Justice Gopalballav: ସରକାରଙ୍କ ଉତ୍ତରଦାୟିତ୍ବକୁ ନିଶ୍ଚିତ କରିବା ଗଣମାଧ୍ୟମର ଦାୟିତ୍ବ: ଜଷ୍ଟିସ୍ ଗୋପାଳବଲ୍ଲଭ
ଭୁବନେଶ୍ବର: ଗଣତନ୍ତ୍ର ହେଉଛି ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଦେଶବାସୀଙ୍କ ଏକ ସମୂହ ଶାସନ। ଏହି ବ୍ୟବସ୍ଥା ପାଇଁ ଗଣମାଧ୍ୟମ ହେଉଛି ଜନସାଧାରଣ ଓ ଶାସନ ବ୍ୟବସ୍ଥା ମଧ୍ୟରେ ଏକ ସେତୁ। ଏହାକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ। ଗଣତନ୍ତ୍ରର ପ୍ରଥମ ଆବଶ୍ୟକତା ହେଉଛି ଜଣେ ସଚେତନ ନାଗରିକ। ଜଣେ ନାଗରିକ ଯଦି ଦେଶର ଘଟଣାବଳୀ, ସରକାରଙ୍କ ନୀତି, ଆଇନ, ଅର୍ଥନୀତି, ସାମାଜିକ ପ୍ରସଙ୍ଗରେ ଅବଗତ ହେବ ନାହିଁ ସେ ନିଜର ଅଧିକାରକୁ କାର୍ଯ୍ୟକାରୀ କରିପାରିବ ନାହିଁ। ତେଣୁ ଏ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ। ଗଣମାଧ୍ୟମ ସମାଜରେ କ’ଣ ଘଟିଲା ତାହା କହିବା ସହିତ କାହିଁକି ଘଟିଲା ଏବଂ ସାଧାରଣ ଜନତା ପାଇଁ ଏହାର ଅର୍ଥ କ’ଣ, ପ୍ରଭାବ କ’ଣ ତାହା ଜଣାଇବା ଉଚିତ। ଏଥିସହିତ ସରକାରଙ୍କ ଉତ୍ତରଦାୟିତ୍ବକୁ ନିଶ୍ଚିତ କରିବା ମଧ୍ୟ ଗଣମାଧ୍ୟମର ଦାୟିତ୍ବ। ‘ସମ୍ବାଦ’ର ୪୨ ବର୍ଷ ଓ ‘କନକ ନ୍ୟୁଜ୍’ର ୧୭ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରି ଏହା କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ।
ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ଜଷ୍ଟିସ୍ ପଟ୍ଟନାୟକ କହିଥିଲେ, କେବଳ ନିର୍ବାଚନ ସମୟ ନୁହେଁ, ସରକାରଙ୍କ ସବୁ ସମୟର କାର୍ଯ୍ୟକଳାପ ଜନସାଧାରଣଙ୍କ ସାମନାରେ ରହିବା ଉଚିତ। ସରକାରୀ ଯୋଜନା ଠିକ୍ରେ କାମ କରୁଛି କି ନାହିଁ, ସରକାରୀ ଅର୍ଥ ଠିକ୍ରେ ଖର୍ଚ୍ଚ ହେଉଛି କି ନାହିଁ ଲୋକଙ୍କୁ ତାହା ଜଣାଇବା ସାମ୍ବାଦିକମାନଙ୍କ କାମ। ଜନମତ ଗଠନ କରିବା ମଧ୍ୟ ଗଣମାଧ୍ୟମର ଦାୟିତ୍ବ। ଗଣମାଧ୍ୟମ ଲୋକଙ୍କୁ ତଥ୍ୟ ଜାଣିବାର ସୁଯୋଗ ଦେଇଥାଏ। ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଏବଂ ସରକାରଙ୍କ ଦୁର୍ନୀତି ଓ ଅଜ୍ଞାନତାକୁ ପଦାରେ ପକାଇବା ମଧ୍ୟ ଗଣମାଧ୍ୟମର ଗୁରୁଦାୟିତ୍ବ। ଏଥିପାଇଁ ସ୍ବାଧୀନ ସାମ୍ବାଦିକତା ଦରକାର। ଗଣମାଧ୍ୟମ ଯଦି ସ୍ବାଧୀନ ହୁଏ, ନିରପେକ୍ଷ ତଥ୍ୟ ପ୍ରଦାନ କରେ ଓ ଜନସ୍ବାର୍ଥକୁ ପ୍ରାଥମିକତା ଦିଏ, ତା’ ହେଲେ ଗଣତନ୍ତ୍ର ସୁଦୃଢ ରହିବ। ଆମେ ମନେ ରଖିବା ଉଚିତ ଯଦି ଗଣମାଧ୍ୟମ ଗଣତନ୍ତ୍ରର କଣ୍ଠସ୍ବର, ସଚେତନ ନାଗରିକ ଗଣତନ୍ତ୍ରର ଶକ୍ତି, ତା’ ହେଲେ ସତ୍ୟ ଓ ଦାୟିତ୍ବଶୀଳ ସାମ୍ବାଦିକତା ହେଉଛି ଗଣତନ୍ତ୍ରର ମେରୁଦଣ୍ଡ।
ଜଷ୍ଟିସ୍ ପଟ୍ଟନାୟକ ଆହୁରି କହିଥିଲେ, ୧୯୯୫ ମସିହାରେ ସେ ସୁପ୍ରିମକୋର୍ଟର ବିଚାରପତି ହେଲେ। ୭ ବର୍ଷ ରହିଲେ। ସେହି ସମୟରେ ୩ ଜଣ ବିଚାରପତି ଓଡ଼ିଶାରୁ ଆସିଥିଲେ। ସେତେବେଳେ ତାଙ୍କର ବିଶ୍ବାସ ଆସି ଯାଇଥିଲା ଯେ ଓଡ଼ିଶାକୁ ଆଉ କେହି ଅଣଦେଖା କରିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ସାଢ଼େ ୪ ବର୍ଷ ହେଲା ଜଣେ ହେଲେ ବି କେହି ବିଚାରପତି ନାହାନ୍ତି। ଏଥିପାଇଁ କେହି କେବେ ପ୍ରତିବାଦ ବି କରିନାହାନ୍ତି। କିନ୍ତୁ ସେ ଏହା କହିଥିଲେ ଯେ ତାଙ୍କ ଜାଣିବାରେ ଯେତେବେଳେ ଜାନକୀ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଯାଇକି ଥରେ ପ୍ରଧାନ ବିଚାରପତିଙ୍କୁ ଓଡ଼ିଶାରୁ କାହିଁକି କେହି ଜଣେ ବିଚାରପତି ନାହାନ୍ତି ବୋଲି କହିଥିଲେ। ଅନ୍ୟ କେହି ମୁଖ୍ୟମନ୍ତ୍ରୀ କେବେ ଯାଇନାହାନ୍ତି ବୋଲି ସେ କହିଥିଲେ। ଓଡ଼ିଶାରେ ପ୍ରବଳ ସମ୍ପଦ ଥିବା ସତ୍ତ୍ବେ ଗରିବ କାହିଁକି ବୋଲି ଉଠୁଥିବା ପ୍ରସଙ୍ଗରେ ନ୍ୟାୟମୂର୍ତ୍ତି ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟରେ ସମ୍ପଦର ଅଭାବ ନାହିଁ। କିନ୍ତୁ ଆମେ ଉପଯୁକ୍ତ ଅଧିକାରକୁ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ଭାବେ ଉପସ୍ଥାପନ କରିପାରୁନାହିଁ।
ପଡ଼ୋଶୀ ରାଜ୍ୟଗୁଡ଼ିକ ଭଳି ଆମକୁ କାହିଁକି ବିଚାର କରାଯାଉ ନାହିଁ ବୋଲି କହିବା ସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କେନ୍ଦ୍ରରୁ ଯାହା ପାଉଛନ୍ତି ଆମେ ତାହା କିଭଳି ପାଇ ପାରୁନାହାନ୍ତି ତାହା ତୁଳନା କରିବାକୁ କହିଥିଲେ। ଆମେ ଠିକ୍ରେ ଲଢ଼େଇ କରୁନାହୁଁ। ଆଜିର ବିଶ୍ବରେ ଆପଣ ଲଢ଼େଇ ନକଲେ କୌଣସି ସ୍ଥାନରୁ କିଛି ମିଳିବ ନାହିଁ ବୋଲି ନ୍ୟାୟମୂର୍ତ୍ତି ଶ୍ରୀ ପଟ୍ଟନାୟକ କହିଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ଛାତ୍ରମାନଙ୍କୁ ନୀତି ଶାସନ ପଢ଼ାଇବା ସମୟରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଳଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଆଇନର ଅଧୀନ ବୋଲି ପଢ଼ାଉଥିଲେ। କିନ୍ତୁ ଯେତେବେଳେ ମୁଖ୍ୟ ନିର୍ବାଚନ କମିସନରଙ୍କ ପାଇଁ ଅଲଗା ଆଇନ ତିଆରି ହେଲା ସେତେବେଳେ ମନରେ ପ୍ରଶ୍ନ ଉଠିଲା- ସେ କଣ ଆମ ଜଗନ୍ନାଥଙ୍କଠାରୁ ଅଧିକ ଶକ୍ତିଶାଳୀ। ଏହି ପ୍ରଶ୍ନ ପଚାରିବା ପାଇଁ ସାହସ ଜୁଟାଇବାକୁ ସେ ଆହ୍ବାନ କରିଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ସଂସଦ ଓ ବିଧାନସଭା ଆଉ ପୂର୍ବ ଭଳି ଚାଲୁନାହିଁ। ସବୁକିଛି ଅବକ୍ଷୟମୁଖୀ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଉପରେ ଆମର ଭରସା ଥିଲା। ସୁପ୍ରିମକୋର୍ଟ ଆମର ସୁରକ୍ଷା କବଚ ହେବ ବୋଲି ଆଶା ଥିଲା। କିନ୍ତୁ ଆଜି ସୁପ୍ରିମକୋର୍ଟର ଆଚରଣକୁ ଦେଖିଲେ ତାହା ଆଉ ଦେଖା ଯାଉନାହିଁ। ଗଣମାଧ୍ୟମ ଆଜି ବିଶ୍ବାସର ସଂକଟ ଦେଇ ଗତି କରୁଛି। ସେହିଭଳି ପାର୍ଟି ବଦଳରେ ମାଟିକୁ ସର୍ବଦା ଗୁରୁତ୍ବ ଦେବାକୁ ସେ ମତ ଦେଇଥିଲେ।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, ୪୨ ବର୍ଷ ପୂର୍ବରୁ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବାକୁ ‘ସମ୍ବାଦ’ ପ୍ରୟାସ ଆରମ୍ଭ କରିଥିଲା। ୧୭ ବର୍ଷ ତଳେ ‘କନକ ନ୍ୟୁଜ୍’ ଏହାକୁ ଟିଭି ପରଦାରେ ଆଣିଥିଲା। ଆମେ ସତ କଥାକୁ ସାହସର ସହ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ। କିନ୍ତୁ ଆମ ବୃତ୍ତିକୁ ନେଇ ଏବେ ବିପଦ ସୃଷ୍ଟି ହୋଇଛି। ଗଣମାଧ୍ୟମ ଏବେ ଗଭୀର ବିଶ୍ବାସହୀନତାର ଶିକାର ହେଲାଣି। ଆମେ ଯେତେ ଉପରକୁ ଗଲେ ବି ସମୟ ଏବେ ଆସିଛି ମାଟିକୁ ଓହ୍ଲାଇବାର, ଗାଁକୁ ଯିବାର, ଲୋକଙ୍କ ପାଖକୁ ଯିବାର। ସହରର ଚାକଚକ୍ୟ ପଛରେ ନଧାଇଁ ଗାଁମୁହଁା ହେବାକୁ ପଡ଼ିବ। ଜେନ୍-ସି (ଜେନ୍ କ୍ଲାଇମେଟ୍)ଙ୍କୁ ଅଧିକ ସମୟ ଏ ପୃଥିବୀରେ ବିତାଇବାକୁ ହେବ। ତେଣୁ ଏ ପୃଥିବୀ ଓ ପ୍ରକୃତିକୁ ବଞ୍ଚାଇବାକୁ ହେବ।
‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍’ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ପାଠକ ଓ ଦର୍ଶକମାନେ ‘ସମ୍ବାଦ’ ପରିବାରକୁ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତରେ ଏକ ନମ୍ବର କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ‘ସମ୍ବାଦ’ ପରିବାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରତି ଘର ଓ ପ୍ରତି ବର୍ଗର ଲୋକଙ୍କ ସହ ଯୋଡ଼ି ହୋଇଛି। ଆଗାମୀ ଦିନରେ ଏହି ଧାରା ଜାରି ରହିବ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଅତିଥି ପରିଚୟ ଦେବା ସହ ସ୍ବାଗତ ଭାଷଣ ଦେଇ କହିଥିଲେ, ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଆରମ୍ଭ କରିଥିବା ଲଢ଼େଇକୁ ଆଗକୁ ନେବୁ। ବ୍ୟବସ୍ଥା ଯଦି େକବେ ଗଣମାଧ୍ୟମର ସ୍ବରକୁ ଚାପିବାକୁ ଚେଷ୍ଟା କରେ ଆପଣମାନେ ଚୁପ୍ ରହିବେନି, ଏ ବିଶ୍ବାସ ଆମର ଅଛି। ଆମେ ସଦାସର୍ବଦା ସତ୍ୟ ଓ ତଥ୍ୟ ସହ ରହିବୁ; ଏ କଥା ଆମେ ଦେଉଛୁ।
ଲଢ଼େଇ ନକଲେ କିଛି ମିଳିବନି, ପ୍ରଶ୍ନ ପଚାରିବା ପାଇଁ ସାହସ ଜୁଟାଇବାକୁ ପଡ଼ିବ: ସୌମ୍ୟରଂଜନ
ଏହି ଅବସରରେ ପି. ସାଇନାଥଙ୍କୁ ପ୍ରଥମ ‘ସମ୍ବାଦ ସାମ୍ବାଦିକତା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ଓ ସ୍ମାରକ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପ୍ରତିବର୍ଷ ଦେଶର ଜଣେ ଶ୍ରେଷ୍ଠ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ ବୋଲି ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ଘୋଷଣା କରିଥିଲେ। ଏହା ସହ ‘ସମ୍ବାଦ’ର ଜଗତସିଂହପୁରଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀଙ୍କୁ ‘ସମ୍ବାଦ ବେଷ୍ଟ ଫିଚର୍ ରିପୋର୍ଟିଂ’, ପୁରୀର ଫଟୋ ସାମ୍ବାଦିକ ସନ୍ତୋଷ ବରାଳଙ୍କୁ ‘ସମ୍ବାଦ ବେଷ୍ଟ ଫଟୋ’, ଝାରସୁଗୁଡ଼ା ଜିଲ୍ଲା ପ୍ରତିନିଧି ଜ୍ଞାନବ୍ରତ ଭୋଇଙ୍କୁ ‘ସମ୍ବାଦ ବେଷ୍ଟ ନ୍ୟୁଜ୍ ରିପୋର୍ଟିଂ’ ଏବଂ ଅମ୍ବିକା ପ୍ରସାଦ ଦାସଙ୍କୁ ‘କନକ ନ୍ୟୁଜ୍ ବେଷ୍ଟ ରିପୋର୍ଟ ଏବଂ ଭିଡିଓଗ୍ରାଫି’ ପୁରସ୍କାର ଦିଆଯାଇଥିଲା। ଏହି ଅବସରରେ ଅତିଥିମାନେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କକୁ ଉନ୍ମୋଚନ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଏହାସହ ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ପି.ସାଇନାଥଙ୍କ ଦୁଇଟି ପୁସ୍ତକର ଓଡ଼ିଆ ଅନୁବାଦ ‘ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ’, ‘ଅଜ୍ଞାତ ନାୟକ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ। ମଞ୍ଚରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ର ସଭାପତି ପଦ୍ମଚରଣ ନାୟକ ଏବଂ ପେନ୍ ଇନ୍ ବୁକ୍ସର ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା।
ଓଡ଼ିଆ ନିଜ ଭାଷା ପାଇଁ ଆତ୍ମବିଶ୍ବାସୀ ହୁଅନ୍ତୁ: ସାଇନାଥ, ଇତିହାସ ଓଡ଼ିଶା ପ୍ରତି ଅନ୍ୟାୟ କରିଛି
ଭୁବନେଶ୍ବର, ୪/୧୦ (ଇମିସ): ଓଡ଼ିଆ ଭାଷାରେ ବହୁତ ଉଚ୍ଚକୋଟୀର ଲେଖା ଅଛି। କିନ୍ତୁ ଦୁଃଖର ବିଷୟ ଓଡ଼ିଆ ଭାଷାର ପୁସ୍ତକ ଅନ୍ୟ ଭାଷାରେ ଅଧିକ ଅନୁବାଦ ହୋଇନି। ତାମିଲନାଡୁରେ ଲୋକମାନେ ସେମାନଙ୍କ ଭାଷାକୁ ନେଇ ଗର୍ବ କରନ୍ତି। ସେମାନଙ୍କର ତାମିଲ ଭାଷା ପ୍ରତି ଯେଉଁ ସମ୍ମାନ ଓ ଏହାକୁ ସୁରକ୍ଷା କରିବାର ମନୋଭାବ ଅଛି ତାହା ସବୁ ଭାଷାର ଲୋକଙ୍କ ରହିବା ଦରକାର। ଓଡ଼ିଶାର ଲୋକମାନେ ମଧ୍ୟ ନିଜ ଭାଷା ପାଇଁ ଗର୍ବିତ ଓ ଆତ୍ମବିଶ୍ବାସୀ ହେବା ଉଚିତ। ଓଡ଼ିଶାରେ ଅନେକଗୁଡ଼ିଏ ଆଦିବାସୀ ଭାଷା ଅଛି, ଯାହା ସମ୍ପର୍କରେ ଅନେକ ଜାଣିନାହାନ୍ତି। ସେଗୁଡ଼ିକର ପ୍ରଚାର ପ୍ରସାର ହେବା ଦରକାର। କୌଣସି ଏକ ବିଶ୍ୱବିଦ୍ୟାଳୟ ‘ବିଲୁପ୍ତପ୍ରାୟ ଭାଷା’ ପାଇଁ ଏକ ସ୍କୁଲ୍ କିମ୍ବା ବିଭାଗ ଆରମ୍ଭ କରିବା ଉଚିତ। ଆପଣଙ୍କ ଭାଷା ଆପଣଙ୍କର ସମ୍ପତ୍ତି, ଐତିହ୍ୟ। ଏହାର ସୁରକ୍ଷା ହେବା ଜରୁରି। କାରଣ ମୁଁ ଭାବୁଛି, ଦେଶରେ ଆଗକୁ ଭାଷା ପ୍ରସଙ୍ଗ ରାଜନୈତିକ ସ୍ତରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ପି. ସାଇନାଥ କହିଛନ୍ତି। ‘ସମ୍ବାଦ’ର ୪୨ ବର୍ଷ ଓ ‘କନକ ନ୍ୟୁଜ୍’ର ୧୭ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବାର୍ଷିକ ଉତ୍ସବରେ ଶ୍ରୀ ସାଇନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଓଡ଼ିଶାର ଇତିହାସ, ସ୍ବାଧୀନତା ସଂଗ୍ରାମକୁ ଇତିହାସ ବହିରେ ଯେପରି ନ୍ୟାୟ ମିଳିବା କଥା ମିଳିପାରିନି। ଇତିହାସ ବହିଗୁଡ଼ିକ ଓଡ଼ିଶା ଓ ଓଡ଼ିଶାର ଆଦିବାସୀଙ୍କ ପ୍ରତି ବହୁତ ଅନ୍ୟାୟ କରିଛନ୍ତି। ସ୍ୱାଧୀନତା ସଂଗ୍ରାମର ଇତିହାସରେ ଆଦିବାସୀମାନେ ସ୍ୱାଧୀନତା ପାଇଁ ପ୍ରଥମେ ଜୀବନ ଦେଇଥିଲେ, କିନ୍ତୁ ସ୍ୱାଧୀନତାର ଲାଭ ପାଇବାରେ ସେମାନେ ସବୁଠାରୁ ଶେଷରେ ରହିଗଲେ। ଏବେ ସମୟ ଆସିଛି ଆମକୁ ଇତିହାସରେ ହୋଇଥିବା ଭୁଲ୍କୁ ସୁଧାରିବାକୁ ହେବ। ଓଡ଼ିଶାର ଗୌରବମୟ ଇତିହାସ ସମ୍ପର୍କରେ ସମସ୍ତେ ଜାଣିବା ଦରକାର।
ସେ କହିଥିଲେ, ମୁଁ ୪୬ ବର୍ଷର ସାମ୍ବାଦିକତା ଜୀବନରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରୁ ଯେତିକି ଖବର ଓ ଫଟୋ ସଂଗ୍ରହ କରିନି, ତା’ଠାରୁ ଅଧିକ ଓଡ଼ିଶାରୁ ରିପୋର୍ଟ କରିଛି। ଓଡ଼ିଶାର ଇତିହାସ, ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଯେତିକି ଜାଣିବାକୁ ଚେଷ୍ଟା କରିଛି ସେତେ ଅଧିକ ତଥ୍ୟ ପାଇଛି। ନିଜ ସାମ୍ବାଦିକ ଓ ଲେଖକ ଜୀବନରେ ଓଡ଼ିଶାର ଭୂମିକାକୁ ବର୍ଣ୍ଣନା କରି ଶ୍ରୀ ସାଇନାଥ କହିଥିଲେ, ମୋର ଦୁଇଟି ପୁସ୍ତକ ମଧ୍ୟ ଓଡ଼ିଶା ସହିତ ଜଡ଼ିତ। ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରାଉଟ୍’ ପୁସ୍ତକରେ ଦେଶର ବିଭିନ୍ନ ରାଜ୍ୟର ୧୯ଟି ଜିଲ୍ଲାକୁ ନିଆଯାଇଛି। ପୁସ୍ତକରେ ୬୮ଟି କାହାଣୀ ରହିଛି, କିନ୍ତୁ ଏଥିରୁ ସର୍ବାଧିକ ୨୨/୨୩ଟି କାହାଣୀ ଓଡ଼ିଶା ସମ୍ପର୍କିତ। ସେହିପରି ଦେଶର ସ୍ବାଧୀନତା ସଂଗ୍ରାମୀମାନଙ୍କ ଉପରେ ରଚିତ ପୁସ୍ତକ ‘ଲାଷ୍ଟ ହିରୋଜ୍’ ଲେଖିବା ବେଳେ ବି ଅଧିକ ସ୍ବାଧୀନତା ସଂଗ୍ରାମୀ ଓଡ଼ିଶାରୁ ଥିବା ଏବଂ ବହୁ ଅନାଲୋଚିତ କାହାଣୀ ବିଷୟରେ ଜାଣିବାକୁ ପାଇଲି। ଏହା ଏପରି ଏକ ରାଜ୍ୟ, ଏଠାକୁ ଯେତେବେଳେ ଆସିଛି କିଛି ନା କିଛି ଶିଖିଛି। ଏଠାରେ ଜାଣିବାକୁ ଏତେ କିଛି ଅଛି ଯେ ଯେତେବେଳେ କୌଣସି ଘଟଣା ଦେଖେ ମୁଁ ଭାବେ ‘ମୁଁ ତ ଏହା ଜାଣିନଥିଲି’। ଓଡ଼ିଶାର କୋଣ ଅନୁକୋଣରେ କେବଳ ଖବର ହିଁ ଖବର ଅଛି।
ସେହିପରି ଓଡ଼ିଶାର ଦାଦନ ଶ୍ରମିକମାନେ କିପରି ବିଭିନ୍ନ ରାଜ୍ୟରେ କାମ କରୁଛନ୍ତି ସେ ନେଇ ବର୍ଣ୍ଣନା କରି କହିଥିଲେ, ଓଡ଼ିଶାର ଶ୍ରମିକଙ୍କ ପାଇଁ ଆଜି ଗୁଜୁରାଟ ଭଳି ଅନେକ ରାଜ୍ୟର ଅର୍ଥନୀତି ସୁଦୃଢ଼। କିନ୍ତୁ ଓଡ଼ିଆ ଶ୍ରମିକମାନେ ସରଳ ବିଶ୍ବାସୀ ହୋଇଥିବାରୁ ସେମାନଙ୍କୁ କେବେ ଉଚିତ ପ୍ରାପ୍ୟ ମିଳେନି। ଏହାସହ ସେ ଓଡ଼ିଶାର କଳାତ୍ମକ ପ୍ରତିଭାକୁ ପ୍ରଶଂସା କରି କହିଥିଲେ ଯେ ଓଡ଼ିଶାର ବୁଣାକାମ, ବୟନଶିଳ୍ପ ମୋତେ ବହୁତ ଆକର୍ଷିତ କରେ। ଓଡ଼ିଶା ଏକ ଛୋଟ ରାଜ୍ୟ ହୋଇପାରେ, କିନ୍ତୁ ଏଠାରେ ଯେଉଁ କଳାତ୍ମକ ଦକ୍ଷତା ରହିଛି ଯଥା ଚିିତ୍ରକଳା, ସମ୍ବଲପୁରୀ ବୁଣାକାମ ଏବଂ ଅନ୍ୟାନ୍ୟ ବୟନଶିଳ୍ପ ତାହା ଅତୁଳନୀୟ। ଏହାର ପ୍ରଚାର ପ୍ରସାର ପାଇଁ ଅନେକ କିଛି କରିବାକୁ ହେବ। ଶ୍ରୀ ସାଇନାଥ ତାଙ୍କ ଅଭିଭାଷଣରେ କହିଥିଲେ, ଓଡ଼ିଶାର ଇତିହାସ, ସ୍ବାଧୀନତା ସଂଗ୍ରାମ, କଳାକୃତି, ଓଡ଼ିଆଙ୍କ ଦକ୍ଷତାକୁ ନେଇ ଓଡ଼ିଶାର କାହାଣୀ ଓ ଇତିହାସରେ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କୁହାଯାଇନାହିଁ। ଏହାକୁ ଏବେ ଆମକୁ କହିବାକୁ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।