Literary Climate: ସାହିତ୍ୟିକ ପାଣିପାଗ: ସ୍ମୃତି-ବିସ୍ମୃତିର ଗଉରଚରଣ
"ଅସିତ ମହାନ୍ତି ବର୍ଷକୁ ଥରେ ରାଧାଷ୍ଟମୀ ଆସେ ଓ ଚାଲିଯାଏ।
ଏହି ତିଥିଟି ଓଡ଼ିଶାରେ ଓଡ଼ିଆ ଭାଗବତକାର ଅତିବଡ଼ ଜଗନ୍ନାଥ ଦାସଙ୍କ ଜନ୍ମତିଥି ଭାବରେ ପାଳିତ ହୁଏ।
କିନ୍ତୁ ଅନେକେ ଟିକିଏ ମନେ ପକାନ୍ତି ନାହିଁ, ଯେ ଏହି ତିଥିଟି ଓଡ଼ିଶାର ଆଉ ଜଣେ ବିଶିଷ୍ଟ ବୈଷ୍ଣବକବି ଗଉରଚରଣ ଅଧିକାରୀଙ୍କର ମଧ୍ୟ ଜନ୍ମତିଥି।ଗଉରଚରଣଙ୍କର ଅନେକ ଭକ୍ତିଗୀତି ଲୋକପ୍ରିୟ।
ବିଶେଷ କରି, ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ପର୍ବପର୍ବାଣିକୁ ନେଇ ସେ ଲେଖିଥିବା ଭକ୍ତିଗୀତିଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ।
ଭକ୍ତକବି ସାଲବେଗଙ୍କର "ଆହେ ନୀଳ ଶଇଳ..." ପରି, ତାଙ୍କର "ନୀଳଚକ୍ରେ ହେ ଦେଖ ଉଡ଼ୁଛି ବାନା" ଗୀତ ମଧ୍ୟ ଥରେ ନ ଶୁଣିଥିବା ବ୍ୟକ୍ତି ଓଡ଼ିଶାରେ ନ ଥିବେ।
ସେହିପରି, ଶ୍ରୀଜଗନ୍ନାଥଙ୍କର ଏପରି କୌଣସି ରଥଯାତ୍ରା ଯାଇ ନ ଥିବ, ଯେଉଁଥିରେ ତାଙ୍କର "କାଳିଆ କାହ୍ନୁ!
ଆଉ ବିଳମ୍ବ କର କାହିଁକି" କେହି ଶୁଣି ନ ଥିବେ।
କିନ୍ତୁ ଏହି ଗୀତଗୁଡ଼ିକର ଶେଷରେ ଭଣିତା ଥିଲେ ମଧ୍ୟ, ଏହା ଶୁଣିବା ବେଳେ ଅନେକେ ଧ୍ୟାନ ଦିଅନ୍ତି ନାହିଁ, ଯେ ଏହାର ରଚୟିତା ହେଉଛନ୍ତି ବୈଷ୍ଣବକବି ଗଉରଚରଣ ଅଧିକାରୀ।
ଏପରିକି, ତାଙ୍କର ଜନ୍ମଦିନ ରାଧାଷ୍ଟମୀରେ ମଧ୍ୟ ତାଙ୍କୁ ପ୍ରାୟ କେହି ମନେ ପକାନ୍ତି ନାହିଁ।ଏପରି ସ୍ଥିତିରେ, ଏ ବର୍ଷକୁ ମିଶାଇ ଦୁଇ ବର୍ଷ ହେଲା, ବେଗୁନିଆର ଆଦର୍ଶ କ୍ଲବ୍ ପକ୍ଷରୁ ରାଧାଷ୍ଟମୀ ଦିନ ଗଉରଚରଣଙ୍କର ଜନ୍ମଦିନ ପାଳନ କରାଯିବା ନିଶ୍ଚିତ ଭାବରେ ଏକ ମହତ୍ ଉଦ୍ୟମ।Advertisment Civil Society Forum: ନାଗରିକ ମଞ୍ଚ-ନିର୍ବାଚନ ଆୟୋଗ ମୁହାଁମୁହିଁ ଗଉରଚରଣଙ୍କର ଜନ୍ମ ୧୮୧୪ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ।
ତତ୍କାଳୀନ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍ଡିଭିଜନ୍ ଅନ୍ତର୍ଗତ ଲେହଙ୍ଗ ଗ୍ରାମରେ, ଏକ କୁଳୀନ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ।
ତାଙ୍କର ପିତା ଓ ମାତା ମୁକୁନ୍ଦ ମିଶ୍ର ଓ ସୀତା ଦେବୀ।
ତାଙ୍କର ବାଲ୍ୟନାମ ଥିଲା ପଦ୍ମଚରଣ।
ମାତ୍ର, ବୈଷ୍ଣବଦୀକ୍ଷା ଗ୍ରହଣ କରିବା ପରେ ସେ ଗୌରଚରଣ ନାମରେ ପରିଚିତ ହୋଇଥିଲେ।
କିନ୍ତୁ ତାଙ୍କର ଗୀତିରଚନାଗୁଡ଼ିକରେ ସେ ଗଉରଚରଣ ନାମରେ ପରିଚିତ।ଗଉରଚରଣ ଗୌଡ଼ୀୟ ବୈଷ୍ଣବଧର୍ମରେ ହିଁ ଦୀକ୍ଷିତ ହୋଇଥିଲେ।
ତାଙ୍କର ଦୀକ୍ଷାଗୁରୁ ଥିଲେ ସଦାନନ୍ଦ ବ୍ରହ୍ମଚାରୀ।
ଗୁରୁଙ୍କ ନିର୍ଦ୍ଦେଶକ୍ରମେ ସେ ଗୃହସ୍ଥାଶ୍ରମ ଗ୍ରହଣ କରିଥିଲେ ଏବଂ ପୁରୀର ସିଦ୍ଧ ବ୍ରହ୍ମଚାରୀ ମଠ ଓ ପୁରଣପୁରର ପୁରଣ ବସନ୍ତ ମଠର ଅଧିକାରୀ ପଦ ଗ୍ରହଣ କରିଥିଲେ।
ଏହା ଫଳରେ ପଦ୍ମଚରଣ ମିଶ୍ରରୁ ସେ ହୋଇଥିଲେ ଗୌରଚରଣ ଅଧିକାରୀ।ଆଜିଠାରୁ ପ୍ରାୟ ଦୁଇଶହ ବର୍ଷ ପୂର୍ବେ, ଗଉରଚରଣଙ୍କ ବାଲ୍ୟକାଳରେ ଆଧୁନିକ ଶିକ୍ଷାର ବ୍ୟବସ୍ଥା ନ ଥିଲା।
ଫଳରେ, ଗଉରଚରଣ ପାରମ୍ପରିକ ଭାବରେ ହିଁ ଶିକ୍ଷାଲାଭ କରିଥିଲେ।
ପିତା ମୁକୁନ୍ଦ ମିଶ୍ର ଥିଲେ ତାଙ୍କର ଶିକ୍ଷକ।
ଅଧିକ ଜ୍ଞାନ ଆହରଣ ପାଇଁ ସେତେବେଳେ ସ୍ୱାଧ୍ୟାୟ ହିଁ ଥିଲା ଏକମାତ୍ର ପନ୍ଥା।
ତେଣୁ ସ୍ୱକୀୟ ଅଧ୍ୟବସାୟ ଓ ସ୍ୱାଧ୍ୟାୟ ବଳରେ ଶାସ୍ତ୍ରଗ୍ରନ୍ଥଗୁଡ଼ିକୁ ଆୟତ୍ତ କରି, ଓଡ଼ିଆ ସହିତ ହିନ୍ଦୀ, ବ୍ରଜବୋଲି, ବଙ୍ଗଳା ଓ ସଂସ୍କୃତ ଭାଷାରେ ସେ ଦକ୍ଷତା ହାସଲ କରିଥିଲେ ଏବଂ ସାରସ୍ୱତ ସାଧନାରେ ଚିରପ୍ରବୃତ୍ତ ରହିଥିଲେ।ଗଉରଚରଣଙ୍କର ଓଡ଼ିଆ, ଓଡ଼ିଆମିଶା ବଙ୍ଗଳା ଓ ବ୍ରଜବୋଲି ଭାଷାରେ ଅଜସ୍ର ରଚନା ରହିଛି।
ତାହା ମୁଖ୍ୟତଃ ଶ୍ରୀକୃଷ୍ଣଲୀଳା, ଶ୍ରୀଚୈତନ୍ୟଲୀଳା ଓ ଶ୍ରୀଜଗନ୍ନାଥଲୀଳାଭିତ୍ତିକ ସୃଷ୍ଟି।
ସେସବୁ ମଧ୍ୟରେ "ଶ୍ରୀକୃଷ୍ଣଲୀଳା" ଏକ ବୃହତ୍ ରଚନା ଏବଂ ତାହା ତାଙ୍କର ଶ୍ରେଷ୍ଠ କୃତି।
ତାହା ୩୧୭ଟି ଛାନ୍ଦ ଓ ୩୬୫ଟି ଗୀତର ସମାହାର। "କଳିଙ୍ଗ ଭାରତୀ"ର ପ୍ରତିଷ୍ଠାତା ବିଚ୍ଛନ୍ଦଚରଣ ପଟ୍ଟନାୟକ, ଗଉରଚରଣ ଅଧିକାରୀଙ୍କ ଗୀତିରଚନାର ଏକ ସଂକଳନ "ଗୀତ କଳ୍ପତରୁ" ପର୍ଯ୍ୟାୟର "ପ୍ରଥମ ଶାଖା" ରୂପେ ୧୯୫୧ ମସିହାରେ ପ୍ରକାଶ କରିଥିଲେ।
ସେହିସବୁ ଗୀତ ବାବାଜୀ ବୈଷ୍ଣବଚରଣ ଦାସଙ୍କ ଦ୍ୱାରା ସଂଗୃହୀତ ହୋଇଥିଲା।
ସେହି ସଂକଳନରେ ସେ "କୃଷ୍ଣଲୀଳା"ର କେତୋଟି ଗୀତ ମଧ୍ୟ ସଂକଳିତ କରିଛନ୍ତି।"କୃଷ୍ଣଲୀଳା" ସମ୍ପର୍କରେ ସେହି ସଂକଳନର ମୁଖବନ୍ଧରେ ବିଚ୍ଛନ୍ଦଚରଣ କବିସୂର୍ଯ୍ୟ ବଳଦେବ ରଥ ଓ କବିକଳହଂସ ଗୋପାଳକୃଷ୍ଣଙ୍କ ସହିତ ଗଉରଚରଣଙ୍କର ତୁଳନା କରିଛନ୍ତି।
ସେ ଲେଖିଛନ୍ତି, ""ଗୌରଚରଣ ଗୋପାଳକୃଷ୍ଣଙ୍କ ସମକକ୍ଷ କବି।
ସେ ମଧ୍ୟ ଗୋପାଳକୃଷ୍ଣଙ୍କ ଭଳି ଭାବଭୋଳା।
ଶ୍ରୀକୃଷ୍ଣ ଓ ଶ୍ରୀଗୌରାଙ୍ଗଙ୍କ ପ୍ରତି ତାଙ୍କର ଅନନ୍ୟ ଭକ୍ତି ତାଙ୍କ କବିତାଗୁଡ଼ିକର ପ୍ରତି ପଙ୍କ୍ତିରୁ ଉଛୁଳି ପଡ଼ୁଥିବା ପରି ବୋଧହୁଏ।
ପ୍ରେମିକ-ହୃଦୟର ଭାବର ତନ୍ନତନ୍ନ ବିଶ୍ଳେଷଣ ଓ ବ୍ୟଞ୍ଜନାର ଭାବପ୍ରକାଶ, ଯାହାକି ଗୋପାଳକୃଷ୍ଣଙ୍କ କବିତାରେ ଅତ୍ୟନ୍ତ ପୁଷ୍କଳ ଭାବରେ ପ୍ରକଟିତ, ତାହା ଗୌରଚରଣଙ୍କଠାରେ ନାହିଁ।
ଅଥଚ, ପଲ୍ଲୀର ସାଧାରଣ ଲୋକଙ୍କ ସରଳ, ତରଳ ଭାଷାରେ ଗୌରଚରଣ ଯେଉଁ ମୂର୍ଚ୍ଛନା ସୃଷ୍ଟି କରିଛନ୍ତି, ତାହା କବିସୂର୍ଯ୍ୟ ଓ ଗୋପାଳକୃଷ୍ଣ ଉଭୟଙ୍କଠାରେ ଦୁର୍ଲଭ।
ଗୌରଚରଣଙ୍କର ସମ୍ୟକ୍ ସଂସ୍କୃତଜ୍ଞାନ ଥିଲେ ସୁଦ୍ଧା, ପ୍ରାକୃତ ପଦଯୋଜନା କରିବାରେ ସେ ସମଧିକ ଭାବରେ ଆଗ୍ରହୀ।
ଏପରିକି, ପଲ୍ଲୀସୁଲଭ ଭାଷାରେ ଅନୁପ୍ରାସ ସୃଷ୍ଟିକରି ତହିଁରେ କବିତାମଣ୍ଡନ କରିବାରେ ସେ ସୁଦକ୍ଷ।
କବିସୂର୍ଯ୍ୟଙ୍କ କବିତାବଳୀ ତତ୍ସମ ଶବ୍ଦରେ ପରିପୂର୍ଣ୍ଣ।
ଗୋପାଳକୃଷ୍ଣଙ୍କ କବିତାରେ ତତ୍ସମ ଶବ୍ଦର ପ୍ରୟୋଗ ଅପେକ୍ଷାକୃତ କମ୍।
କିନ୍ତୁ ଗୌରଚରଣଙ୍କ କବିତାବଳୀରେ ତଦ୍ଭବ ଓ ଦେଶଜ ଶବ୍ଦର ଅନୁପାତ ଯଥେଷ୍ଟ ଅଧିକ।
ମହାପଣ୍ଡିତ ଥିବାରୁ କବିସୂର୍ଯ୍ୟଙ୍କର ଉପେନ୍ଦ୍ର ଭଞ୍ଜଙ୍କ କୋଟୀକୁ ଉଠିବାର ସ୍ୱାଭାବିକ ପ୍ରୟାସ ଥିଲା।
କିନ୍ତୁ ସେ ପ୍ରୟାସ ଗୋପାଳକୃଷ୍ଣ ବା ଗୌରଚରଣଙ୍କର ଆଦୌ ଥିଲା ବୋଲି ପ୍ରତୀତ ହୁଏ ନାହିଁ।
ଗୋପାଳକୃଷ୍ଣଙ୍କ ଶୈଳୀଠାରୁ ମଧ୍ୟ ଗୌରଚରଣଙ୍କ ଶୈଳୀ ସମଧିକ ନିରାଡ଼ମ୍ବର।
କବିସୂର୍ଯ୍ୟ ଓ ଗୋପାଳକୃଷ୍ଣଙ୍କ ଅପେକ୍ଷା ଅଧିକ ପ୍ରସଙ୍ଗରେ ଓ ଅଧିକ ସଂଖ୍ୟାରେ ଗୌରଚରଣ କବିତା ରଚନା କରି ସମଧିକ ପ୍ରସାର ଲାଭ କରିଛନ୍ତି।
ଏକା ତାଙ୍କର "କୃଷ୍ଣଲୀଳା" ପୁସ୍ତକାକାରରେ କବିସୂର୍ଯ୍ୟ ଗ୍ରନ୍ଥାବଳୀ ଓ ଗୋପାଳକୃଷ୍ଣ ପଦ୍ୟାବଳୀର ସମାନ।""ମାତ୍ର ଏ ଦିଗରେ ଏକ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ଗଉରଚରଣଙ୍କ "କୃଷ୍ଣଲୀଳା" ଏକଦା କଟକର ଏକାଧିକ ପ୍ରେସ୍ରୁ ମୁଦ୍ରିତ ହୋଇଥିଲେ ହେଁ, ଏବେ ଦୁଷ୍ପ୍ରାପ୍ୟ।
ସେହିପରି, ଗଉରଚରଣଙ୍କର ଛଅ ପୁତ୍ରସନ୍ତାନଙ୍କ ମଧ୍ୟରୁ ହରେକୃଷ୍ଣ ଅଧିକାରୀ ୧୯୨୬ ମସିହାରେ "ଗୌର କୃଷ୍ଣ ଭଜନ ଶତକ" ନାମରେ ତାଙ୍କ ଭକ୍ତିଗୀତିର ଯେଉଁ ସଂକଳନ କରିଥିଲେ, ତାହା ମଧ୍ୟ ଏବେ ଦୁଷ୍ପ୍ରାପ୍ୟ ହୋଇ ରହିଛି।
୧୯୫୧ ମସିହାରେ ଗଉରଚରଣଙ୍କର ୧୪୫ଟି ସଙ୍ଗୀତର ଯେଉଁ ସଂକଳନ "ଗୀତ କଳ୍ପତରୁ"ର "ପ୍ରଥମ ଶାଖା" ଭାବରେ "କଳିଙ୍ଗ ଭାରତୀ" ପକ୍ଷରୁ ବିଚ୍ଛନ୍ଦଚରଣ ପଟ୍ଟନାୟକ ପ୍ରକାଶ କରିଥିଲେ, ତାହା ମଧ୍ୟ ଏବେ ଦୁଷ୍ପ୍ରାପ୍ୟ।
ସେହିପରି, ୧୯୭୩ରେ ତାହା ସହିତ ତାଙ୍କର ଅନ୍ୟ ଗୀତିରଚନାକୁ ମିଶାଇ "ଗୀତ କଳ୍ପତରୁ"ର "ଦ୍ବିତୀୟ ଶାଖା" ଭାବରେ "ଗୌରଚରଣ ପଦ୍ୟାବଳୀ" ନାମରେ "କଳିଙ୍ଗ ଭାରତୀ"ର ତତ୍କାଳୀନ ସଭାପତି ରଜତ କୁମାର କର ଯେଉଁ ସଂକଳନଟି ପ୍ରକାଶ କରିଥିଲେ, ତାହା ମଧ୍ୟ ଏବେ ଦୁଷ୍ପ୍ରାପ୍ୟ।
ତାଙ୍କର ଅନ୍ୟାନ୍ୟ ରଚନା, ଯଥା- "ଲକ୍ଷ୍ମୀନାରାୟଣ କଳି", "ପ୍ରବନ୍ଧ ପ୍ରେେମାଦୟ", "ଅଷ୍ଟ ନାୟିକା ଆଖ୍ୟାନ", "କିଶୋରୀଙ୍କର ପଞ୍ଚସ୍ପୃହା", "ମୁକ୍ତାଲତାବଳୀ", "ଗୋବର୍ଦ୍ଧନ ଉତ୍ସବ", "ନତବ୍ରତ ପୂଜା", "ଅଦ୍ୱୈତ ମଙ୍ଗଳ", "ଗୌରରସ", "ହଂସ-ହଂସୁଲି କଳି" ଆଦି ଏବଂ ସେ ରଚନା କରିଥିବା ଅସଂଖ୍ୟ କୀର୍ତ୍ତନ ଓ ବ୍ରଜବୋଲି ଭାଷାର ରଚନା ମଧ୍ୟ ଅପ୍ରକାଶିତ ବା ଦୁଷ୍ପ୍ରାପ୍ୟ।
Civil Society Forum: ନାଗରିକ ମଞ୍ଚ-ନିର୍ବାଚନ ଆୟୋଗ ମୁହାଁମୁହିଁ ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ଏପରି ଗୀତିରଚନା କରିଥିବା କବିମାନଙ୍କ ପ୍ରତି ଏବଂ ଓଡ଼ିଶାର ଗୀତିବିଭବ ପ୍ରତି ବିଦ୍ୱାନମାନଙ୍କର ଅବହେଳା ନେଇ ବିଚ୍ଛନ୍ଦଚରଣ ତାଙ୍କର ମୁଖବନ୍ଧରେ ଆଲୋକପାତ କରିଥିଲେ।
ରଜତ କୁମାର କର ମଧ୍ୟ ତାଙ୍କ ଦ୍ୱାରା ସମ୍ପାଦିତ ଓ ସଂକଳିତ ପୁସ୍ତକର "ଗୌରଚରଣ ଓ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ" ଶୀର୍ଷକ "ମୁଖବନ୍ଧ"ରେ ଏହି ବିଷୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ତାଙ୍କ "ମୁଖବନ୍ଧ"ର ଆଦ୍ୟାଂଶରେ ଶ୍ରୀ କର କହିଛନ୍ତି- ""କଳିଙ୍ଗ ଭାରତୀର ପ୍ରତିଷ୍ଠାତା ସ୍ୱର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକ ସ୍ୱର୍ଗତ ବାବାଜୀ ବୈଷ୍ଣବଚରଣ ଦାସଙ୍କ ସହାୟତାରେ ଓଡ଼ିଶାରୁ ଦୁଇ ହଜାରରୁ ଅଧିକ ଅପ୍ରକାଶିତ ଓଡ଼ିଶୀ ସଙ୍ଗୀତ ସଂଗ୍ରହ କରି, ସେସବୁକୁ "ଗୀତ କଳ୍ପତରୁ" ନାମରେ ପ୍ରକାଶ କରିବାକୁ ମନସ୍ଥ କରିଥିଲେ।
ପୁଣି, ୧୯୫୧ ମସିହାରେ କବି ଗୌରଚରଣ ଅଧିକାରୀଙ୍କ ରଚିତ କେତେକ ସଙ୍ଗୀତ "ଗୀତ‑ କଳ୍ପତରୁ"ର ପ୍ରଥମ ଶାଖା ଭାବରେ ପ୍ରକାଶିତ ହେଲା।
ରାଷ୍ଟ୍ରଭାଷା ପୁସ୍ତକାଳୟ ତରଫରୁ ପ୍ରକାଶିତ ହୋଇଥିଲେ ମଧ୍ୟ, ଦୀର୍ଘ ଏକୋଇଶ ବର୍ଷ ଭିତରେ ଏକହଜାର ପୁସ୍ତକ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ।""ଏହି ପରିପ୍ରେକ୍ଷୀରେ ଆମକୁ ମନେ ରଖିବାକୁ ହେବ, ଯେ ଆମ ଓଡ଼ିଶା ତଥା ଓଡ଼ିଆ ଭାଷା ପ୍ରଥମ ଭାରତୀୟ ଆର୍ଯ୍ୟ ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ଯେଉଁମାନଙ୍କର ଅବଦାନ ନିମନ୍ତେ ପାଇଛି, ସେମାନଙ୍କ ମଧ୍ୟରୁ ଗୌରଚରଣ ଅନ୍ୟତମ।
ଅଥଚ, ତାଙ୍କର ରଚନାଗୁଡ଼ିକ ଏବେ ବିଲୁପ୍ତ ବା ବିସ୍ମୃତ।
ଆଜି ଗଉରଚରଣ କେବଳ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ନେଇ ଲିଖିତ ତାଙ୍କର ଅଳ୍ପ କେତୋଟି ଭକ୍ତିଗୀତି ବା ଭଜନ ମଧ୍ୟରେ ବଞ୍ଚି ରହିଛନ୍ତି।
ତାହାରି ଭିତରେ ହିଁ ବଞ୍ଚି ରହିଛି ଗଉରଚରଣଙ୍କର ଯତ୍କିଞ୍ଚିତ୍ ସ୍ମୃତି।"ମହାବାହୁ!
ଅଖିଳ ଜନଙ୍କ ନାଥ" (ମହାବାହୁ ଜଣାଣ); "ଦୁଃଖନାଶନ ଗରୁଡ଼ାସନ ହରି, ଦୁଃଖ ଜଣାଇବି କାହାକୁ?" (ଗରୁଡ଼ାସନ ଜଣାଣ); "ଲୀଳାମୟ!
ଏ ଲୀଳା ତୁମ୍ଭର ହେ, କେମନ୍ତେ ବୁଝିବି ମୁହିଁ?" (ଲୀଳାମୟ ଜଣାଣ); "ଦୀନବନ୍ଧୁ!
ଦୁରିତନାଶନ ହେ" (ଦୀନବନ୍ଧୁ ଜଣାଣ) ଆଦି, ଗଉରଚରଣଙ୍କ ଜଣାଣଗୁଡ଼ିକ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ।ସେହିପରି, ତାଙ୍କର "ନୀଳଚକ୍ର ଦର୍ଶନ" ଗୀତି "ନୀଳଚକ୍ରେ ହେ, ଦେଖ ଉଡ଼ୁଛି ବାନା" ଆଉ ଏକ ଲୋକପ୍ରିୟ ଗୀତି ରଚନା।
ଏହା ସହିତ ଅଛି ଶ୍ରୀଜଗନ୍ନାଥଙ୍କ ଲୀଳା, ଯଥା- ଦେବସ୍ନାନୋତ୍ସବ, ଅଣସର ପହଣ୍ଡି, ପହଣ୍ଡିବିଜେ, ରଥଯାତ୍ରା, ରଥଚଳା, ଗୁଣ୍ଡିଚାବାଡ଼ି ବିଜେ, ବାହୁଡ଼ା ଦଶମୀ ବିଜେ, ଝୁଲଣ ଯାତ ଗୀତ ଆଦି ତାଙ୍କର ଅସଂଖ୍ୟ କୃତି।
ଏସବୁ ମୁଖ୍ୟତଃ ସ୍ମୃତିରେ ଥିବାବେଳେ ଏହାକୁ ନେଇ ଏକ ସଂକଳନ ମଧ୍ୟ ଓଡ଼ିଆରେ ନାହିଁ।ଏସବୁ ଦୃଷ୍ଟିରୁ, ଗଉରଚରଣ ଆଜି ସ୍ମୃତି ଓ ବିସ୍ମୃତିର ଜଣେ ବୈଷ୍ଣବ ଗୀତିକବି ହୋଇ ହିଁ ରହିଛନ୍ତି।
ଆମର ଦୁର୍ଭାଗ୍ୟ, ଯେ ଗଉରଚରଣଙ୍କ ପରି ଆହୁରି ଅନେକେ ବି ଆଜି ରହିଛନ୍ତି ସେହିପରି ସ୍ମୃତି ଓ ବିସ୍ମୃତି ମଧ୍ୟରେ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦ ୩୪୮୦୪"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।