Kailash Mansarovar Yatra: କୈଳାସ ଯାତ୍ରା ବନ୍ଦ କରିଥିଲା ଚୀନ୍, ପୁଣି କେମିତି ଖୋଲିଲା ପବିତ୍ର ପଥ?
"ନୂଆଦିଲ୍ଲୀ: ପ୍ରଭୁ ଶିବଙ୍କ ନିବାସସ୍ଥଳୀ...
କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର...
କୈଳାସ ମାନସରୋବର।
କିନ୍ତୁ ନେପାଳର ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପୁଣିଥରେ ଦେଖାଇଦେଇଛି ଏହି ଯାତ୍ରାର କଠିନ ଓ ବିପଦପୂର୍ଣ୍ଣ ଚିତ୍ର।
ଶିବ ଦର୍ଶନର ଆଶା ନେଇ ଘରୁ ବାହାରିଥିବା ଅନେକ ଭକ୍ତ ପ୍ରଳୟଙ୍କାରୀ ବନ୍ୟାର ଶିକାର ହୋଇଛନ୍ତି।
କେହି ନିଖୋଜ, ତ ଆଉ କେହି ଚିରଦିନ ପାଇଁ ହରାଇଛନ୍ତି ଜୀବନ।
ତଥାପି ଭକ୍ତଙ୍କ ଯାତ୍ରା ଜାରି ରହିଛି।
କିନ୍ତୁ ଏକ ସମୟ ଏମିତି ଆସିଥିଲା, ଯେତେବେଳେ ଭାରତୀୟଙ୍କ ପାଇଁ ଏହି ପବିତ୍ର ଧାମର ଦ୍ୱାର ପୂରାପୂରି ବନ୍ଦ ହୋଇଯାଇଥିଲା।
ପ୍ରାୟ ତିନି ଦଶନ୍ଧି ଧରି ଶିବଭକ୍ତମାନେ କେବଳ ସ୍ୱପ୍ନରେ କୈଳାସ ଦର୍ଶନ କରୁଥିଲେ।
ହେଲେ ଜଣେ ଭାରତୀୟ ନେତାଙ୍କ ଉଦ୍ୟମ ଓ କୂଟନୀତିକ ପଦକ୍ଷେପ ପୁଣିଥରେ ଖୋଲିଦେଇଥିଲା ଏହି ପବିତ୍ର ପଥ।
ସେ ନେତା ହେଲେ ସୁବ୍ରମଣ୍ୟମ ସ୍ୱାମୀ।
ତେବେ କେମିତି ଚୀନ୍କୁ ରାଜି କରିଥିଲେ ସେ?
କାହିଁକି ବନ୍ଦ ହୋଇଥିଲା କୈଳାସ ଯାତ୍ରା?
ଆସନ୍ତୁ ଜାଣିବା ଏହି ରୋଚକ ଓ ଐତିହାସିକ କାହାଣୀ।Advertisment ଅଧିକ ପଢନ୍ତୁ: Kailash Mansarovar: ଭିସା-ପରମିଟ୍ ନଥିଲେ କୈଳାସ ମାନସରୋବର ଯାତ୍ରା କରନ୍ତୁ ନାହିଁ: ବୈଦେଶିକ ମନ୍ତ୍ରଣାଳୟର ପକ୍ଷରୁ ଆଡଭାଇଜରି ଜାରି କୈଳାସ ମାନସରୋବର କେବଳ ଏକ ତୀର୍ଥସ୍ଥଳ ନୁହେଁ, ଏହା କୋଟି କୋଟି ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆସ୍ଥାର ପ୍ରତୀକ।
ତିବ୍ଦତରେ ଅବସ୍ଥିତ ୨୨ ହଜାର ଫୁଟ ଉଚ୍ଚ କୈଳାସ ପର୍ବତକୁ ଭଗବାନ ଶିବଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ।
ଏହାର ପାଦଦେଶରେ ରହିଛି ପବିତ୍ର ମାନସରୋବର ହ୍ରଦ, ଯାହା ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ମନାଯାଏ।
କିନ୍ତୁ ୧୯୫୦-୫୧ ମସିହାରେ ଚୀନ୍ ତିବ୍ଦତ ଦଖଲ କରିବା ପରେ ପରିସ୍ଥିତି ବଦଳିଗଲା।
ଧୀରେ ଧୀରେ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ କୈଳାସର ରାସ୍ତା ବନ୍ଦ ହୋଇଗଲା।
୧୯୬୨ର ଭାରତ-ଚୀନ୍ ଯୁଦ୍ଧ ପରେ ତ ଏହି ଯାତ୍ରା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା।
ଫଳରେ ହଜାର ହଜାର ଶିବଭକ୍ତ ନିରାଶ ହୋଇପଡ଼ିଥିଲେ।
ଏହାର ପ୍ରାୟ ଦୁଇ ଦଶନ୍ଧି ପରେ ଏହି ପ୍ରସଙ୍ଗରେ ଆଗକୁ ଆସିଥିଲେ ତତ୍କାଳୀନ ସାଂସଦ ଏବଂ ଅର୍ଥନୀତିବିଦ୍ ସୁବ୍ରମଣ୍ୟମ ସ୍ୱାମୀ।
ଚୀନ୍ ଭାଷା ଉପରେ ତାଙ୍କର ଭଲ ଦକ୍ଷତା ଥିଲା ଏବଂ ଚୀନ୍ ନେତୃତ୍ୱଙ୍କ ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ଥିଲା।
୧୯୭୮ରେ ସେ ବେଜିଂ ଯାଇ ଚୀନ୍ର ପ୍ରଭାବଶାଳୀ ନେତା ଦେଙ୍ଗ ସିଆଓପିଙ୍ଗଙ୍କ ସହ କୈଳାସ ଯାତ୍ରା ପୁନଃ ଆରମ୍ଭ କରିବା ପ୍ରସଙ୍ଗ ଉଠାଇଥିଲେ।
ପରବର୍ତ୍ତୀ କିଛି ବର୍ଷ ଧରି ଆଲୋଚନା ଓ ପ୍ରୟାସ ଚାଲିଥିଲା।
ଶେଷରେ ୧୯୮୧ରେ ଚୀନ୍ ସରକାର କୈଳାସ ମାନସରୋବର ଯାତ୍ରା ପାଇଁ ସବୁଜ ସଙ୍କେତ ଦେଇଥିଲା।
କୁହାଯାଏ, ଦେଙ୍ଗ ସିଆଓପିଙ୍ଗ ସୁବ୍ରମଣ୍ୟମ ସ୍ୱାମୀଙ୍କୁ କହିଥିଲେ “ତୁମେ ଯାହା ଚାହୁଁ, ତାହା ମାଗିପାର।” ଆଉ ସ୍ୱାମୀ କୌଣସି ବ୍ୟକ୍ତିଗତ ଲାଭ ନୁହେଁ, ବରଂ କୈଳାସ ମାନସରୋବରର ଦ୍ୱାର ଖୋଲିବାକୁ ଅନୁରୋଧ କରିଥିଲେ।
୧୯୮୧ ଜୁଲାଇରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ନେତୃତ୍ୱରେ ୬୦ ଜଣିଆ ପ୍ରଥମ ଭାରତୀୟ ତୀର୍ଥଯାତ୍ରୀ ଦଳ କୈଳାସ ଯାତ୍ରା କରିଥିଲା।
ଏହା ସହିତ ପ୍ରାୟ ୩୦ ବର୍ଷ ପରେ ପୁଣିଥରେ ଭାରତୀୟଙ୍କ ପାଇଁ ଖୋଲିଥିଲା ଶିବଙ୍କ ଦ୍ୱାର।
ଆଜି ହଜାର ହଜାର ଭକ୍ତ ଲିପୁଲେଖ ଓ ନାଥୁଲା ପାସ୍ ଦେଇ କୈଳାସ ମାନସରୋବର ଯାତ୍ରା କରୁଛନ୍ତି।
କିନ୍ତୁ ଏହି ଯାତ୍ରା ପୁନଃ ଆରମ୍ଭ ହେବା ପଛରେ ଥିବା ସୁବ୍ରମଣ୍ୟମ ସ୍ୱାମୀଙ୍କ ଭୂମିକା ଆଜି ମଧ୍ୟ ଏକ ଐତିହାସିକ ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।