Jr NTR Health Update: ସୁସ୍ଥ ଅଛନ୍ତି ଜୁନିୟର ଏନ୍ଟିଆର୍, ସର୍ଜରୀ ସଫଳ ପରେ ଫେରିବେ; ଫ୍ୟାନ୍ସଙ୍କୁ କହିଲେ ‘ଖୁବଶୀଘ୍ର ଦେଖା ହେବ’
ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଜୁନିୟର ଏନ୍ଟିଆର୍ଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଛି ଭଲ ଖବର। କାନ୍ଧରେ ଆଘାତ ଲାଗିବା ପରେ ବୁଧବାର ତାଙ୍କର ଆର୍ଥ୍ରୋସ୍କୋପିକ୍ ଶୋଲ୍ଡର ସର୍ଜରୀ କରାଯାଇଥିଲା। ହାଇଦ୍ରାବାଦର ସିକନ୍ଦରାବାଦସ୍ଥିତ KIMS ହସ୍ପିଟାଲରେ ଏହି ସର୍ଜରୀ ସଫଳ ହୋଇଥିବା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସର୍ଜରୀ ପରେ ନିଜେ ଦେଲେ ହେଲ୍ଥ ଅପଡେଟ୍
ସର୍ଜରୀ ସଫଳ ହେବା ପରେ ଜୁନିୟର ଏନ୍ଟିଆର୍ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସ ଓ ଶୁଭେଚ୍ଛୁମାନଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ଜଣାଇଛନ୍ତି। ସେ ନିଜ ପୋଷ୍ଟରେ ଫ୍ୟାନ୍ସଙ୍କ ଭଲପାଇବା ଓ ପ୍ରାର୍ଥନା ପାଇଁ କୃତଜ୍ଞତା ଜଣାଇଛନ୍ତି। ସର୍ଜରୀ ସଫଳ ହୋଇଛି ଏବଂ ମୁଁ ଭଲ ଅଛି। ମୋର ବନ୍ଧୁ, ପରିବାର ଓ ପ୍ରଶଂସକମାନେ, ଆପଣମାନଙ୍କ ସମର୍ଥନ ମୋତେ ପ୍ରତିଦିନ ସାହସ ଦେଇଥାଏ। ଖୁବଶୀଘ୍ର ଦେଖା ହେବ।”
ଅଭିନେତାଙ୍କ ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦେଶ-ବିଦେଶରୁ ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ଶୁଭେଚ୍ଛା ଆସୁଛି।
ଜୁନିୟର ଏନ୍ଟିଆର୍ଙ୍କ ହେଲ୍ଥ ଅପଡେଟ୍ରେ ତାଙ୍କ ଆଗାମୀ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ସର୍ଜରୀ ଭଲ ହୋଇଥିବା ଶୁଣି ଖୁସି ଲାଗିଲା। ସୁସ୍ଥ ହେବା ପାଇଁ ଯେତେ ସମୟ ଦରକାର, ସେତେ ସମୟ ନିଅ। ଆମକୁ ମିଶି ଆହୁରି ଅନେକ କିଛି କରିବାର ଅଛି। ଖୁବଶୀଘ୍ର ସେଟ୍ରେ ଦେଖା ହେବ।”
ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଲାଗିବ ୨–୩ ମାସ
ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ହେଲ୍ଥ ବୁଲେଟିନ୍ ଅନୁସାରେ, ଜୁନିୟର ଏନ୍ଟିଆର୍ଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ପ୍ରାୟ ୨ରୁ ୩ ମାସ ସମୟ ଲାଗିପାରେ। ପୂର୍ବରୁ ଶୁଟିଂ ସମୟରେ ଏନ୍ଟିଆର୍ଙ୍କ କାନ୍ଧରେ ଆଘାତ ଲାଗିବା ପରେ ତାଙ୍କୁ ୬–୮ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା।
‘ୱାର୍ ୨’ ପରେ ଏବେ ‘ଡ୍ରାଗନ୍’କୁ ଅପେକ୍ଷା
ୱର୍କ ଫ୍ରଣ୍ଟରେ, ‘ୱାର୍ ୨’ ପରେ ଜୁନିୟର ଏନ୍ଟିଆର୍ ପ୍ରଶାନ୍ତ ନୀଲ୍ଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ ‘ଡ୍ରାଗନ୍’ରେ ନଜର ଆସିବେ। ଏଥିରେ ସେ ‘ଲୁଗର୍’ ଚରିତ୍ରରେ ଅଭିନୟ କରୁଛନ୍ତି। ରୁକ୍ମିଣୀ ବସନ୍ତ, ଅନିଲ୍ କପୁର୍, ବିଜୁ ମେନନ୍ ଓ ସିଦ୍ଧାନ୍ତ ଗୁପ୍ତା ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
‘ଡ୍ରାଗନ୍’ ଫିଲ୍ମଟି ୧୧ ଜୁନ୍ ୨୦୨୭ରେ ସିନେମାହଲକୁ ଆସିବାର ଆଶା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।