Koraput Coffee Gets Global Recognition: ବ୍ରିକ୍ସ ସମ୍ମିଳନୀରେ ମହକିଲା କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ବଡ଼ ପରିଚୟ

Sep 12, 2026 - 20:23
Koraput Coffee Gets Global Recognition: ବ୍ରିକ୍ସ ସମ୍ମିଳନୀରେ ମହକିଲା କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ବଡ଼ ପରିଚୟ

କୋରାପୁଟର ପାହାଡ଼ରୁ ସିଧା ବିଶ୍ୱ ମଞ୍ଚ। ଯେଉଁ କଫିର ସୁଗନ୍ଧ ଦିନେ କେବଳ କୋରାପୁଟରେ ସୀମିତ ଥିଲା, ଆଜି ସେହି ମହକିଛି BRICS ଶିଖର ସମ୍ମିଳନୀରେ। ବିଶ୍ୱ ନେତାଙ୍କ ସମାବେଶରେ ପହଞ୍ଚିଛି କୋରାପୁଟ କଫି। ବିଦେଶୀ ସାମ୍ବାଦିକଙ୍କ କିଟ୍ ରେ ସ୍ଥାନ ପାଇଛି ୧୫ ଶହ ପ୍ୟାକେଟ୍। ଏହା କେବଳ କଫିର ସଫଳତା ନୁହେଁ, ଏହା କୋରାପୁଟର ଚାଷୀଙ୍କ ପରିଶ୍ରମର ବିଶ୍ୱ ସ୍ୱୀକୃତି। 

ଦେଶ ବିଦେଶରୁ ଆସିଥିବା ସାମ୍ବାଦିକଙ୍କ ପାଇଁ କୋରାପୁଟ କଫି ପ୍ୟାକେଟ୍ ଦେବାପାଇଁ ଓଡିଶା ସରକାରଙ୍କୁ ଗତ ୯ ତାରିଖରେ ନିବେଦନ କରିଥିଲା ଏକ୍ସଟରନାଲ ଆଫେଏର୍ସ ବିଭାଗ। ଏ ହେଉଛି ଚେହି ଚିଠି ଯେଉଁଥିରେ ସାମ୍ବାଦିକଙ୍କୁ ସେମାନଙ୍କ କିଟରେ ଦେବାପାଇଁ ୧୫ଶହ ପ୍ୟାକେଟ୍ ଅର୍ଡର କରିଥିଲା ବୈଦେଶିକ ମନ୍ତ୍ରାଳୟ। ଭାରତ ସରକାରଙ୍କ ଅନୁରୋଧକୁ ରକ୍ଷାକରି ଗତ ୯ ତାରଖରେ ଓଡିଶାର କୋରାପୁଟରୁ ୧୫ଶହ ପ୍ୟାକେଟ୍ କଫି ପ୍ୟାକେଟ୍ ଦିଲ୍ଲୀ ପଠାଇଥିଲା ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେସନ ଅଫ ଓଡିଶା ବା TDCCOL। ଏନେଇ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠିଲେଖି କୋରାପୁଟ କଫି ଯୋଗାଇଦେବାପାଇଁ କୁହାଯାଇଥିଲା। ଏହି ଅର୍ଡର ପାଇଁ କିଭଳି ହୋଇଥିଲା ନିମନ୍ତ୍ରଣ ଆଉ କେମିତି ପଠାଯାଇଥିଲା କଫି ସେନେଇ ଯାହାଙ୍କର ମୁଖ୍ୟ ଭୂମିକା ଥିଲା ସେ ହେଲେ TDCCOL ର ପରିଚାଳକ ରାକେଶ ବିଶ୍ବାଳ। ବିଶ୍ବ ନେତୃତ୍ବଙ୍କ ଗହଣରେ କୋରାପୁଟ କଫିର ଏହି ଚାହିଦା କେବଳ ଏକ ପ୍ରଦର୍ଶନ ନୁହେଁ, ବରଂ ଆଦିବାସୀ ଅଞ୍ଚଳର ଚାଷୀଙ୍କ ପରିଶ୍ରମକୁ ମିଳିଛି ଆଉ ଏକ ସ୍ୱୀକୃତି। 

ବ୍ରିକ୍ସ ଶିଖର ସମ୍ମିଳନୀରେ ସମେବତ ହୋଇଛନ୍ତି ବିଶ୍ବର ବହୁ ବଡ଼ ବଡ଼ ନେତା । ଏହା ମାଧ୍ୟମରେ କୋରାପୁଟର କଫି ଚାଷ ଓ ସ୍ଥାନୀୟ ଉତ୍ପାଦକୁ ଆହୁରି ବଡ଼ ବଜାର ମିଳିବାର ଆଶା ସୃଷ୍ଟି ହୋଇଛି। BRICS-୨୦୨୬ରେ କୋରାପୁଟ କଫିର ଉପସ୍ଥିତି ଖୋଲିଛି ନୂଆ ସମ୍ଭାବନା । କଫି ଚାଷରୁ ଚାଷୀଙ୍କ ଜୀବିକା, ଗୁଣବତ୍ତା ବୃଦ୍ଧିରୁ ପ୍ରୋସେସିଂ ଓ ଭାଲ୍ୟୁ ଆଡିସନ୍। କୋରାପୁଟର ପରିଚୟରୁ ବ୍ରାଣ୍ଡିଂ, ଜାତୀୟ ସ୍ୱୀକୃତିରୁ ଅନ୍ତର୍ଜାତୀୟ ବଜାର । ଏହି ଯାତ୍ରା ପଛରେ ରହିଛି କଫି ଚାଷୀ, ଶ୍ରମିକ, ପ୍ରଶାସନ, ବିଭିନ୍ନ ଅନୁଷ୍ଠାନ ଓ ଗଣମାଧ୍ୟମର ସାମୂହିକ ପ୍ରୟାସ। କୋରାପୁଟ କଫିକୁ ବିଶ୍ୱ ବଜାରରେ ପହଞ୍ଚାଇବାର ଏହି ପଥରେ ଓଡ଼ିଶା ଓ ଭାରତ ସରକାରଙ୍କ ପ୍ରଶାସନିକ ସହଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ପାହାଡ଼ର ଢାଲରେ ସବୁଜିମା ଭିତରେ ହସୁଛି କଫି ଗଛ। ଗଛରେ ଝୁଲୁଛି ଲାଲ୍ ଲାଲ୍ କଫି ଫଳ। ଏହି ଫଳରୁ ପ୍ରସ୍ତୁତ ହେଉଥିବା କୋରାପୁଟ କଫି ଏବେ ହାସଲ କରିଛି ନୂଆ ପରିଚୟ। ଚାଷୀଙ୍କ ପରିଶ୍ରମ ଓ କୋରାପୁଟର ପ୍ରାକୃତିକ ପରିବେଶ ଦେଇଛି ଏହାକୁ ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ। କୋରାପୁଟର ପାହାଡ଼ରୁ ଆରମ୍ଭ ହୋଇଥିବା କଫିର ଯାତ୍ରା ଏବେ ଗ୍ଲୋବାଲ୍ ପ୍ଲାଟଫର୍ମରେ।

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନକି ବାତରେ କୋରାପୁଟ କଫିର ଚାହିଦାକୁ ନେଇ ପ୍ରଶଂସା କରିଥିଲେ । ଆଉ ଏବେ BRICS-୨୦୨୬ ସମ୍ମିଳନୀରେ ସ୍ଥାନ ପାଇବା ଆଉ ଏକ ମାଇଲଖୁଣ୍ଟ । ଆଗାମୀ ଦିନରେ କୋରାପୁଟ କଫି ଚାଷୀଙ୍କୁ ଅଧିକ ମୂଲ୍ୟ, ଅଧିକ ବଜାର ଓ ଅଧିକ ସମୃଦ୍ଧି ଦେବ। ତାହିଁ ହେବ ବଡ଼ ଲକ୍ଷ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।