Kangana Ranaut Questions Kriti Sanon's Outfit: ରାକ୍ଷୀ ବିଜ୍ଞାପନକୁ ନେଇ ବିବାଦ, କ୍ରିତି ସାନନଙ୍କୁ କଙ୍ଗନାଙ୍କ ଟାର୍ଗେଟ୍
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଏକ ଜୁଏଲେରୀ ବ୍ରାଣ୍ଡର ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ବିବାଦର କାରଣ ପାଲଟିଛି। ବିଜ୍ଞାପନରେ ଅଭିନେତ୍ରୀ କ୍ରିତି ସାନନଙ୍କ ପୋଷାକ ଓ ରାକ୍ଷୀ ବାନ୍ଧିବା ଦୃଶ୍ୟକୁ ନେଇ କିଛି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି।
ବିଜ୍ଞାପନରେ କ୍ରିତି ଅଫ୍-ହ୍ୱାଇଟ୍ ବ୍ରାଲେଟ୍ ଷ୍ଟାଇଲ୍ ବ୍ଲାଉଜ୍ ସହ କେପ୍ ଓ ଡ୍ରେପ୍ଡ ସ୍କର୍ଟ ପିନ୍ଧିଥିବା ଦେଖାଯାଇଛି। ଏହାକୁ ନେଇ କେହି କେହି ଭାରତୀୟ ପର୍ବପର୍ବାଣୀର ଗାରିମା କମାଉଥିବା ଅଭିଯୋଗ କରିଥିବା ବେଳେ, ଆଉ କିଛି ୟୁଜର୍ସ ପୋଷାକକୁ ନେଇ ଆପତ୍ତି ଜଣାଇଛନ୍ତି।
ଏହି ବିବାଦରେ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ। ଯଦିଓ ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କୃତିଙ୍କ ନାଁ ନେଇନାହାନ୍ତି, ତାଙ୍କ ମନ୍ତବ୍ୟ ଏହି ବିଜ୍ଞାପନକୁ ନେଇ ଚାଲିଥିବା ବିବାଦକୁ ଇଙ୍ଗିତ କରୁଛି।
କଙ୍ଗନା କହିଛନ୍ତି, ଆଜିର ମହିଳାଙ୍କ ପାଖରେ କକଟେଲ୍ ଡ୍ରେସ୍ଠାରୁ ଲେହେଙ୍ଗା, ଜିନ୍ସଠାରୁ ଶାଢ଼ି ଏବଂ ବିକିନିଠାରୁ ସଲୱାର କମିଜ୍ ପର୍ଯ୍ୟନ୍ତ ଅନେକ ପୋଷାକର ବିକଳ୍ପ ରହିଛି। ତେବେ ଭାଇଙ୍କୁ ରାକ୍ଷୀ ବାନ୍ଧିବା ସମୟରେ ବିକିନି ବା ଅନ୍ତଃବସ୍ତ୍ର ଭଳି ପୋଷାକ କାହିଁକି ବାଛିବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ କଙ୍ଗନା ଏହି ବିଜ୍ଞାପନକୁ ‘ଇଣ୍ଟେନ୍ସନାଲି କ୍ରିପି’ ବା ଜାଣିଶୁଣି ଅସ୍ୱସ୍ତିକର ଭାବେ ତିଆରି କରାଯାଇଥିବା ବୋଲି ମଧ୍ୟ କହିଛନ୍ତି।
କେବଳ ପୋଷାକ ନୁହେଁ, ବିଜ୍ଞାପନରେ ଏକ କୁକୁରକୁ ରାକ୍ଷୀ ବାନ୍ଧିବା ଦୃଶ୍ୟକୁ ନେଇ ମଧ୍ୟ ଅନଲାଇନରେ ପ୍ରଶ୍ନ ଉଠିଛି। ବିଜ୍ଞାପନରେ କୁକୁରଟି କ୍ରିତିଙ୍କୁ ଭୁକିବା ପରେ ସେ ତାକୁ ରାକ୍ଷୀ ବାନ୍ଧୁଥିବା ଦେଖାଯାଇଛି।
ଏପର୍ଯ୍ୟନ୍ତ କ୍ରିତି ସାନନ ଏହି ବିବାଦ କିମ୍ବା କଙ୍ଗନାଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ବିବାଦ ମଧ୍ୟରେ ସେ ନିଜ ଭଉଣୀ ନୁପୁର ସାନନ ଏବଂ ଚର୍ଚ୍ଚିତ ସାଥୀ କବୀର ବାହିଆଙ୍କ ସହ କିଛି ମଜାଦାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।