Ishan Kishan Smashes Historic Double Century: ଦୁଲୀପ ଟ୍ରଫି ଫାଇନାଲରେ ଇଶାନଙ୍କ ଧମାକା, ଦ୍ୱିଶତକ ସହ ରଚିଲେ ଇତିହାସ

Sep 07, 2026 - 15:33
Ishan Kishan Smashes Historic Double Century: ଦୁଲୀପ ଟ୍ରଫି ଫାଇନାଲରେ ଇଶାନଙ୍କ ଧମାକା, ଦ୍ୱିଶତକ ସହ ରଚିଲେ ଇତିହାସ

ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟ୍‌ରୁ ବର୍ଷିଲା ରନ୍‌। ଇଷ୍ଟ ଜୋନ୍‌ର ଅଧିନାୟକ ଭାବେ ଆଗରୁ ନେତୃତ୍ୱ ଦେଇଥିବା ଇଶାନ ଏବେ ବ୍ୟାଟ୍‌ରେ ମଧ୍ୟ ଦଳକୁ ଦେଇଛନ୍ତି ବଡ଼ ଭରସା। ସାଉଥ୍ ଜୋନ୍‌ ବିପକ୍ଷରେ ଚମତ୍କାର ଦ୍ୱିଶତକ ହାସଲ କରି ଇଶାନ ଦୁଲୀପ ଟ୍ରଫି ଫାଇନାଲରେ ଏହି ସଫଳତା ପାଇଥିବା ମାତ୍ର ପଞ୍ଚମ ବ୍ୟାଟର ହୋଇଛନ୍ତି।

ରବିବାର ପ୍ରଥମ ଦିନର ଖେଳ ଶେଷ ବେଳକୁ ଶତକ ହାସଲ କରି ଅପରାଜିତ ଥିଲେ ଇଶାନ କିଶନ। ସେତେବେଳେ ତାଙ୍କ ସ୍କୋର ଥିଲା ୧୧୧ ରନ୍‌। ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ସେହି ଆକ୍ରମଣାତ୍ମକ ଅନ୍ଦାଜ ଜାରି ରଖିଲେ ଇଶାନ। ଧୈର୍ଯ୍ୟ ଓ ଆକ୍ରମଣର ସୁନ୍ଦର ସମନ୍ୱୟରେ ରନ୍‌ ସଂଗ୍ରହ କରି ଶେଷରେ ଛୁଇଁଲେ ୨୦୦ ରନ୍‌ର ମାଇଲଷ୍ଟୋନ୍‌।

ଏହି ଦ୍ୱିଶତକ ସହ ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ହାସଲ କରିଥିବା ପଞ୍ଚମ ବ୍ୟାଟର ହେଲେ ଇଶାନ। ତାଙ୍କ ପୂର୍ବରୁ ରମଣ ଲାମ୍ବା ୩୨୦, ଅଂଶୁମାନ ଗାଏକୱାଡ ୨୧୬, ଚେତେଶ୍ୱର ପୂଜାରା ଅପରାଜିତ ୨୫୬ ଏବଂ ଯଶସ୍ୱୀ ଜୈସୱାଲ ୨୦୯ ରନ୍‌ର ଇନିଂସ ଖେଳିଥିଲେ।

ପ୍ରଥମ ଦିନର ଖେଳ ଶେଷରେ ଇଷ୍ଟ ଜୋନ୍‌ ୪ ୱିକେଟ୍‌ରେ ୩୮୫ ରନ୍‌ କରିଥିଲା। ଇଶାନ ୧୧୧ ଏବଂ କୁମାର କୁଶଗ୍ର ୬୩ ରନ୍‌ରେ ଅପରାଜିତ ଥିଲେ। ମାତ୍ର ୨୬.୪ ଓଭରରେ ଦୁହେଁ ୧୪୪ ରନ୍‌ର ଅବିଭକ୍ତ ଭାଗୀଦାରି ଗଢ଼ି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।

ଦ୍ୱିତୀୟ ଦିନରେ କୁଶଗ୍ର ମଧ୍ୟ ଶତକ ପୂରଣ କରିଥିଲେ। ତେବେ ତାଙ୍କ ୱିକେଟ୍‌ ପଡ଼ିବା ପରେ ମଧ୍ୟ ଇଶାନଙ୍କ ବ୍ୟାଟ୍‌ ଥମିନଥିଲା। ବରଂ ଦଳର ଇନିଂସକୁ ଏକ ପାର୍ଶ୍ୱରୁ ଦୃଢ଼ ଭାବେ ଧରି ରଖି ଆଗକୁ ବଢ଼ିଥିଲେ ସେ।

ଇଶାନଙ୍କ ଏହି ଇନିଂସ କେବଳ ଏକ ଦ୍ୱିଶତକ ନୁହେଁ, ବରଂ ଲାଲ୍‌ ବଲ୍‌ କ୍ରିକେଟ୍‌ରେ ନିଜ ସ୍ଥାନ ପୁଣି ମଜବୁତ କରିବା ଦିଗରେ ଏକ ବଡ଼ ବାର୍ତ୍ତା। ଏହି ଇନିଂସ ସମୟରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୪ ହଜାର ରନ୍‌ ମଧ୍ୟ ପୂରଣ କରିଛନ୍ତି। ସେହିପରି ଫର୍ମାଟ୍‌ରେ ଏହା ତାଙ୍କ ୧୦ମ ଶତକ।

୧୩ ବର୍ଷ ପରେ ଦୁଲୀପ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଇଷ୍ଟ ଜୋନ୍‌ ଏବେ ଫାଇନାଲରେ ଦୃଢ଼ ସ୍ଥିତିରେ। ବୋଲରମାନେ ଯଦି ଏହି ସୁଯୋଗକୁ ଠିକ୍‌ ଭାବେ କାମରେ ଲଗାଇ ପାରନ୍ତି, ତେବେ ଟ୍ରଫି ଜିତିବା ପାଇଁ ଇଷ୍ଟ ଜୋନ୍‌କୁ ଦ୍ୱିତୀୟ ଥର ବ୍ୟାଟିଂ କରିବାକୁ ମଧ୍ୟ ନ ପଡ଼ିପାରେ।

ଇଶାନଙ୍କ ଏହି ଦ୍ୱିଶତକ ଦେଖାଇଦେଇଛି—ଚାପର ମୁହୂର୍ତ୍ତରେ ମଧ୍ୟ ବଡ଼ ଇନିଂସ ଖେଳିବାର କ୍ଷମତା ତାଙ୍କ ଭିତରେ ଏବେ ବି ଅଛି। ଫାଇନାଲ ଭଳି ବଡ଼ ମଞ୍ଚରେ ଏଭଳି ଦୀର୍ଘ ଇନିଂସ ଖେଳି ଇଶାନ ଜାତୀୟ ଚୟନକର୍ତ୍ତାଙ୍କୁ ମଧ୍ୟ ନିଜ ଲାଲ୍‌ ବଲ୍‌ କ୍ରିକେଟ୍‌ ଦାବିର ଏକ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।