Koraput Lightning Strike: କାନରେ ଇଅରଫୋନ ଲଗାଇ ଶୁଣୁଥିଲେ ଗୀତ, ବଜ୍ରପାତ ନେଇଗଲା ନାବାଳକଙ୍କ ଜୀବନ
କାନରେ ଇୟରଫୋନ୍ ଲଗାଇ ଶୁଣୁଥିଲେ ଗୀତ। ଆକାଶରୁ ହଠାତ୍ ଖସିଲା ମୃତ୍ୟୁ। ଘର ଭିତରେ ଟଳି ପଡ଼ିଲେ ନାବାଳକ। ସବୁକିଛି ଠିକଠାକ୍ ଥିଲା ହେଲେ ହଠାତ୍ ମୃତ୍ୟୁ ଆସି ତାଣ୍ଡବ କରିବା ପରେ ସତେ ଯେମିତି ପରିବାରର ସବୁ କିଛି ଓଲଟାପାଲଟ ହୋଇଗଲା। କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳର ଡାରେଙ୍ଗବା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ନାବାଳକ ହେଲେ ରତୀ ସୀସା। ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ରତୀ ଘରେ ମୋବାଇଲ୍ ଚାର୍ଜରେ ବସାଇ ଇଅରଫୋନ୍ରେ ଗୀତ ଶୁଣୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ବଜ୍ରପାତ ପରେ ରତୀ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏହାପରେ ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି। ଘଟଣାକୁ ନେଇ ପରିବାର ଲୋକେ ଗଭୀର ଦୁଃଖରେ ଥିବାବେଳେ ଗାଁରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ତେବେ ନାବାଳକଙ୍କ ମୃତ୍ୟୁର ପ୍ରକୃତ କାରଣକୁ ନେଇ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ। ହେଲେ ବଜ୍ରପାତ ସମୟରେ ବିଦ୍ୟୁତ୍ ଉପକରଣ ବ୍ୟବହାର ନକରି ସତର୍କ ରହିବାର ଆବଶ୍ୟକତା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।