Who Will Become Odisha’s Next DGP: ଝୁଲିଲା ନୂଆ ଡିଜିପି ନିଷ୍ପତ୍ତି, ୧୮ ଯାଏଁ ବ୍ରେକ୍ ଲଗାଇଲେ ସୁପ୍ରିମକୋର୍ଟ
୧୮ ତାରିଖ ଯାଏଁ ଘୁଞ୍ଚିଲା ରାଜ୍ୟରେ ନୂଆ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନୂଆ ଡିଜିପିଙ୍କ ନାଁ ଘୋଷଣା ଉପରେ ଲାଗିଲା ବ୍ରେକ୍। ଆସନ୍ତା ୧୬ ତାରିଖରେ କାର୍ଯ୍ୟକାଳ ସରୁଥିବା ୱାଇ.ବି. ଖୁରାନିଆଙ୍କ ପରେ ଓଡ଼ିଶାର ପରବର୍ତ୍ତୀ ଡିଜି କିଏ ହେବେ, ସେନେଇ ଆଜି ନୂଆଦିଲ୍ଲୀରେ ୟୁପିଏସସି ପକ୍ଷରୁ ହେବାକୁ ଚୂଡ଼ାନ୍ତ ବୈଠକ ଉପରେ ଲାଗିଛି ରୋକ୍। ନୂଆ ଡିଜିପି ଚୟନ ବେଳେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦାଏର PILର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ରାଜ୍ୟରେ ଡିଜିପି ଚୟନ ପ୍ରକ୍ରିୟା ଉପରେ ବ୍ରେକ୍ ଲଗାଇଛନ୍ତି।
ୟୁପିଏସସିର ପ୍ରସ୍ତାବିତ ଚୂଡାନ୍ତ ବୈଠକକୁ ଘୁଞ୍ଚାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି ଡିଜିପି ଚୟନ ପ୍ରକ୍ରିୟାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବାରୁ ୧୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ପୋଲିସ ଡିଜି ଚୟନ ଚୂଡ଼ାନ୍ତ ନକରାଯାଉ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି ଚିଦାମ୍ବରମ ଯୁକ୍ତି ବାଢିଥିଲେ। ସେ କହିଥିଲେ ଯେ, ପ୍ରକାଶ ସିଂହ ପୋଲିସ ରିଫର୍ମ୍ସ ରାୟରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି, ଓଡ଼ିଶାରେ ପୋଲିସ ଡିଜି ଚୟନ ବେଳେ ତାର ଉଲ୍ଲଂଘନ କରାଯାଇଛି। ସୁପ୍ରିମକୋର୍ଟର ଶୁଣାଣି ପୂର୍ବରୁ ଏବଂ UPSCକୁ ପଠାଯାଇଥିବା ପ୍ୟାନେଲରେ ସାମିଲ କରିବାକୁ ତରବରିଆ ଭାବେ ଜଣେ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ସେ ଆହୁରି ଯୁକ୍ତି କରିଥିଲେ ଯେ, ଓଡ଼ିଶା ସରକାର DGP ନିଯୁକ୍ତି ସଂପର୍କରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି। ସିଲେକସନ୍ ପ୍ୟାନେଲରେ ବ୍ୟାକ୍ ଡୋରରେ ନିଜ ପସନ୍ଦର ଅଧିକାରୀଙ୍କୁ ସାମିଲ୍ କରୁଛନ୍ତି।
ଏପଟେ ଓଡ଼ିଶାରେ ଡିଜିପି ନିଯୁକ୍ତି ନେଇ କୌଣସି ବେନିୟମ କାମ ହୋଇନି କିମ୍ବା ପ୍ରକାଶ ସିଂ ଜଜମେଣ୍ଟ୍ ସର୍ତ୍ତାବଳିର ଖିଲାପ ହୋଇନି ବୋଲି ଯୁକ୍ତି ବାଢିଥିଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଆଡଭୋକେଟ୍ ଜେନରାଲ ପୀତାମ୍ବର ଆଚାର୍ଯ୍ୟ। ସେ ଏ ମାମଲାର ଆଇନଗତ ଦିଗ ଉପରେ ପ୍ରଶ୍ନ ଉଠାଇ ପ୍ରଶାସନିକ ସେବା ନିଯୁକ୍ତି କ୍ଷେତ୍ରରେ ଏକ ଜନସ୍ବାର୍ଥ ମାମଲାକୁ ଗୁରୁତ୍ବ ଦେବାର ଆବଶ୍ୟକତା ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ। ଏଜି କହିଥିଲେ ଯେ, ‘ଚାକିରି ସର୍ତ୍ତାବଳୀ ନେଇ ଆବେଦନକାରୀ ସଂପୂର୍ଣ୍ଣ ଅଜ୍ଞ’। ପରେ ପ୍ରଧାନ ବିଚାରପତି ମଧ୍ୟ ପିଆଇଏଲକୁ ନେଇ ପ୍ରଥମ ସନ୍ଦେହ ପ୍ରକାଶ କରିଥିଲେ। କାରଣ ଏ ମାମଲାରେ ସିଧାସଳଖ କୌଣସି ଆଇପିଏସ କ୍ଷତିଗ୍ରସ୍ତ ହେଉଥିବା ନେଇ କୋର୍ଟକୁ ଆସିନଥିବାରୁ ପିଆଇଲକୁ ନେଇ ସନ୍ଦେହ ବଢ଼ିଥିଲା। ଖଣ୍ଡପୀଠ ପ୍ରକାଶ ସିଂହ ମାମଲାରେ ଆମିକସ୍ କ୍ୟୁରି ଥିବା ବରିଷ୍ଠ ଓକିଲ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିଥିଲେ। ଆଉ ଆମିକସ୍ କ୍ୟୁରି ଓଡ଼ିଶାରେ ଡିଜିପି ଚୟନ ପ୍ରକ୍ରିୟାରେ ପ୍ରକାଶ ସିଂହ ନିର୍ଦ୍ଦେଶାବଳୀର ଖୋଲା ଉଲ୍ଲଂଘନ କରାଯାଇଛି ବୋଲି କହିବାରୁ ୟୁପିଏସସିର ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ ବୈଠକ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ୱାଇ. ବି. ଖୁରାନିଆଙ୍କ ପରେ ରାଜ୍ୟର ନୂଆ ପୋଲିସ୍ ମୁଖିଆ ଚୟନ ନେଇ ଗତ ୭ ତାରିଖରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍. ପି. କୋଚେଙ୍କ ନାଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସସିଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହି ତାଲିକାରେ ଆଇପିଏସ ସଂଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ସହ ସମୁଦାୟ ୧୧ ଅଫିସରଙ୍କ ନାଁ ମଧ୍ୟ ରହିଥିବା ଚର୍ଚ୍ଚା ହୋଇଥିଲା। ଏହା ଭିତରେ ଗତ ୧୦ ତାରିଖରେ ରାଜ୍ୟ ସରକାର ୧୯୯୪ ବ୍ୟାଚର ଆଇପିଏସ୍ ଅଫିସର ସଂଜୀବ ପଣ୍ଡା ଓ ଯଶବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ପରେ ମାମଲା ସୁପ୍ରିମକୋର୍ଟ ଯାଇଥିଲା ମାମଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।