Jagannath Temple Property Found In Pakistan: ପାକିସ୍ତାନରେ ମହାପ୍ରଭୁଙ୍କ ଜମି! ସିନ୍ଧରେ ସମ୍ପତ୍ତି ଥିବା ଦାବି ପରେ ବଢ଼ିଲା ରହସ୍ୟ

Sep 09, 2026 - 20:28
Jagannath Temple Property Found In Pakistan: ପାକିସ୍ତାନରେ ମହାପ୍ରଭୁଙ୍କ ଜମି! ସିନ୍ଧରେ ସମ୍ପତ୍ତି ଥିବା ଦାବି ପରେ ବଢ଼ିଲା ରହସ୍ୟ

କେବଳ ଓଡ଼ିଶା କି ଭାରତ ନୁହେଁ, ସୀମା ପାର୍ ବିଦେଶ ମାଟିରେ ବି ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଛି କାଳିଆ ସାଆନ୍ତଙ୍କ ଭୂସମ୍ପତ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଏହି ବଡ଼ ସୂଚନା ପରେ ଓଡ଼ିଶା ବାହାରେ ଓ ବିଦେଶରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ସାମ୍ନାକୁ ଆସିଛି ଏହି ବଡ଼ ତଥ୍ୟ। ପ୍ରଥମ ଥର ପାଇଁ ଏହି ତଥ୍ୟ ସାମନାକୁ ଆସିବା ପରେ ମହାପ୍ରଭୁଙ୍କ ମହିମା ବଢ଼ିବା ସହ ଜଗନ୍ନାଥପ୍ରେମୀଙ୍କ ଭିତରେ ଉତ୍ସାହ ଭରିଛି। ତେବେ ସିନ୍ଧ ପ୍ରଦେଶରେ କେଉଁଠି ଅଛି ଏହି ଜମି ? କେତେ ଓ କାହା ଦଖଲରେ ଅଛି ? କେଉଁ ରେକର୍ଡରେ ରହିଛି ମହାପ୍ରଭୁଙ୍କ ନାଁ ? କେବେଠାରୁ ଏହି ଜମି ଶ୍ରୀଜଗନ୍ନାଥଙ୍କ ନାଁରେ ରହିଛି ? ବିଭାଜନ ପୂର୍ବରୁ ଥିଲା କି ସମ୍ପତ୍ତି ? ବର୍ତ୍ତମାନ ଏହାର ସ୍ଥିତି କ’ଣ ? ଜମି ଦାନସୂତ୍ରରେ ଆସିଥିଲା କି ? ନା ଅନ୍ୟ କୌଣସି ଐତିହାସିକ ପ୍ରକ୍ରିୟାରେ ମହାପ୍ରଭୁଙ୍କ ସମ୍ପତ୍ତି ହୋଇଥିଲା ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କର ୩୬ ହଜାର ଏକର ଜମିର ରେକର୍ଡଭୁକ୍ତ ରହିଛି। ସେହିପରି ରାଜ୍ୟ ଓ ରାଜ୍ୟ ବାହାରେ ଅଛି ୫୮ ହଜାର ଏକର ଜମି। 

ଓଡ଼ିଶାର ଗାଁଠୁ ରାଜ୍ୟ ବାହାର...ଆଉ ଏବେ ବିଦେଶ ମାଟିରେ ବି ଚିହ୍ନଟ ହୋଇଛି ମହାପ୍ରଭୁଙ୍କର ଭୂସମ୍ପତ୍ତି। ସବୁଠୁ ବଡ଼ ପ୍ରଶ୍ନ ଯେଉଁ ଜମି ଭାରତରେ ଅଛି, ତାହାର ରେକର୍ଡ ଯାଞ୍ଚ, ଚିହ୍ନଟ ଓ ସେଟଲମେଣ୍ଟ କରିବା ସହଜ ହେବ। ହେଲେ ପାକିସ୍ତାନ ଭଳି ବିଦେଶ ମାଟିରେ ଥିବା ଜମିକୁ ଚିହ୍ନଟ କରାଯିବ କେମିତି ? ପ୍ରଥମ ପଦକ୍ଷେପ ହେବ ପୁରୁଣା ରେକର୍ଡ ଖୋଜିବା। ମନ୍ଦିର ରେକର୍ଡ, ପୁରୁଣା ରେଭେନ୍ୟୁ ଡକ୍ୟୁମେଣ୍ଟ, ରେଜିଷ୍ଟ୍ରି, ସେଟଲମେଣ୍ଟ ରେକର୍ଡ ଆଉ ସେତେବେଳେର ପ୍ରଶାସନିକ ଦସ୍ତାବିଜର ଖୋଳତାଡ କରାଯିବ। ଏସବୁ ତଥ୍ୟକୁ ମେଳ କରି ଜମିର ଅବସ୍ଥାନ, ପରିମାଣ ଓ ମାଲିକାନାର ଇତିହାସ ଯାଞ୍ଚ କରିବାକୁ ପଡ଼ିବ। ପାକିସ୍ତାନ ମାଟିରେ ଥିବା ଜମି ପାଇଁ ଲାଗିବ ସେଠାକାର ଆଇନ। ଅର୍ଥାତ୍ ଏଠି କେବଳ ମନ୍ଦିର ପ୍ରଶାସନର ପଦକ୍ଷେପ ଯଥେଷ୍ଟ ନୁହେଁ। ଆବଶ୍ୟକ ପଡ଼ିପାରେ ଆଇନଗତ ପ୍ରକ୍ରିୟା, ରେକର୍ଡ ଭେରିଫିକେସନ୍। ଏପରିକି କୂଟନୈତିକ ସ୍ତରର ସମନ୍ୱୟର ବି ଆବଶ୍ୟକତା ପଡ଼ିପାରେ।

ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ଚିହ୍ନଟ ଓ ସେଟଲମେଣ୍ଟ ପାଇଁ ରାଜ୍ୟ ସରକାର ଆଣିଛନ୍ତି ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ-୨୦୨୬’। ଏହି ନୂଆ ନିୟମ ବଳରେ ସମସ୍ତ ଜମିର ସର୍ଭେ, ଜବରଦଖଲମୁକ୍ତ ଓ ଆଇନଗତ ସେଟଲମେଣ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି କେବଳ ଏକ ଭୂଖଣ୍ଡ ନୁହେଁ, ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।