Lake Kariba Ferry Tragedy: ଲେକ୍ କାରିବାରେ ମୃତ୍ୟୁର ତାଣ୍ଡବ! ଓଲଟିଲା ଯାତ୍ରୀବାହୀ ଡଙ୍ଗା, ୧୫ ମୃତ; ୨୭ ନିଖୋଜ

Aug 12, 2026 - 14:15
Lake Kariba Ferry Tragedy: ଲେକ୍ କାରିବାରେ ମୃତ୍ୟୁର ତାଣ୍ଡବ! ଓଲଟିଲା ଯାତ୍ରୀବାହୀ ଡଙ୍ଗା, ୧୫ ମୃତ; ୨୭ ନିଖୋଜ

ଜିମ୍ବାୱେର ଲେକ୍ କାରିବାରେ ଭୟାବହ ଡଙ୍ଗା ଦୁର୍ଘଟଣା। ଅତ୍ୟଧିକ ଯାତ୍ରୀ ନେଇ ଯାଉଥିବା ଏକ ଡଙ୍ଗା ଓଲଟିଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ନିଖୋଜ ଅଛନ୍ତି। ୭୭ ଜଣଙ୍କୁ ଉଦ୍ଧାର କରାଯାଇଛି।

ଜିମ୍ବାୱେର ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଅନୁସାରେ, ଲେକ୍ କାରିବାରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର ହୋଇଥିବା ୭୭ ଜଣ ହ୍ରଦର ଏକ ଛୋଟ ଦ୍ୱୀପରେ ପହଞ୍ଚିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ଧାରକାରୀ ଡଙ୍ଗା ପଠାଯାଇଛି।

ଘଟଣାସ୍ଥଳରେ ସ୍ପିଡ୍‌ବୋଟ୍‌ ସହ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଚାଲିଛି। ନିଖୋଜଙ୍କ ସନ୍ଧାନ ପାଇଁ ଅଣ୍ଡରୱାଟର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟିମ୍‌କୁ ମଧ୍ୟ ମୁତୟନ କରାଯାଇଛି।

ଅତ୍ୟଧିକ ଯାତ୍ରୀ ନେଇ ଯାଉଥିଲା ଡଙ୍ଗା:

Civil Protection Unitର ସୂଚନା ଅନୁସାରେ, ଟିକେଟ୍‌ ରେକର୍ଡରୁ ୧୧୪ ଜଣ ବୟସ୍କ ଯାତ୍ରୀ ଓ ୫ ଜଣ କର୍ମଚାରୀ ଥିବା ନିଶ୍ଚିତ ହୋଇଛି। ତେବେ ଟିକେଟ୍‌ ବୟସ ହୋଇନଥିବା କିଛି ଶିଶୁ ମଧ୍ୟ ଡଙ୍ଗାରେ ଥାଇପାରନ୍ତି। ଡଙ୍ଗାର କ୍ଷମତା ଥିଲା ୯୦ ଜଣ, ଅର୍ଥାତ୍ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ।

ହ୍ରଦକୂଳ ଅଞ୍ଚଳର ଗ୍ରାମବାସୀମାନେ ଏହି ଡଙ୍ଗା ମାଧ୍ୟମରେ କାରିବା ସହରକୁ ଯାତାୟାତ କରନ୍ତି। ଏହି ଯାତ୍ରା ସାଧାରଣତଃ ପ୍ରାୟ ୫ ଘଣ୍ଟା ସମୟ ନେଇଥାଏ। 

ବିପର୍ଯ୍ୟୟ ଘୋଷଣା ପାଇଁ ସୁପାରିଶ:

ଦୁର୍ଘଟଣାକୁ ଆନୁଷ୍ଠାନିକ ଭାବେ ବିପର୍ଯ୍ୟୟ ଘୋଷଣା କରିବାକୁ ଜିମ୍ବାୱେର Civil Protection Unit ସୁପାରିଶ କରିଛି। ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଲେକ୍ କାରିବା ଆୟତନ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ବଡ଼ ମାନବନିର୍ମିତ ହ୍ରଦ। ଜାମ୍ବେଜି ନଦୀ ଉପରେ ବନ୍ଧ ନିର୍ମାଣ ପରେ ୧୯୫୦ ଦଶକର ଶେଷ ଓ ୧୯୬୦ ଦଶକର ଆରମ୍ଭରେ ଏହା ସୃଷ୍ଟି ହୋଇଥିଲା। ହ୍ରଦଟି ୨୦୦ କିଲୋମିଟରରୁ ଅଧିକ ଲମ୍ବା ଏବଂ କେତେକ ସ୍ଥାନରେ ୪୦ କିଲୋମିଟର ପର୍ଯ୍ୟନ୍ତ ଚଉଡ଼ା। ଜିମ୍ବାୱେ ଓ ଜାମ୍ବିଆ ମଧ୍ୟରେ ଏହି ହ୍ରଦ ବିଭକ୍ତ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।