Judgement: ଅଡୁଆରେ ବିଦ୍ୟାଭାରତୀ; ଅକ୍ଟୋବର ୧ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ
"କଟକ: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପ୍ରସଂଗ ନେଇ ବିଦ୍ୟାଭରତୀ ସିଆରପିସିର ଧାରା ୨୦୫ରେ ଦାୟର କରିଥିବା ଆବେଦନକୁ ଖାରଜ କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ୨୦୨୩, ଜୁନ ୨୩ ଓ ୨୦୨୪, ମାର୍ଚ୍ଚ ୧୧ରେ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି।
ଏଥି ସହିତ ଏସଡିଜେଏମ ଅଦାଲତଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
Advertisment ଅକ୍ଟୋବର ୧ ତାରିଖ ବା ଏହା ପୂର୍ବରୁ ଏସଡିଜେଏମ ଅଦାଲତରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆବଶ୍ୟକ ବେଳେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ସିଆରପିସିର ଧାରା ୨୦୫ ବା ୩୧୭ରେ ସେ ଆବେଦନ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।ଅଦାଲତରେ ହାଜର ହେଲେ ତାଙ୍କୁ ହେପାଜତକୁ ନିଆଯିବାର ଆଶଙ୍କା ରହିଛି ବୋଲି ବିଦ୍ୟାଭାରତୀଙ୍କ ତରଫରୁ ଦର୍ଶାଯାଇଥିବା ବେଳେ ସେ ଜାମିନ ପାଇଁ ଆବେଦନ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ଯଦି ଏସଡିଜେଏମ ଅଦାଲତ ଜାମିନ ଖାରଜ କରନ୍ତି ତେବେ ସେହିଦିନ ବିଦ୍ୟାଭାରତୀ ଦୌରା ଅଦାଲତରେ ଏ ନେଇ ଆବେଦନ କରିବେ।
ବିଳମ୍ବ ନ କରି ସେହିଦିନ ଦୌରା ଅଦାଲତ ଏପରି ଜାମିନ ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଆବେଦନ ଖାରଜ ହେବା ପରେ ପୂର୍ବରୁ ବିଦ୍ୟାଭାରତୀଙ୍କୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ହଟିଯାଇଛି।
ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଯଦି ପାରଳାଖେମୁଣ୍ଡି ଅଦାଲତରେ ଖାରଜ ହୁଏ ତେବେ ତତ୍କାଳୀନ ଡିଏଫଓଙ୍କ ଭଳି ତାଙ୍କୁ ଜେଲ ଯିବାକୁ ପଡ଼ିପାରେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ସୌମ୍ୟଙ୍କ ମୃତ୍ୟୁ ମାମଲାରେ ୨୦୨୬, ଜୁଲାଇ ୨୭ରେ ଏସଡିଜେଏମ ଅଦାଲତରେ ଆତ୍ମସମର୍ପଣ କରିବା ସହିତ ଜାମିନ ପାଇଁ ଆବେଦନ କରି ନିରାଶ ହେବା ପରେ ଦୌରା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।
ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ବେହେରାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।
ଶ୍ରୀ ବେହେରାଙ୍କ ଜାମିନ ଆବେଦନ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।
ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା: ହାଇକୋର୍ଟ ଗଲେ ବିଦ୍ୟାଭାରତୀ, ଡିଏଫ୍ଓ ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁଲାଇ ୧୨ ରାତିରେ ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ।
୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ, ତତ୍କାଳୀନ ଡିଏଫଓ ଓ ରୋଷେୟାଙ୍କ ସଂପୃକ୍ତି ଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା।
ତଦନ୍ତକାରୀ ସଂସ୍ଥାର ତଦନ୍ତରେ ଅସନ୍ତୋଷବ୍ୟକ୍ତ କରି ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ର ଏସଡିଜେଏମ ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ।
୨୦୨୩, ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ଏହି ପିଟିସନର ଶୁଣାଣି କରି ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ଶ୍ରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଆଇପିସିର ଦଫା ୩୦୨ ଓ ୧୨୦-ଖ"ରେ କଗନିଜାନ୍ସ ଗ୍ରହଣ କରିଥିଲେ।
ଏହି କଗନିଜାନ୍ସ ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ।
ଏହାପରେ ଏସଡିଜେଏମ ଅଦାଲତରେ ବିଚାରାଧୀନ ମୂଳ ମାମଲା ଓ ପ୍ରୋଟେଷ୍ଟ ପିଟିସନ ଆଧାରରେ ବିଚାରାଧୀନ ମାମଲାରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟାଭାରତୀ ଦାୟର କରିଥିବା ଆବେଦନ ଏସଡିଜେଏମ ଅଦାଲତରେ ଖାରଜ ହୋଇଥିଲା।
ଏପରି ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସେ ଏବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ୫୨୪ କି.ମି.
ଦୂର ପାରଳାଖେମୁଣ୍ଡିରେ ମାମଲାର ସବୁ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା କଷ୍ଟକର।
ତେଣୁ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ଦିଆଯାଉ ବୋଲି ବିଦ୍ୟାଭାରତୀଙ୍କ ତରଫରୁ ଦର୍ଶାଯାଇଥିଲା।
ଅନ୍ୟପକ୍ଷରେ ଏତଲାକାରୀ ଅଭିରାମ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ଦର୍ଶାଇଥିଲେ ଯେ ବିଦ୍ୟାଭାରତୀ ହାଜର ହେଉ ନଥିବାରୁ ପାରଳାଖମୁଣ୍ଡି ଅଦାଲତରେ ବିଚାରପ୍ରକ୍ରିୟା ଆଗେଇ ପାରୁ ନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।