ଦରକାର ତାହା ପଚାରୁଛି କିଏ?
୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଆଦିବାସୀ ଜନସଂଖ୍ୟା ପ୍ରାୟ ୯୫ ଲକ୍ଷ ୯୧ ହଜାର। ଅର୍ଥାତ୍ ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ। ରାଜ୍ୟରେ ଅଛନ୍ତି ୬୨ଟି ଅନୁସୂଚିତ ଜନଜାତି ସମ୍ପ୍ରଦାୟ। ସେଥିରୁ ୧୩ଟି ସମ୍ପ୍ରଦାୟକୁ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ବା PVTG ଭାବେ ଚିହ୍ନଟ କରାଯାଇଛି। ଲୋଧା, ଖଡିଆ, ମାଙ୍କଡିଆ, ଡଙ୍ଗରିଆ, ବଣ୍ଡା, ଜୁଆଙ୍ଗ, କୁଟିଆ ଏବଂ ଲାଞ୍ଜିଆ ସେ ଭିତରେ ଗୋଟିଏ ଗୋଟିଏ ଆଦିମ ଜନଜାତି।
ଏତେ ବଡ଼ ଜନସଂଖ୍ୟା, ଏତେ ସମୃଦ୍ଧ ସଂସ୍କୃତି, ତଥାପି ଅନେକଙ୍କ ପାଇଁ ଅଧିକାର ଓ ସୁଯୋଗ ଆଜି ବି ଦୂର ସ୍ୱପ୍ନ। ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ଆହୁରି ନୂଆ ନୂଆ ଯୋଡି ହେଉଛି। ସରକାରୀ ନୀତିର ଲକ୍ଷ୍ୟ ହେଉଛି ଆଦିବାସୀଙ୍କୁ ବିକାଶର ମୁଖ୍ୟଧାରାରେ ସମାନ ସୁଯୋଗ ଦେବା। କିନ୍ତୁ ପ୍ରଶ୍ନ, ସେମାନଙ୍କ ପାଇଁ ହେଉଥିବା ଯୋଜନାର ଲାଭ ଶେଷ ଲୋକଟି ପାଖରେ ପହଞ୍ଚୁଛି ତ ?
ଆଦିବାସୀ ଦିବସର ଅର୍ଥ ସେତେବେଳେ ହିଁ ସାର୍ଥକ ହେବ, ଯେତେବେଳେ ଉତ୍ସବର ଆଲୋକ, ପାହାଡ଼ର ସେହି ଶେଷ ଘରଟି ପର୍ଯ୍ୟନ୍ତ ପହଞ୍ଚିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।