Who Transported Orangutans: ବଣମଣିଷ ଚୋରା ଚାଲାଣର ରହସ୍ୟ ଭେଦୁଛି STF; ଦୀଘାର ହୋଟେଲ ଉପରେ ଖୁଫିଆ ନଜର
ବାଲେଶ୍ବର ଭୋଗରାଇରୁ ୫ ବଣମଣିଷ ଉଦ୍ଧାର ଘଟଣାରେ ଏସଟିଏଫର ନଜର ଏବେ ଦୀଘାରେ ଅଟକିଛି। ସ୍କାନରରେ ରହିଛି ଏକ ହୋଟେଲ। ଯେଉଁଠି ଓରାଙ୍ଗଉଟାନ ଚାଲାଣର ବଡ଼ ଡିଲ୍ ହୋଇଥିବା ସନ୍ଦେହ ବଢୁଛି। ସେହି ହୋଟେଲ ମାଲିକ ବାପ-ପୁଅଙ୍କୁ ନେଇ କେନ୍ଦ୍ରୀଭୂତ ହୋଇଛି ତଦନ୍ତ। ୫ ଦିନର ଛାନଭିନରେ ୧୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ ହୋଇଛି।
ସାମ୍ନାକୁ ଆସିଛି ଅନେକ ସନ୍ଦିଗ୍ଧ କାରବାରର ଫୁଟେଜ୍। ଏନେଇ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢାଉଛି ଏସଟିଏଫ। ଏପଟେ ନନ୍ଦନକାନନରେ ୫ ଓରାଙ୍ଗଉଟାନ ଛୁଆଙ୍କ ସ୍ବାସ୍ଥ୍ୟ ଉପରେ ନଜର ରହିଛି। ସେମାନଙ୍କୁ ଇଣ୍ଡୋନେସିଆ ଫେରାଇବା ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ଓରାଙ୍ଗଉଟାନ୍ ଘଟଣାରେ ମିଳିଛି ବଡ଼ ସୁରାକ ! ପଶ୍ଚିମବଙ୍ଗ ଦୀଘାରେ ଅଟକିଛି ତଦନ୍ତ ଖିଅ। ଏକ ହୋଟେଲକୁ ନେଇ ଘନୀଭୂତ ହେଉଛି ସନ୍ଦେହ। କିଏ ସେହି ଦୀଘାର ହୋଟେଲ ମାଲିକ ବାପ-ପୁଅ ? ୫ ବଣମଣିଷ ଚୋରା ଚାଲାଣରେ ତାଙ୍କର ଭୂମିକା କଣ ? ବାଲେଶ୍ବର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏବେ ପଶ୍ଚିମବଙ୍ଗ ଦୀଘାରେ ଅଟକିଛି କ୍ରାଇମବ୍ରାଞ୍ଚର ଖୁପିଆ ଆଖି। ନଜର ପକାନ୍ତୁ ଏସଟିଏଫ୍ ହାତରେ ଲାଗିଥିବା ଏ ସିସିଟିଭି ଭିଜୁଆଲ ଉପରେ। ଏ ଦୃଶ୍ୟ ୭ ତାରିଖ ରାତି ୧୦ଟା ୩୫ ପରର। ଦୀଘାର ଏଇ ହୋଟେଲ ଆଗରେ ଲାଗିଥିଲା ଦୁଇଟି କାର। ଗୋଟିଏ କଳା ରଙ୍ଗର ଏସୟୁଭି, ଆଉ ଗୋଟିଏ ଧଳା।
ଆଉ ଏ ଧଳା କାରରୁ କିଛି ବଡ଼ ବାକ୍ସ ଭଳି କିଛି ବସ୍ତୁ ହୋଟେଲ ଭିତରକୁ ନିଆଯାଉଥିବା ସ୍ପଷ୍ଟ ବାରି ହେଉଛି। କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟ ଏବେ ଏସଟିଏଫ୍ ତଦନ୍ତର ସବୁଠାରୁ ବଡ଼ କ୍ଲୁ। ବାକ୍ସ ଭିତରେ ବଣମଣିଷକୁ ଚାଲାଣ କରାଯାଉଥିଲା କି ? ସେପଟେ ଦୀଘାର ଏନ୍ୟ ଏକ ସିସିଟିଭିରେ ମଧ୍ୟ ଘଟଣାର କିଛି ସମୟ ପୂର୍ବରୁ ଦୁଇଟି ଯାକ କାର ଆଗ ପଛ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଏସଟିଏଫ୍ ଫୁଟେଜରୁ ଫୁଟେଜ୍, କାରରୁ ହୋଟେଲ୍ ଯାଏଁ ଘାଣ୍ଟୁଛି। ଏସବୁ ଭିତରେ ସଂପୃକ୍ତ ବାପ-ପୁଅଙ୍କ ଫେରାର୍ ହୋଇଥିବା କୁହାଯାଉଛି।
ଗୋଟିଏ ହୋଟେଲ୍, ଦୁଇଟି କାର୍, ଏକାଧିକ CCTV ଫୁଟେଜ୍। ଆଉ ଅନେକ ସନ୍ଦେହ। ଓରାଙ୍ଗଉଟାନ ଉଦ୍ଧାର ପରଠାରୁ ତଦନ୍ତକୁ ତ୍ବରାନ୍ବିତ କରିଛି ଏସଟିଏଫ୍। ମାତ୍ର ୫ ଦିନ ଭିତରେ ଓଡ଼ିଶା ସମେତ ଓଡ଼ିଶା ବାହାରେ ଯାଇ ୧୫୦ରୁ ଅଧିକ CCTV ଫୁଟେଜ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। ଦୀଘାରେ ହୋଟେଲ୍ କର୍ମଚାରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଅନେକଙ୍କୁ ପଚରାଉଚରା କରାଯାଇଛି।
ଏ ଘଟଣାରେ ଏସଟିଏଫ୍ କେବଳ ଏକ ମାମଲା ରୁଜୁ କରିବା ବ୍ୟତୀତ କାହାରିକୁ ଗିରଫ କିମ୍ବା ଅଟକ ରଖିନଥିବା ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି। ତେବେ ଏସଟିଏଫର ୱାଇଲ୍ଡ ଲାଇଫ୍ ତଦନ୍ତ ରେକର୍ଡ ବେଶ ଭଲ ଥିବାରୁ ଆଉ କିଛି ଦିନ ଭିତରେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର।
ଏଣେ ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କୁ ଇଣ୍ଡୋନେସିଆ ଫେରାଇ ନିଆଯିବା ପ୍ରସଙ୍ଗକୁ ନାପସନ୍ଦ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। କାରଣ ପୂର୍ବରୁ ନନ୍ଦନକାନରେ ମଧ୍ୟ ଓରାଙ୍ଗଉଟାନ ରହିଥିଲେ। ବିନି ନାମକ ଏକ ଓରାଙ୍ଗଉଟାନ ନନ୍ଦନକାନନରେ ୧୬ ବର୍ଷ ଧରି ରହିଥିଲା।
ତେଣୁ ଏ ପାଣିପାଗ ସହ ସହ ଓରାଙ୍ଗଉଟାନ ପୂର୍ବରୁ ଅଭସ୍ତ ବୋଲି ମତ ରଖିଛନ୍ତି ବିଶେଷଜ୍ଞ। ୫ ବଣମଣିଷ ଛୁଆଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟବସ୍ଥା କିଭଳି ସ୍ବଭାବିକ ହେବ, ସେ ନେଇ ସବୁ ପ୍ରକାର ଚିକିତ୍ସା ଓ ଉପାୟ ଅବଲମ୍ବନ କରାଯାଉଛି। ମ୍ୟୁଜିକ ଥେରାପିରେ ଲୋରି ଶୁଣି ବେଶ୍ ମୌଜ ମସ୍ତି କରୁଛନ୍ତି ୫ ଓରାଙ୍ଗଉଟାନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।