Political meeting: ରାଜନୈତିକ ବୈଠକରେ ଗୁଳି: ଯୁବକଙ୍କ ପେଟ ଚିରି ବାହାରିଗଲା
ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ରାଜନୈତିକ ବିବାଦ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି। ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡ଼ି ଗାଁ ମୁଣ୍ଡରେ ଥିବା ତ୍ରୈଲୋକ୍ୟନାଥ ମନ୍ଦିର ନିକଟରେ ଆଜି ଅପରାହ୍ଣରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବୈଠକ ଚାଲିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବୈଠକରେ ପଞ୍ଚାୟତ ରାଜନୀତିକୁ ନେଇ ଯୁକ୍ତିତର୍କରୁ କଥା କଟାକଟି ଏତେ ବଢ଼ିଗଲା ଯେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଗ୍ରାମର ବୁଲୁ ପାହାଳ ହଠାତ ରାଗ ତମତମ ହୋଇ ନିଜ ପାଖରେ ଥିବା ବନ୍ଧୁକ ବାହାର କରି ସିଧା ତୋଫାନ ପାହାଳ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ସିଧା ତୋଫାନଙ୍କ ପେଟରେ ବାଜିବା ଫଳରେ ସେ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ। ଚାରିଆଡେ ଚିତ୍କାର ଓ ଆତଙ୍କ ଖେଳିଯାଇଥିଲା l
ଗୁଳି ଶବ୍ଦ ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ତୋଫାନଙ୍କୁ ଉଦ୍ଧାର କରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଗୁଳିବିଦ୍ଧ ତୋଫାନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେଉଥିବା ଦେଖି ଡାକ୍ତର ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ଆହତ ତୋଫାନଙ୍କ ବାପା ଅଭିଯୋଗ କରିଛନ୍ତି ଯେ ବହୁ ଦିନ ଧରି ରାଜନୈତିକ ଶତ୍ରୁତା ଚାଲିଥିଲା। ଆଜି ବୈଠକରେ ବୁଲୁ ପାହାଳ ଯୋଜନା କରି ମୋ ପୁଅକୁ ଗୁଳି ମାରିଛି। ସେ ଆହୁରି କହିଛନ୍ତି, ଘଟଣା ସମୟରେ ବୁଲୁ ସହ ତାର ବଡ଼ଭାଇ ହରି ପାହାଳ ମଧ୍ୟ ସେଠାରେ ଉପସ୍ଥିତ ଥିଲା ଏବଂ ଉଭୟ ମିଶି ଏହି କାଣ୍ଡ ଘଟାଇଛନ୍ତି। ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ଘଟଣା ପରେ ଅଭିଯୁକ୍ତ ବୁଲୁ ଓ ହରି ଫେରାର ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।