Lashkar Terrorist Killed in Encounter: ୪ ଦିନ ଧରି ଛକାପଞ୍ଝା ପରେ ସେନା ଗୁଳିରେ ଟଳିଲା ଲସ୍କର ଆତଙ୍କୀ

Jul 08, 2026 - 12:46
Lashkar Terrorist Killed in Encounter: ୪ ଦିନ ଧରି ଛକାପଞ୍ଝା ପରେ ସେନା ଗୁଳିରେ ଟଳିଲା ଲସ୍କର ଆତଙ୍କୀ

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାରେ ପ୍ରାୟ ଚାରିରୁ ପାଞ୍ଚ ଦିନ ଧରି ଚାଲିଥିବା ଅପରେସନ ପରେ ଲଶ୍କର-ଇ-ତୈବା (LeT) ସହ ଜଡିତ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି। ଘନ ଜଙ୍ଗଲ ଓ ବଗିଚା ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରି ସୁରକ୍ଷା ବାହିନୀ ଏହି ଅପରେସନ ଚଳାଇଥିଲେ। 

ସୂଚନା ଅନୁସାରେ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ୍‌ର ମିଳିତ ଟିମ୍ ଶୋପିଆନର ଚାନପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅପରେସନ ସମୟରେ ଆତଙ୍କବାଦୀମାନେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ଖସିଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସୁରକ୍ଷା ବାହିନୀ ଖସିଯିବା ପାଇଁ ଯେତେ ରାସ୍ତା ଥିଲା, ସେ ସମସ୍ତ ରାସ୍ତାକୁ ସିଲ୍ କରି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦେଇଥିଲେ। 

ଦୀର୍ଘ ସମୟର ଅଭିଯାନ ପରେ ସୁରକ୍ଷା ବାହିନୀ ଜଣେ ଲସ୍କର-ଇ-ତୈବା ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳରୁ ଗୋଟିଏ ଅସ୍ତ୍ର ସମେତ ଗୁଳିଗୋଳା ଜବତ କରାଯାଇଛି। ଅପରେସନ ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସି ଜାରି ରହିଛି।

ସୁରକ୍ଷା ବାହିନୀ କହିଛନ୍ତି ଯେ, ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀଙ୍କ ନେଟୱର୍କକୁ ଭାଙ୍ଗିବା ପାଇଁ ଏଭଳି ଗୁଇନ୍ଦା ସୂଚନା ଆଧାରିତ ଅପରେସନ ଜାରି ରହିବ। ଶୋପିଆନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।