ISRO Clarifies Private Sector Push: ଇସ୍ରୋକୁ ନେଇ ବଡ଼ ଖବର! ବଡ କଥା କହିଲେ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

Sep 07, 2026 - 15:54
ISRO Clarifies Private Sector Push: ଇସ୍ରୋକୁ ନେଇ ବଡ଼ ଖବର! ବଡ କଥା କହିଲେ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ଘରୋଇକରଣ କରାଯାଉନାହିଁ। ବରଂ ଦେଶର ମହାକାଶ କ୍ଷେତ୍ରକୁ ଆହୁରି ବିସ୍ତାର କରିବା ପାଇଁ ଘରୋଇ କମ୍ପାନୀଗୁଡ଼ିକୁ ସାମିଲ କରାଯାଉଛି। ଇସ୍ରୋ କର୍ମଚାରୀଙ୍କ ମନରେ ଥିବା ସମସ୍ତ ଆଶଙ୍କାର ସମାଧାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍।

ବେଙ୍ଗାଲୁରୁ ସ୍ପେସ୍ ଏକ୍ସପୋ ଅବସରରେ ଗଣମାଧ୍ୟମ ସହ କଥା ହୋଇ ଡକ୍ଟର ନାରାୟଣନ୍ କହିଛନ୍ତି, ପ୍ରାୟ ୬ ବର୍ଷ ପୂର୍ବେ ମହାକାଶ କ୍ଷେତ୍ରରେ ସଂସ୍କାର ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ଇସ୍ରୋକୁ ଦୁର୍ବଳ କରିବା ନୁହେଁ, ବରଂ ଘରୋଇ କ୍ଷେତ୍ରକୁ ସହଯୋଗ କରି ଭାରତର ସମ୍ପୂର୍ଣ୍ଣ ମହାକାଶ ଇକୋସିଷ୍ଟମକୁ ସୁଦୃଢ଼ କରିବା।

ଇସ୍ରୋ ଅଧ୍ୟକ୍ଷ କହିଛନ୍ତି, ଭାରତର ମହାକାଶ ଅଭିଯାନରେ ଘରୋଇ ଶିଳ୍ପ ସଂସ୍ଥାଗୁଡ଼ିକର ଭୂମିକା ଆଜିର ନୁହେଁ। ପିଏସ୍‌ଏଲ୍‌ଭି କିମ୍ବା ଜିଏସ୍‌ଏଲ୍‌ଭି ରକେଟ୍ ଉତକ୍ଷେପଣ ବେଳେ ସମସ୍ତ କାମ କେବଳ ଇସ୍ରୋ କରୁଛି ବୋଲି ଭାବିବା ଠିକ୍ ନୁହେଁ। ବର୍ତ୍ତମାନ ପ୍ରାୟ ୪୫୦ଟି ଭାରତୀୟ ଶିଳ୍ପ ସଂସ୍ଥା ଇସ୍ରୋ ସହ କାମ କରୁଛନ୍ତି। ଏପରିକି ରକେଟ୍ ନିର୍ମାଣ ପାଇଁ ଖର୍ଚ୍ଚ ହେଉଥିବା ବଜେଟର ପ୍ରାୟ ୮୦ ପ୍ରତିଶତ ଅର୍ଥ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ମାଧ୍ୟମରେ ବିନିଯୋଗ ହେଉଛି।

ତେବେ ଘରୋଇ କମ୍ପାନୀଙ୍କ ଭୂମିକା ବଢ଼ିବାକୁ ନେଇ ଇସ୍ରୋ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି। ଇସ୍ରୋର ଭବିଷ୍ୟତ ଭୂମିକା, କର୍ମଚାରୀଙ୍କ ସ୍ଥିତି, ନିଯୁକ୍ତି ଏବଂ ସଂସ୍ଥାର ମୂଳ ଦକ୍ଷତା ବଜାୟ ରଖିବା ନେଇ କେତେକ କର୍ମଚାରୀ ସଂଗଠନ ସରକାରଙ୍କ ନୀତି ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିବା ସୂଚନା ମିଳିଛି।

ଏହି ପ୍ରସଙ୍ଗରେ ଇସ୍ରୋ ଅଧ୍ୟକ୍ଷ ସ୍ପଷ୍ଟ କହିଛନ୍ତି, ଇସ୍ରୋର ଘରୋଇକରଣ ହେଉନାହିଁ। ଦେଶର ବଢ଼ୁଥିବା ମହାକାଶ ଆବଶ୍ୟକତା ପୂରଣ ପାଇଁ ଇସ୍ରୋ ସହ ଘରୋଇ ଶିଳ୍ପକୁ ମଧ୍ୟ ଆଗକୁ ଆସିବାକୁ ପଡ଼ିବ।

ଡକ୍ଟର ନାରାୟଣନ୍ କହିଛନ୍ତି, ଭାରତର ଆବଶ୍ୟକତା ବର୍ଷକୁ ପ୍ରାୟ ୫୦ଟି ଲଞ୍ଚ ଭେହିକଲ୍‌ରେ ପହଞ୍ଚିବ। ଏତେ ବଡ଼ ଲକ୍ଷ୍ୟ କେବଳ ଗୋଟିଏ ସଂସ୍ଥା ଦ୍ୱାରା ପୂରଣ କରିବା ସମ୍ଭବ ନୁହେଁ। ତେଣୁ ଇସ୍ରୋ ଓ ଭାରତୀୟ ଶିଳ୍ପ ସଂସ୍ଥା ମିଳିତ ଭାବେ ଏକ ବଡ଼ ମହାକାଶ ଇକୋସିଷ୍ଟମ ଗଢ଼ିବା ଆବଶ୍ୟକ।

କର୍ମଚାରୀ ସଂଗଠନ ପକ୍ଷରୁ ଲିଖିତ ସ୍ପଷ୍ଟୀକରଣ ଦାବି କରାଯାଇଥିବା ପ୍ରସଙ୍ଗରେ ସେ କହିଛନ୍ତି, ଗୋଟିଏ କିମ୍ବା ଦୁଇଟି ଗୋଷ୍ଠୀ ଚିଠି ଲେଖିଲେ ତୁରନ୍ତ ସରକାରୀ ଭାବେ ଲିଖିତ ଉତ୍ତର ଦେବା ଉଚିତ ହେବ ନାହିଁ। ତେବେ ଇସ୍ରୋର ପ୍ରାୟ ୨୦ ହଜାର କର୍ମଚାରୀଙ୍କ ସମସ୍ତ ଚିନ୍ତା ଓ ଆଶଙ୍କାକୁ ଗୁରୁତ୍ୱ ଦିଆଯିବ ଏବଂ ସେମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ।

ସାରକଥା ହେଉଛି, ଭାରତର ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଅଂଶଗ୍ରହଣ ବଢ଼ୁଥିଲେ ମଧ୍ୟ ଇସ୍ରୋର ଗୁରୁତ୍ୱ କମିବ ନାହିଁ। ଘରୋଇ କ୍ଷେତ୍ର ସହ ମିଳିତ ଭାବେ ଭାରତର ମହାକାଶ ଶକ୍ତିକୁ ଆହୁରି ବିସ୍ତାର କରିବା ହିଁ ସରକାର ଓ ଇସ୍ରୋର ମୁଖ୍ୟ ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରୋ ମୁଖ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।