KV Singh Deo Warns Horticulture Officials: ବାବୁଙ୍କ ଉପରେ କେଭିଙ୍କ କ୍ଷୋଭ, ସଭାମଞ୍ଚରୁ ଉଦ୍ୟାନ କୃଷି ଅଧିକାରୀଙ୍କୁ କଡ଼ା ତାଗିଦ୍
ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ କେଭି। ମୋର ‘ଫୁଲତୋଡ଼ା ଦରକାର ନାହିଁ, ରିପୋର୍ଟ ଦରକାର’ ବୋଲି କହିଛନ୍ତି କୃଷିମନ୍ତ୍ରୀ କେଭି ସିଂହଦେଓ। ଚାଷୀମାନେ ବିଦେଶ ଗସ୍ତରେ ତାଲିମ ପାଇଁ ଯାଉଥିଲେ ବି ଗସ୍ତ ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚୁନି। ଯେଉଁ ସବୁ ଜିଲ୍ଲାର ଚାଷୀମାନେ ରାଜ୍ୟ କିମ୍ବା ଦେଶ ବାହାରକୁ ତାଲିମ ପାଇଁ ଯାଇଥିଲେ, ସେସବୁର ଟୁର୍ ରିପୋର୍ଟ ୭ ଦିନ ଭିତରେ ଦିଅ। ନଚେତ୍ ହେବ ଆକ୍ସନ। ଆଜି ସଭାମଞ୍ଚରୁ ଉଦ୍ୟାନ କୃଷି ଅଧିକାରୀମାନଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ। ଯେଉଁ ଅଧିକାରୀମାନେ ନିୟମ ମାନିବେନି ସେମାନେ ବିଦା ହୋଇ ଘରକୁ ଯିବେ ବୋଲି ସଫାସଫା ଶୁଣାଇ ଦେଇଛନ୍ତି କେଭି।
କେଭି ଆହୁରି ମଧ୍ୟ କହିଛନ୍ତି, କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ତାଲିମ ପାଇଁ ବିଦେଶକୁ ପଠାଯାଉଛି। କିନ୍ତୁ ସେମାନେ ସେଠାରୁ କଣ ଶିଖି ଆସିଲେ ତାର କୌଣସି ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚୁନି। ଟୁର୍ ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ ଆଉ କୌଣସି ଜିଲ୍ଲାର ଚାଷୀଙ୍କୁ ବାହାରକୁ ପଠାଯିବ ନାହିଁ। ଏଥିସହିତ ସେ ସଫା ସଫା ଶୁଣାଇଛନ୍ତି, ମୁଁ ଆପଣଙ୍କଠାରୁ ଫୁଲତୋଡ଼ା ନେବାକୁ ଫିଲଡକୁ ଯାଉନାହିଁ, ମୁଁ ଦେଖିବା ପାଇଁ ଯାଉଛି, ଆପଣମାନେ ପ୍ରକୃତରେ କଣ କରୁଛନ୍ତି। ସରକାରକୁ ଯଦି ଆପଣମାନେ ଅନ୍ଧାରରେ ରଖିବେ, ତେବେ ଆଶା କରିବେନି ମୁଁ ଆପଣମାନଙ୍କୁ ସପୋର୍ଟ କରିବି। ଗମେଣ୍ଟ ଏକ ରବର ଷ୍ଟାଂପ୍ ନୁହେଁ। ଏଥି ସହିତ ପ୍ରତିମାସରେ ନିର୍ଦ୍ଦେଶକମାନେ ଫିଲଡ ଭିଜିଟ୍ କରିବେ ଏବଂ ସେମାନଙ୍କ ଟୁର୍ ରିପୋର୍ଟ ମୋ ପାଖକୁ ଆସିବା ଦରକାର ବୋଲି ଜଣାଇ ଦେଇଛନ୍ତି। ସେହିପରି ଶୀତଳ ଭଣ୍ଡାର ପ୍ରସଙ୍ଗ ଉଠାଇ ଅଧିକାରୀମାନଙ୍କୁ କଡ଼ା ତାଗିଦ କରିଛନ୍ତି କେଭି। ସୂଚନା ଅନୁସାରେ ଗୋଟିଏ କୋଲ୍ଡ ଷ୍ଟୋରେଜ୍ ପ୍ରତିଷ୍ଠା ହେବାକୁ ଯାଉଛି, ବାକି ୫୭ଟିର କଣ ହେଲା ଏବଂ ଏଥିପାଇଁ କଣ କେହି ଉତ୍ତରଦାୟୀ ନୁହେଁ କି ବୋଲି କେଭି ପ୍ରଶ୍ନ କରିଥିଲେ।
ଏଠି ପ୍ରଶ୍ନ ଉଠୁଛି ସଭାମଞ୍ଚରେ କାହିଁକି ଉପମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଡ଼ା ତାଗିଦ୍ କରିବାକୁ ପଡ଼ିଲା ? ତାଲିମ ନାଁରେ ଚାଷୀମାନଙ୍କ ବିଦେଶ ଗସ୍ତ କଣ କେବଳ ସରକାରୀ ଅର୍ଥରେ ମନୋରଂଜନ ପାଇଁ ଆୟୋଜନ କରାଯାଉଛି କି ? ଯଦି ନୁହେଁ, ତାହେଲେ ଠିକ୍ ସମୟରେ କାହିଁକି ରିପୋର୍ଟ ମନ୍ତ୍ରୀଙ୍କ ପାଖରେ ପହଞ୍ଚୁ ନାହିଁ। ସେପଟେ ଉଦ୍ୟାନ କୃଷିବିଭାଗର ଅତିରିକ୍ତ ନିର୍ଦ୍ଦେଶିକା କହିଛନ୍ତି ଖୁବ୍ଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।