Literary Climate: ସାହିତ୍ୟିକ ପାଣିପାଗ; ଆମ ସାହିତ୍ୟ: ଆଉ ବାଜୁନି ଶିଙ୍ଗା
"ଅସିତ ମହାନ୍ତି ସୁଖର କଥା, େଯ "ସମ୍ବାଦ" ସଂପାଦିକା ତନୟା ପଟ୍ଟନାୟକଙ୍କର ମାନସପୁତ୍ରୀ "ପୁନଶ୍ଚ ପୃଥିବୀ"ର ତୃତୀୟ ସଂସ୍କରଣ ଏ ଭିତରେ ସଫଳତାର ସହିତ ସମାପ୍ତ ହୋଇଯାଇଛି।
ଏ ବର୍ଷର ଏହି ସଂସ୍କରଣର ଶୁଭ ପ୍ରତୀକ ବା "ମାସ୍କଟ" ରୂପେ ଯାହାକୁ ବଛା ଯାଇଥିଲା, ତାହା ହେଉଛି-ଗୟଳ ବା "ଇଣ୍ଡିଆନ୍ ବାଇସନ୍"।
ଏହା ତାତ୍ପର୍ଯ୍ୟପୂର୍ଣ୍ଣ।Advertisment ଗୟଳକୁ ଇଂରେଜୀରେ କୁହାଯାଏ "ଗୌର୍"।
କିନ୍ତୁ ଭାରତୀୟ ଗୟଳକୁ କୁହାଯାଏ "ଇଣ୍ଡିଆନ୍ ବାଇସନ୍"।
ଏହା ଭାରତୀୟ ଉପମହାଦେଶର ଏକ ବିଶାଳ ଓ ଶକ୍ତିଶାଳୀ, ବନ୍ୟ ଗୋ-ବଂଶୀୟ ପ୍ରାଣୀ।
ଏହାର ପ୍ରାଣୀବିଜ୍ଞାନ ନାମ "ବସ୍ ପୌରୁଷ୍"।
ଏହା ପୃଥିବୀର ସବୁଠାରୁ ବଣ୍ୟ ଗୋ-ବଂଶୀୟ ପଶୁମାନଙ୍କ ମଧ୍ୟରୁ ଅନ୍ୟତମ।
ଏହି ଗୋ-ଜାତିର ପ୍ରାଣୀ ସାଧାରଣତଃ ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ, ବିଶେଷକରି ଆର୍ଦ୍ର ଓ ପତ୍ରଝଡ଼ା ଜଙ୍ଗଲରେ ବାସ କରିଥାଏ।
ଓଡ଼ିଶାର ଶିମିଳିପାଳ, କୁଲଡ଼ିହା, ହଦଗଡ଼, ଡେବ୍ରିଗଡ଼, ଓଷାକୋଠି, ସାତକୋଶିଆ, କର୍ଲାପାଟ ଓ ସୁନାବେଡ଼ା ଆଦି ଅଞ୍ଚଳରେ ଏକଦା ଏହି ବିରଳ ବନ୍ୟପ୍ରାଣୀର ଉପସ୍ଥିତି ରହିଥିଲା।
ମାତ୍ର ଏବେ କେବଳ ଡେବ୍ରିଗଡ଼ ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରୁ ଏହା କ୍ରମେ ଲୁପ୍ତ ହେବାକୁ ବସିଛି।
ଫଳରେ ଏହା ଏକ ବିପନ୍ନ ବନ୍ୟପ୍ରାଣୀ ରୂପେ ପରିଗଣିତ ହେଉଛି।
ଏପରି ନୈରାଶ୍ୟଜନକ ସ୍ଥିତିରେ କିଂଚିତ୍ ଆଶାର ସଂଚାର କରିଛି ଡେବ୍ରିଗଡ଼।
କାରଣ, ହୀରାକୁଦ ଜଳଭଣ୍ଡାର ନିକଟରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟ ଅଞ୍ଚଳରୁ ପ୍ରାପ୍ତ ଏକ ପରିସଂଖ୍ୟାନ ଅନୁସାରେ, ଗତ ନଭେମ୍ବର ୨୦୨୫ରେ ସେଠାରେ ୫୨ଟି ଗୋଠରେ ୬୫୯ଟି ଗୟଳ ଥିବାବେଳେ, ମାତ୍ର ଛଅ ମାସ ମଧ୍ୟରେ, ମେ ୨୦୨୫ ବେଳକୁ ସେହି ସଂଖ୍ୟାରେ ଆଶାଜନକ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା।
ସେତେବେଳକୁ ସେଠାରେ େଗାଠ ସଂଖ୍ୟା ୫୨ରୁ ୬୦କୁ ଏବଂ ଗୟଳଙ୍କ ସଂଖ୍ୟା ୬୫୯ରୁ ୭୮୮କୁ ବୃଦ୍ଧି ପାଇଥିଲା।
ଜାନୁଆରି ୨୦୨୬ର ପରିସଂଖ୍ୟାନ ଏହି ଆଶାକୁ ଏକ ବଡ଼ ସମ୍ଭାବନାରେ ପରିବର୍ତ୍ତିତ କରିଛି।
ସେହି ପରିସଂଖ୍ୟାନ ଅନୁସାରେ, ଗୟଳଙ୍କର ଗୋଠ ସଂଖ୍ୟା ୬୯କୁ ଏବଂ ଗୟଳଙ୍କ ସଂଖ୍ୟା ୮୪୮କୁ ବୃଦ୍ଧି ପାଇଛି।
ଏହା ଏକ ସମ୍ଭାବନାର ସଂକେତ ଏଇଥିପାଇଁ, ଯେ ପ୍ରାୟ ଏକ ବର୍ଷ ମଧ୍ୟରେ ଏହି ଅଭିବୃଦ୍ଧି ହାର ପ୍ରାୟ ୨୮ ପ୍ରତିଶତ।
ଏହି ପରିସଂଖ୍ୟାନର ଅନ୍ୟ ଏକ ସମ୍ଭାବନାମୟ ଦିଗ ହେଉଛି- ଏହି ମୋଟ ୮୪୮ଟି ଗୟଳଙ୍କ ମଧ୍ୟରୁ ୨୩୫ଟି ଦୁଇ ବର୍ଷରୁ କମ୍ ବୟସର।
ଏହି ଶାବକଙ୍କ ସଂଖ୍ୟା ସୂଚିତ କରେ, ଯେ ଏଠାରେ ଗୟଳଙ୍କର ପ୍ରଜନନ ହାର ଏକ ଉଜ୍ଜ୍ବଳ ସମ୍ଭାବନାର ସ୍ପଷ୍ଟ ସଂକେତ।
ଏହି ପରିପ୍ରେକ୍ଷୀରେ ଆମେ ଆମ ସାହିତ୍ୟକୁ ଆସିଲେ କିନ୍ତୁ ଘୋର ନୈରାଶ୍ୟର ସାମ୍ନା କରୁ।
ଆମ ସାଂସ୍କୃତିକ ପରିସରରେ ମଧ୍ୟ ଏହି ନୈରାଶ୍ୟ ପରିଲକ୍ଷିତ।
ଏହାର କାରଣ, ଏକଦା ଆମ ସାହିତ୍ୟ ଓ ସଂସ୍କୃତିରେ ଶିଙ୍ଗା (ବା ସିଙ୍ଗା) ନାମକ ଏକ ବାଦ୍ୟଯନ୍ତ୍ରର ଖୁବ୍ ପ୍ରଚଳନ ଥିଲା।
ଅତୀତରେ ଆମ ସାହିତ୍ୟ-ସଂସ୍କୃତିରେ ଶିଙ୍ଗା ବାଜୁଥିଲା।
ଏବେ ଆଉ ସେ ଶିଙ୍ଗା ବାଜୁନି।
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ, ଯେ ଶିଙ୍ଗା ବା ସିଙ୍ଗା ମୁଖ୍ୟତଃ ନିର୍ମିତ ହୁଏ, ଗୟଳ ବା ମଇଁଷି ଶିଙ୍ଗରୁ।
ଏ ଦୁହେଁ ଦୁଇଟି ପ୍ରଜାତିର ବନ୍ୟପ୍ରାଣୀ।
ଗୟଳ ଓଡ଼ିଆରେ ଗଏଳ ଓ ଗଇଳ ରୂପେ ଲିଖିତ ହେବା ମଧ୍ୟ ଦେଖିବାକୁ ମିଳେ।
ବିଶେଷକରି ପୁରୁଷ ଗୟଳ ଓ ପୁରୁଷ ମଇଁଷିର ଶିଙ୍ଗ ଅପେକ୍ଷାକୃତ ମୋଟା ଥିବାରୁ ଶିଙ୍ଗା ନିର୍ମାଣ ନିମନ୍ତେ ତାହା ଉତ୍କୃଷ୍ଟ ବିବେଚିତ ହୋଇଥାଏ।
ସଉରା ଆଦିବାସୀ ଜନଜାତିର ଭାଷାରେ ଏହା "ତେତେଡ଼ୁ ପେଡ଼" ବା "ତିରିଂ ପେଡ଼"।
ଏକଦା ପ୍ରାଚୀ ଉପତ୍ୟକା ଅଞ୍ଚଳରେ ମଧ୍ୟ ଏହାର ପ୍ରଚୁର ପ୍ରଚଳନ ଥିଲା; କାରଣ, ଶ୍ରୀଚୈତନ୍ୟ ପ୍ରଚାରିତ ବୈଷ୍ଣବଧର୍ମର ନାମସଂକୀର୍ତ୍ତନ ଦଳ ମଧ୍ୟରେ ଏହାର ବ୍ୟାପକ ବ୍ୟବହାର ରହିଥିଲା।
ମହାଭାରତ କାଳରେ ଏହାର ପ୍ରଚଳନ ରହିଥିବାର ପ୍ରମାଣ "ଶ୍ରୀମଦ୍ଭଗବଦ୍ଗୀତା"ରୁ ମିଳେ।
ପ୍ରଥମ ଅଧ୍ୟାୟ, "ଅର୍ଜୁନ ବିଷାଦେଯାଗ"ର ତ୍ରୟୋଦଶ ଶ୍ଳୋକରେ ଏହାର ଉଲ୍ଲେଖ ଅଛି- ""ତତଃ ଶଙ୍ଖାଶ୍ଚ ଭେର୍ଯ୍ୟଶ୍ଚ ପଣବାନକଗୋମୁଖାଃ।
ସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍ ାା ପୂର୍ବପଦକୁ ମିଶାଇ ଏହାର ଅର୍ଥ ହେଉଛି-କୁରୁବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷ ଉତ୍ପନ୍ନ କରାଇ ଉଚ୍ଚସ୍ବରରେ ସିଂହନାଦ ପରି ଶଙ୍ଖ ବଜାଇଲେ।
ତା"ପରେ ବହୁ ଶଙ୍ଖ, ଭେରୀ, ନାଗରା, ମର୍ଦ୍ଦଳ ଓ ରଣଶିଙ୍ଗା ଆଦି ବାଦ୍ୟ ଏକସଙ୍ଗରେ ବାଜି ଉଠିଲା।
ସେସବୁର ଶବ୍ଦ ଅତି ଭୟଙ୍କର ହେଲା।
ଏଣୁ ଦ୍ବାପର ଯୁଗରେ ଏହି ଶିଙ୍ଗା ଏକ ରଣବାଦ୍ୟ ରୂପେ ବ୍ୟବହୃତ ହେଉଥିଲା।
ଆମ ଭାଷାର ଆଦିକବି ସାରଳାଦାସଙ୍କ "ମହାଭାରତ"ରେ ମଧ୍ୟ ଏହାର ନିଦର୍ଶନ ମିଳେ।
ଏହାର "ଗଦାପର୍ବ"ରେ ଅଛି- "ଭୀମସେନର ଶିଂଘନାଦ ବାଦନ"।
ତାହା ଅନୁସାରେ, ଭାଇ ସହଦେବଙ୍କ ପରାମର୍ଶରେ ଭୀମ ଶିବଙ୍କୁ ଦେବତାଙ୍କର "ଶିଂଘନାଦ" ମାଗିଥିଲେ।
ପାର୍ବତୀଙ୍କ ପରାମର୍ଶରେ ଶିବ ତାହା ତାଙ୍କୁ ଦେଇଥିଲେ।
ବ୍ୟାସ ସରୋବରରେ ଆତ୍ମଗୋପନ କରିଥିବା ମାନଗୋବିନ୍ଦ (ଦୁର୍ଯ୍ୟୋଧନ)ଙ୍କୁ ସରୋବରରୁ ବାହାର କରିବାପାଇଁ ଭୀମ ସେହି "ଶିଂଘନାଦ ବାଦନ" କରିଥିଲେ।
ତାହାର ସୁନ୍ଦର ବର୍ଣ୍ଣନା କରି କୁହାଯାଇଛି- ""ଆରେ ଆରେ ନିସତ କିଂପା ହୋଇଲୁ ମାନଗୋବିନ୍ଦ କରେ ଧରି ପାଣ୍ଡେବ ଚୁମ୍ବିଲା ଶିଂଘନାଦ।
ଆକ୍ରେସି ଭୀମସେନ ଗାଢ଼େ ଦେଲା ନାଦ ମହୀମଣ୍ଡଳ କମ୍ପିଲା ପ୍ରଥମ ଶବଦ।
ସିନ୍ଧୁ ଉଛୁଳନ୍ତେ ପଡ଼ଇ ଯେହ୍ନେ ପାଣି ପୃଥୀ ଦଲଦଲିତ କମ୍ପଇ ମେଦିନୀ।
ସୟଳ ଛାଡ଼ି କିବା ବୁଲନ୍ତି କନ୍ଦରେ ମାନଗୋବିନ୍ଦ ନିଦ୍ରାଭାଂଜି ଉଠିଲା ଧାତିକାରେ।"" ଆମ ଭାଷାର ଏହି ପ୍ରଥମ "ମହାଭାରତ" ପରି, ଏବେ ଆସିବା ଆମ ଭାଷାର ପ୍ରଥମ "ରାମାୟଣ"କୁ।
ବଳରାମ ଦାସ ତାହାର ରଚୟିତା।
ସେଥିରେ ଅଛି "ମଷାଂ ସିଂଘ" (ମଇଁଷିଶିଙ୍ଗ ନିର୍ମିତ ଶିଙ୍ଗା)ର ବର୍ଣ୍ଣନା। "ଲଙ୍କାକାଣ୍ଡ"ର ପ୍ରସଙ୍ଗ।
ରାମଚନ୍ଦ୍ର ଅଛନ୍ତି ସୁବଳୟା ପର୍ବତରେ।
ସୁଗ୍ରୀବଙ୍କ ନେତୃତ୍ବରେ ସୈନ୍ୟଦଳ (ନଳ ନୀଳ ଗନ୍ଧମାରଦନ ଶତବଳ) ଯୁଦ୍ଧପାଇଁ ବାହାରିଛନ୍ତି।
ଶଙ୍ଖ, ମହୁରୀରେ କର୍ଣ୍ଣାଟରାଗ ବାଜୁଛି।
ଅଙ୍ଗଦଙ୍କ ସାଥିରେ ଡାଳିମ୍ବକେଶରୀ, ଶଭରୀ, ଦଧିମୁଖ ଇତ୍ୟାଦି ଅଛନ୍ତି।
ବର୍ଣ୍ଣିତ ଅଛି- ""ଟମକ ତଡ଼ବଡ଼ି ବାଜଇ ବିକଟାଳ।
ଚାମଣ୍ଡା ଛନ୍ଦେଣ ବାଜଇ ମର୍ଦଳ।।
ଧୁତୁକାର ମହୁରୀ ବାଜଇ ବସନ୍ତ ଖେଚଡ଼େ।
ହୁଳହୁଳି ପ୍ରାୟେ ମଷାଂସିଂଘ ବାଜେ ଗାଢ଼େ ାା"" "ମହାଭାରତ" ଓ "ରାମାୟଣ" ପରି, ଏବେ ଆସିବା ଆମ ଜଗନ୍ନାଥ ଦାସଙ୍କ ଓଡ଼ିଆ "ଭାଗବତ"କୁ।
ଅଷ୍ଟମ ସ୍କନ୍ଧ ୧୭/୧୮ ଅଧ୍ୟାୟର ବାମନ ଜନ୍ମ ପ୍ରସଙ୍ଗରେ ବର୍ଣ୍ଣିତ ଅଛି- ""ସର୍ବନକ୍ଷତ୍ର ତାରାଗଣେ।
ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ାା ବିଜୟା ଯୋଗର ମଧ୍ୟାହ୍ନେ।
ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ବନେ ାା ମୃଦଙ୍ଗ ପଟ୍ଟହ ସମାନେ।
ଶୁଭନ୍ତି ଭେରୀନାଦ ସ୍ବନେ ାା ବାଜନ୍ତି ଗୋମୁଖ ଆନକ।
ପଣବ ତୂରୀ ଯେ ଅନେକ ାା ଗୀତ ବିନୋଦ ନୃତ୍ୟକୁଳ।
ଦିଗ ଉଛୁଳଇ ତୁମୁଳ ାା"" ଏହି ବର୍ଣ୍ଣନାରେ, "ଗୀତା"ର ପ୍ରଥମ ଅଧ୍ୟାୟ ପରି ଅଛି "ଗୋମୁଖ"- ଯାହାର ଅର୍ଥ ଶିଙ୍ଗା ବା ରଣଶିଙ୍ଗା।
ସେହିପରି, ଅନ୍ୟ ଏକ ବର୍ଣ୍ଣନାରେ "ଶିଙ୍ଗା" ଶବ୍ଦର ବ୍ୟବହାର ମଧ୍ୟ ଅଛି।
ତାହା ହେଉଛି ୧୦ମ ସ୍କନ୍ଧ, ୧୯ ଅଧ୍ୟାୟର ରାମ ଓ କୃଷ୍ଣଙ୍କ ସହିତ ଗୋପବାଳକମାନଙ୍କର କ୍ରୀଡ଼ା ପ୍ରସଙ୍ଗ।
ବର୍ଣ୍ଣିତ ଅଛି- ""ରାମଗୋବିନ୍ଦ ଗୋପସୁତେ।
ଖେଳନ୍ତି ନୃତ୍ୟଗୀତ ଯୁତେ ାା କୃଷ୍ଣର ନୃତ୍ୟ ଗୋପେ ଦେଖି।
ମିଳିଲେ ଗୋ ବତ୍ସା ଉପେକ୍ଷି ାା କେ ତାଳି ବାଇ ମନୋହରେ।
ଗମ୍ଭୀର ଗୀତ ନାଦ ସ୍ବରେ ାା ଶିଙ୍ଗା ମୁରଲୀନାଦ ପୂରି।
କେ ସାଧୁ ଧନ୍ୟଧନ୍ୟ କରି ାା"" ଏହି କ୍ରମରେ, ଆମେ ସନ୍ଥକବି ଅଚ୍ୟୁତାନନ୍ଦ ଦାସଙ୍କ "ହରିବଂଶ" ପ୍ରସଙ୍ଗର ଅବତାରଣା ମଧ୍ୟ କରିପାରିବା।
ପ୍ରସଙ୍ଗ ହେଉଛି- ଶ୍ରୀକୃଷ୍ଣଙ୍କ ଦୋଳଯାତ୍ରା।
ପୂର୍ବାଫାଲଗୁନି ନକ୍ଷତ୍ରଯୁକ୍ତ ଫାଲଗୁନ ପୂର୍ଣ୍ଣିମା ତିଥିର ପୌର୍ଣ୍ଣମୀ ଉତ୍ସବର ବର୍ଣ୍ଣନା ସେଥିରେ ଅଛି।
ତାହା ହେଉଛି ଗୋପପୁରରୁ ପାଞ୍ଚକ୍ରୋଶ ଦୂରବର୍ତ୍ତୀ, ଯମୁନାତଟର ଗୋଗୋଷ୍ଠର ବର୍ଣ୍ଣନା।
ଅଚ୍ୟୁତାନନ୍ଦ ଦାସ ବର୍ଣ୍ଣନା କରି କହିଛନ୍ତି- ତାହା ଯେପରି ବୈକୁଣ୍ଠପୁରକୁ ଯିବାର ଖୋଲାବାଟ।
ଭାରମାନ ଧରି ଗୋପୀମାନେ ଚାଲିଛନ୍ତି, ବାଜୁଛି ନାନା ବାଦ୍ୟ।
ବର୍ଣ୍ଣନା ଅଛି- ""କଡ଼ା ମର୍ଦ୍ଦଳ ଘୁମୁରା ଶିଙ୍ଗା ଭେରୀ ତୂର ଚାଙ୍ଗୁ ଯାଉଁଳି ବାଜା ଯେ ଶୁଭେ ଭୟଙ୍କର।
ଏକୁ ଏକ କାହାଳୀ ଯେ ଅଟେ ଅପ୍ରମାଣ ଶଙ୍ଖ ମହୁରୀ ଶବଦ ଶୁଭେ ଘନଘନ।"" ଭକ୍ତଚରଣ ଦାସଙ୍କ "ମଥୁରା ମଙ୍ଗଳ"ର ପ୍ରାସଙ୍ଗିକ ପଙ୍କ୍ତି ମଧ୍ୟ ଏ ପ୍ରସଙ୍ଗରେ ଉଲ୍ଲେଖନୀୟ।
ତାହାର "ତ୍ରୟୋଦଶ ଛାନ୍ଦ"ରେ ବର୍ଣ୍ଣିତ ହୋଇଛି, କୃଷ୍ଣ ବଳରାମ ଓ ଗୋପବାଳକମାନଙ୍କର ମଥୁରାରେ ଶୋଭାଯାତ୍ରାର କଥା।
ତାହା ହେଉଛି- ""କାଠତାଳ ତାଳୀ ପତରକାହାଳୀ ବେଣୁ ବଇଁଶୀ ଶିଙ୍ଗା ବାଜେ।
ମଥୁରା ଭୁବନ କି ଭାଗ୍ୟ କରିଛି ଆଜ ଦେଖିବେ ଦେବ ରାଜେ।
ରୋହିଣୀ- ନନ୍ଦନ ହୋଇଲେ ଆଗର।
ଧୀରେଧୀରେ ବିଜେ, କିଏ କରି ରାଜେ ମେଦିନୀ ପାଉଛି ସୁନ୍ଦର।"" ଏହିପରି ଅଜସ୍ର ରଚନା ଆମର ବିଶାଳ ବୈଷ୍ଣବ ଭକ୍ତିସାହିତ୍ୟରେ ଅଛି।
ଏହା ସ୍ପଷ୍ଟ ସୂଚିତ କରେ, ଯେ ମଇଁଷି ବା ଗୟଳ ଶିଙ୍ଗରୁ ପ୍ରସ୍ତୁତ ଏହି "ଶିଙ୍ଗା" ବାଦ୍ୟ କ୍ରମେ ଏକ ରଣବାଦ୍ୟରୁ ବିବର୍ତ୍ତିତ ହୋଇଛି ଉତ୍ସବବାଦ୍ୟକୁ।
ଏବେ ଅବଶ୍ୟ ମଇଁଷି ଏକ ଦୁର୍ଲଭ ବା ବିପନ୍ନ ପ୍ରାଣୀ ନୁହେଁ; ମାତ୍ର ଗୟଳ ଏକ ବିପନ୍ନ ବନ୍ୟପ୍ରାଣୀ।
କିନ୍ତୁ ସମୟ ଓ ମାନସିକତାର ପରିବର୍ତ୍ତନ ଫଳରେ ଶିଙ୍ଗା ତଥାକଥିତ ସଭ୍ୟସମାଜ ପାଇଁ କ୍ରମେ ଏକ ପରିତ୍ୟକ୍ତ ଓ ଅପାଂକ୍ତେୟ ବାଦ୍ୟଯନ୍ତ୍ରରେ ପରିଣତ ହୋଇଯାଇଛି।
ବଇଁଶୀ ଏକ ବାଦ୍ୟଯନ୍ତ୍ର ଭାବରେ ତଥାପି ଅବଶ୍ୟ ଅଛି; କାରଣ, ବ୍ୟକ୍ତି ବଜାଏ ବଇଁଶୀ; ସମୂହ ବଜାଏ ଶିଙ୍ଗା।
ଆମେ ଯେ ସାମୂହିକତା ମଧ୍ୟରୁ ଆସି ଏବେ ବ୍ୟକ୍ତିକତା ଭିତରେ ସୀମିତ ହୋଇଯାଇଛୁ, ଏହା ତାହାର ନିଦର୍ଶନ।
ଏବେ ତେଣୁ ନିଜନିଜର ପେଏଁକାଳି ବଜାଇବାରେ ସମସ୍ତେ ବ୍ୟସ୍ତ- ଯେେତ ହାତୀ, ଘୋଡ଼ା ଦେବାକୁ ପଡୁ ପଛେ।
ବିପନ୍ନ ବନ୍ୟପ୍ରାଣୀ ଗୟଳର ବଂଶବୃଦ୍ଧି ଏବେ ପରିବେଶପ୍ରେମୀଙ୍କ ପାଇଁ କିଂଚିତ୍ ଆଶା ସୃଷ୍ଟି କରୁଥିବା ବେଳେ, ଆମ ସାହିତ୍ୟରେ କିନ୍ତୁ ଏବେ ଆଉ ଶିଙ୍ଗାର କୌଣସି ସମ୍ଭାବନା ନାହିଁ। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୦ ୩୪୮୦୪ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।