Kyiv Strike Kills 15: କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ, ୧୫ ଜଣଙ୍କ ମୃତ୍ୟୁ

Aug 05, 2026 - 15:11
Kyiv Strike Kills 15: କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ, ୧୫ ଜଣଙ୍କ ମୃତ୍ୟୁ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ଭୟାବହ ରୂପ ନେଇଛି। ରୁଷ ପକ୍ଷରୁ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ବ୍ୟାପକ ମିସାଇଲ ଓ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଧ୍ୱଂସସ୍ତୂପ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ୟୁକ୍ରେନ ସରକାରଙ୍କ ସୂଚନା ଅନୁସାରେ, ରୁଷ ଏକାସାଙ୍ଗରେ ବାଲିଷ୍ଟିକ୍ ମିସାଇଲ, କ୍ରୁଜ୍ ମିସାଇଲ ଏବଂ ଡ୍ରୋନ ବ୍ୟବହାର କରି ଆକ୍ରମଣ କରିଥିଲା। ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ଡ୍ରୋନକୁ ଧ୍ୱଂସ କରିଥିଲେ ମଧ୍ୟ ବହୁ ମିସାଇଲକୁ ଅଟକାଇ ପାରିନଥିଲା। ଫଳରେ କିଭ୍ ସହରର ଗୋଦାମ, ଲଜିଷ୍ଟିକ୍ସ ହବ୍, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ ଦେଶର ଏୟାର ଡିଫେନ୍ସ ସିଷ୍ଟମ ଉପରେ ବର୍ତ୍ତମାନ ଭୟଙ୍କର ଚାପ ରହିଛି। ବିଶେଷକରି ଆମେରିକା ନିର୍ମିତ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମର ଅଭାବ ଯୋଗୁଁ ଏଭଳି ମିସାଇଲ ଆକ୍ରମଣକୁ ସଫଳ ଭାବେ ପ୍ରତିହତ କରିବା କଷ୍ଟକର ହେଉଛି। ସେ ଆନ୍ତର୍ଜାତିକ ସହଯୋଗୀ ଦେଶମାନଙ୍କୁ ଶୀଘ୍ର ଅଧିକ ଏୟାର ଡିଫେନ୍ସ ସିଷ୍ଟମ୍ସ ଯୋଗାଇବାକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଆକ୍ରମଣର ଲକ୍ଷ୍ୟ ସାମରିକ ଲଜିଷ୍ଟିକ୍ସ କେନ୍ଦ୍ର ଓ ସେନା ସମ୍ବନ୍ଧୀୟ ଭିତ୍ତିଭୂମି ଥିଲା। କିନ୍ତୁ ୟୁକ୍ରେନ କହିଛି ଯେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।