Karnataka Man Murdered in Sharjah: କାରରେ ଖଣ୍ଡବିଖଣ୍ଡିତ ମୃତଦେହ, କୁଆଡେ ଗଲେ ପତ୍ନୀ ଓ ପୁଅ? ୨ ମାସ ପରେ ବି ରହସ୍ୟଘେରରେ ହତ୍ୟାକାଣ୍ଡ

Sep 23, 2026 - 13:27
Karnataka Man Murdered in Sharjah: କାରରେ ଖଣ୍ଡବିଖଣ୍ଡିତ ମୃତଦେହ, କୁଆଡେ ଗଲେ ପତ୍ନୀ ଓ ପୁଅ? ୨ ମାସ ପରେ ବି ରହସ୍ୟଘେରରେ ହତ୍ୟାକାଣ୍ଡ

ୟୁଏଇରେ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା। ହତ୍ୟାକାଣ୍ଡର ଦୁଇ ମାସ ପରେ ଖୋଲିଲା ରହସ୍ୟ। କାରରୁ ମିଳିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ। ପରିବାର ଲୋକଙ୍କ ଅଭିଯୋଗ ପରେ ସାମନାକୁ ଆସିଲା ହତ୍ୟାକାଣ୍ଡର ଖବର। 

ସୂଚନା ମୁତାବକ, ଗତ ଜୁଲାଇ ମାସରେ ୟୁଏଇର ଶାରଜାହରେ କର୍ଣ୍ଣାଟକର ଉଡୁପି ନିବାସୀ ଅଲୱିନ ପ୍ରକାଶ କୁନ୍ଦରଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପରିବାର ପାଖରେ ଏ ନେଇ କିଛି ଖବର ନଥିଲା। କିଛି ଦିନ ଧରି ପରିବାର ଲୋକଙ୍କ ସହ ଯୋଗାଯୋଗ ନ ହେବାରୁ ତାଙ୍କ ଭାଇ ଖୋଜାଖୋଜି କରିଥିଲେ। ହେଲେ ଅଲୱିନ ପ୍ରକାଶ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ କହିଥିଲେ ଯେ, ସେ ଭାରତ ପଳାଇ ଯାଇଛନ୍ତି। ଯେତେବେଳେ କି ସେ ଭାରତ ଆସି ନଥିଲେ। ପରେ ଖୋଜାଖୋଜି କରିବା ସମୟରେ ତାଙ୍କ ମୃତଦେହ ଠାବ ହୋଇଥିଲା। ଓମାନ ଅଭିମୁଖେ ଏକ ରାସ୍ତାରେ ପାର୍କିଂରେ ଥୁଆ ହୋଇଥିବା ଏକ କାରରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା। ଦୁଇଟି ବ୍ୟାଗରେ ନଅ ଖଣ୍ଡ ପିସ୍‌ପିସ୍‌ ହୋଇ ରହିଥିଲା ତାଙ୍କ ମୃତଦେହ। ଏହି ସମୟରେ ପ୍ରକାଶଙ୍କ ପତ୍ନୀ ଟିନା କୁନ୍ଦର ଓ ପୁଅଙ୍କ ପତ୍ତା ମଧ୍ୟ ମିଳିନାହିଁ। ପ୍ରକାଶଙ୍କ ମୃତ୍ୟୁ ପରେ ଟିନା ଓ ପୁଅ ହୁଏତ ଶାରଜାହ ଛାଡି ଦେଇଥାଇପାରନ୍ତି କିମ୍ବା ଭାରତ ଫେରି ଆସିଥାଇପାରନ୍ତି।

ସୂଚନାଯୋଗ୍ୟ, ପ୍ରକାଶ ପ୍ରାୟ ୧୪ ବର୍ଷ ଧରି ଶାରଜାହ ବିମାନବନ୍ଦରରେ କାମ କରୁଥିଲେ। ସେ ତାଙ୍କ ପତ୍ନୀ ଓ ଦଶମ ଶ୍ରେଣୀର ପୁଅ ସହିତ ୟୁଏଇରେ ରହୁଥିଲେ। ଟିନା ଜଣେ ସ୍କୁଲ ଶିକ୍ଷୟିତ୍ରୀ ଭାବରେ କାମ କରୁଥିଲେ। 

ପ୍ରକାଶଙ୍କ ଭାଇ ଅନିଲ ପ୍ରଶାନ୍ତ କୁନ୍ଦର କହିଛନ୍ତି ଯେ ସେ ଜୁଲାଇ ୨୦ ରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ପ୍ରକାଶ ଫୋନ୍ ଉଠାଇ ନଥିଲେ କିନ୍ତୁ ସେ ଭଲ ଅଛନ୍ତି ବୋଲି ଏକ ମେସେଜ୍ ପଠାଇଥିଲେ। କିନ୍ତୁ ତାଙ୍କ ମେସେଜ୍ ଅସାଧାରଣ ଲାଗୁଥିଲା। କାରଣ ପ୍ରକାଶ ସାଧାରଣତଃ ଭଏସ୍ ମେସେଜ କରନ୍ତି।

ପ୍ରାୟ ଗୋଟିଏ ସପ୍ତାହ ପରେ ଅନିଲ ପୁଣି ଥରେ ଫୋନ୍ କରିବାକୁ ଚେଷ୍ଟା କଲେ, ତଥାପି ପ୍ରକାଶ କୌଣସି ଉତ୍ତର ଦେଇନଥିଲେ। ଏହା ପରେ ପ୍ରଶାନ୍ତ ଚିନ୍ତିତ ହୋଇ ଶାରଜାହରେ ପ୍ରକାଶଙ୍କ ସହପାଠୀ ମନୋହରଙ୍କ ସହିତ ଯୋଗାଯୋଗ କଲେ ଏବଂ ପ୍ରକାଶଙ୍କ ଉପସ୍ଥିତି ବିଷୟରେ ପଚାରିଥିଲେ। ତା’ପରେ ମନୋହର ପ୍ରକାଶଙ୍କ ଫ୍ଲାଟକୁ ଯାଇ ପଚାରି ବୁଝନ୍ତି ତ ଚୌକିଦାର ତାଙ୍କୁ କହିଥିଲେ ଯେ ପ୍ରକାଶ ଭାରତ ଯାଇଛନ୍ତି। କମ୍ପାନୀର ଏଚ୍‌ଆର ମଧ୍ୟ ପରିବାରକୁ କହିଥିଲେ ଯେ ସେ ଭାରତ ଯାଇଛନ୍ତି।

ପରେ ପାସପୋର୍ଟ ଯାଞ୍ଚରୁ ଜଣାପଡ଼ିଥିଲା ଯେ ପ୍ରକାଶ ଏବେ ବି ଶାରଜାହରେ ଅଛନ୍ତି। ତେଣୁ ଏକ ନିଖୋଜ ଅଭିଯୋଗ ଦାୟର କରାଯାଇଥିଲା। ଖୋଜାଖୋଜି ସମୟରେ, ପ୍ରକାଶଙ୍କ ମୃତଦେହ ଓମାନ ଅଭିମୁଖେ ଯାଉଥିବା ରାସ୍ତାରେ ପାର୍କିଂ ହୋଇଥିବା ଏକ କାର ଭିତରେ ମିଳିଥିଲା। ଏହି ଘଟଣାକୁ ଦୁଇ ମାସ ବିତିଯାଇଥିଲେ ବି ପୋଲିସ ହାତରେ କୌଣସି ସୁରାକ ଲାଗିନାହିଁ। ପ୍ରକାଶଙ୍କ ହତ୍ୟା କିପରି ହେଲା? ତାଙ୍କ ସହିତ ପତ୍ନୀଙ୍କର କିଛି ବିବାଦ ଥିଲା କି? କୁଆଡେ ଗଲେ ପ୍ରକାଶଙ୍କ ପତ୍ନୀ ଓ ପୁଅ? ଦୁଇ ମାସ ଧରି କାହିଁକି ଘଟଣା ପଦାକୁ ଆସିନଥିଲା? ଏପରି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଉଡୁପି ପୋଲିସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।