Life-Mantra: ଜୀବନ-ମନ୍ତ୍ର: ନବଦୁର୍ଗା କାତ୍ୟାୟନୀ
ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ପୂଜା ପାଉଥିବା ଦୁର୍ଗାଙ୍କର ବିଭିନ୍ନ ସ୍ବରୂପ ମଧ୍ୟରୁ ଷଷ୍ଠ ଦିନର ଉପାସ୍ୟା ହେଉଛନ୍ତି କାତ୍ୟାୟନୀ। ‘କାତ୍ୟାୟନୀ’ ଶବ୍ଦ ଋଷି କାତ୍ୟାୟନଙ୍କ ନାମ ସହିତ ସଂପୃକ୍ତ। ପୁରାଣ ପ୍ରସଙ୍ଗ ଅନୁସାରେ, ଋଷି କାତ୍ୟାୟନ ଏକଦା ଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ତପସ୍ୟା କରିଥିଲେ। ତାଙ୍କର ସେହି ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କ ଘରେ କନ୍ୟା ରୂପେ ଆବିର୍ଭୂତ ହୋଇଥିଲେ। ସେଥିପାଇଁ ତାଙ୍କ ନାମ ହେଲା କାତ୍ୟାୟନୀ।
Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
ସ୍ବରୂପ ବର୍ଣ୍ଣନା ଅନୁସାରେ, ମା’ କାତ୍ୟାୟନୀ ଚତୁର୍ହସ୍ତା। ତାଙ୍କର ଦୁଇ ହାତରେ ପଦ୍ମ ଓ ଖଡ଼୍ଗ ଶୋଭା ପାଉଥିବା ବେଳେ, ଅନ୍ୟ ଦୁଇ ହସ୍ତ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ। ଏହା ଯୁଗପତ୍ କରୁଣା, ଦୟା ଓ ସାହସର ପ୍ରତୀକ। ଦେବୀଙ୍କର ବାହନ ସିଂହ। ଏହା ମଧ୍ୟ ତାଙ୍କର ନିର୍ଭୀକତା, ପରାକ୍ରମ ଓ ଧର୍ମରକ୍ଷାର ସଙ୍କେତ। ଧାର୍ମିକ ବିଶ୍ବାସ ଅନୁସାରେ, ମା’ କାତ୍ୟାୟନୀଙ୍କର ପୂଜା କଲେ ଭକ୍ତଙ୍କ ମନରୁ ଭୟ ଦୂର ହୁଏ। ମନରେ ସାହସ ଓ ଆତ୍ମବିଶ୍ବାସ ଏବଂ ଜୀବନରେ ଶୁଭଫଳ ପ୍ରାପ୍ତ ହୁଏ। ‘ଶ୍ରୀମଦ୍ଭାଗବତ’ରେ ବର୍ଣ୍ଣିତ ଅଛି ଯେ ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ଦେବୀ କାତ୍ୟାୟନୀଙ୍କର ବ୍ରତ ପାଳନ କରିଥିଲେ। ‘ଭାଗବତ’ ଅନୁସାରେ କାତ୍ୟାୟନୀ ରୂପରେ ମାଆ ଅନେକ ଅସୁର ସଂହାର କରିଥିଲେ।
ମା’ କାତ୍ୟାୟନୀଙ୍କ ଆରାଧନା ଆମକୁ ଶିକ୍ଷା ଦିଏ ଯେ ଅନ୍ୟାୟ ବିରୋଧରେ ଦୃଢ଼ ଭାବରେ ଠିଆହେବା ଏବଂ ସତ୍ୟ ପଥରେ ଚାଲିବା ହିଁ ପ୍ରକୃତ ଶକ୍ତିର ପରିଚୟ। ଦେବୀ କାତ୍ୟାୟନୀଙ୍କ ସହିତ ସଂପୃକ୍ତ ଉଦ୍ଭିଦ (ଲତା) ହେଉଛି ଅମ୍ବଷ୍ଟକୀ। ଏହାର ଅନ୍ୟ ନାମ ପାଠା। ଏହାର ତନ୍ତୁରୁ ଦଉଡ଼ି ଓ ଅନ୍ୟାନ୍ୟ ତନ୍ତୁଜାତ ସାମଗ୍ରୀ ପ୍ରସ୍ତୁତ କରାଯାଏ। ମାତ୍ର ଦେବୀଙ୍କ ସହିତ ଏହା ଯୁକ୍ତ ହେବାର କାରଣ, ଆୟୁର୍ବେଦ ଦୃଷ୍ଟିରୁ ଏହା ସ୍ତ୍ରୀରୋଗ ନିବାରକ। ଏହା ମାସିକ ଧର୍ମର ଅନିୟମିତତା ଦୂର କରେ ଏବଂ ଅତ୍ୟଧିକ ଋତୁସ୍ରାବକୁ ନିୟନ୍ତ୍ରିତ କରେ। ଶ୍ବେତପ୍ରଦର ରୋଗର ଉପଚାରରେ ମଧ୍ୟ ଏହାର ଉପଯୋଗ ହୋଇଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।