Jalaka River Reaches Danger Level: ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ବନ୍ୟାଜଳ, ୬.୫୦ ମିଟରରେ ପ୍ରବାହିତ

Sep 01, 2026 - 10:54
Jalaka River Reaches Danger Level: ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ବନ୍ୟାଜଳ, ୬.୫୦ ମିଟରରେ ପ୍ରବାହିତ

ବିପଦ ସଙ୍କେତ ଛୁଇଁଲା ଜଳକା । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ବିପଦ ସଙ୍କେତ ଛୁଇଁଛି। ବସ୍ତା ବ୍ଲକ୍ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ୬.୫୦ ମିଟରରେ ପହଞ୍ଚିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ଧରି ବାଲେଶ୍ୱର ସମେତ ଜଳକା ନଦୀର ଉପରମୁଣ୍ଡରେ ଥିବା ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି।

ବିଶେଷକରି ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା ଓ ଚିତ୍ରଡ଼ା ଅଞ୍ଚଳରେ ବର୍ଷା ହେଉଥିବାରୁ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବର୍ଷା ଜାରି ରହିଥିବାରୁ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ବଢ଼ିଛି। ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ବସ୍ତା ବ୍ଲକ୍ ର ଦୁଧହଂସା, ବାହାର୍ଦା, ନଟାକଟା, ବ୍ରାହ୍ମଣଦା, ମଥାନୀ, ବରୁଣଗାଡ଼ିଆ ସମେତ ପ୍ରାୟ ୧୦ଟି ପଞ୍ଚାୟତର ୫୦ଟି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଏଥିସହ ସଦର ବ୍ଲକର ଦୁଇଟି ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇପାରେ। ବନ୍ୟା ହେଲେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏପଟେ ଝାଡ଼ଖଣ୍ଡର ଗାଲୁଡିହା ବ୍ୟାରେଜର ୯ଟି ଗେଟ୍ ଖୋଲିଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ପୁଣି ବଢିବା ଆଶଙ୍କା ଦେଖାଦେଇଛି । 

  ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ବନ୍ୟାଜଳ
ବସ୍ତା ବ୍ଲକର ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର
ଜଳସ୍ତର ବୃଦ୍ଧି ପାଇ ୬.୫୦ ମିଟରରେ ପ୍ରବାହିତ
ବସ୍ତା ବ୍ଲକର ୧୦ ପଞ୍ଚାୟତ ଓ ସଦର ବ୍ଲକର ୨ ପଞ୍ଚାୟତ ପ୍ରଭାବିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।