Editorial: ଆଶାର ଗବାକ୍ଷ; ଜଳ: ଜୀବନରୁ ଯନ୍ତ୍ରଣା ଯାଏ

Sep 25, 2026 - 06:53
Editorial: ଆଶାର ଗବାକ୍ଷ; ଜଳ: ଜୀବନରୁ ଯନ୍ତ୍ରଣା ଯାଏ

"ଗୌରଚନ୍ଦ୍ର ତ୍ରିପାଠୀ ବାଲ୍ମୀକି ରାମାୟଣରେ ଏକ ସୁନ୍ଦର ଉପାଖ୍ୟାନ ରହିଛି।

ମହର୍ଷି କପିଳଙ୍କ କ୍ରୋଧାଗ୍ନିରେ ରାଜା ସଗରଙ୍କ ଷାଠିଏ ହଜାର ପୁତ୍ର ଭସ୍ମୀଭୂତ ହୋଇଥିଲେ।

ସେମାନଙ୍କ ମୋକ୍ଷ ପାଇଁ ଗଙ୍ଗାଧୌତ ହେବାର ଆବଶ୍ୟକ ଥିଲା।

ଯୁଗ ବିତିଗଲା, କିନ୍ତୁ ସ୍ବର୍ଗରୁ ଗଙ୍ଗାଙ୍କୁ ଆଣିବାର ଅସାଧ୍ୟ କାର୍ଯ୍ୟ ସମ୍ଭବ ହେଲାନି।

ଶେଷରେ ଭଗୀରଥ କଠୋର ତପସ୍ୟା ବଳରେ ବ୍ରହ୍ମାଙ୍କୁ ପ୍ରସନ୍ନ କରି ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିବାର ବର ପାଇଲେ।

କିନ୍ତୁ ସମସ୍ୟା ଥିଲା- ଗଙ୍ଗାଙ୍କ ପ୍ରଚଣ୍ଡ ବେଗର ଧରାବତରଣ ପୃଥିବୀକୁ ଧ୍ୱଂସ କରିଦେବ।

ତେଣୁ ଭଗୀରଥ ମହାଦେବ ଶିବଙ୍କୁ ଆହ୍ୱାନ କଲେ।

ଶିବ ଗଙ୍ଗାଙ୍କୁ ନିଜ ଜଟାରେ ଆବଦ୍ଧ କରି ଧୀର ଧାରାରେ ମୁକ୍ତ କଲେ।

ସେହି ଗଙ୍ଗା ଭଗୀରଥଙ୍କ ପଥ ଅନୁସରଣ କରି ସଗର ପୁତ୍ରମାନଙ୍କୁ ସଦ୍‌ଗତି ଦେଲେ।

ଏହି ପ୍ରାଚୀନ କଥାରେ ଏକ ଗଭୀର ବାର୍ତ୍ତା ରହିଛି।

ଭଗୀରଥ ଗଙ୍ଗାଙ୍କୁ ନିଜ ଅଧିକାର ପାଇଁ ନୁହେଁ, ମୁକ୍ତି ଓ ଜୀବନର ପୁନରୁଦ୍ଧାର ପାଇଁ ଆଣିଥିଲେ।

Advertisment Electricity consumers: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ ଆବହମାନ କାଳରୁ ଜଳ ମାନବ ଚିନ୍ତାଧାରାକୁ ସମୃଦ୍ଧ କରିଆସିଛି।

ଭାରତୀୟ ସଂସ୍କୃତିରେ ନଦୀ କେବଳ ଏକ ଜଳାଧାର ନୁହେଁ; ତାହା ଜୀବନ, ସ୍ମୃତି ଓ ସଭ୍ୟତାର ପ୍ରବାହ; ଆଧ୍ୟାତ୍ମିକ ଓ ଧାର୍ମିକ ଚେତନାର ଧରୋହର।

ଦୁଇ ବୁନ୍ଦା ଜଳ ଛିଟା ପାପମୁକ୍ତ କରେ, ମୃତ୍ୟୁ ପୂର୍ବରୁ ଟୋପାଏ ଜଳପାନ ସ୍ୱର୍ଗର ଦ୍ୱାର ଖୋଲିଦିଏ ବୋଲି ବିଶ୍ୱାସ ରହିଛି।

ତେଣୁ ଗଙ୍ଗା, ଯମୁନା, ଗୋଦାବରୀ ଭଳି ନଦୀମାନେ ପୁଣ୍ୟ ଓ ପବିତ୍ରତାର ପ୍ରତୀକ ଭାବେ ପୂଜାସ୍ପଦା।

ଋଗ୍‌ବେଦ ବର୍ଣ୍ଣନା କରେ- “ଆପୋ ହି ଷ୍ଠା ମୟୋଭୁବସ୍ତା...” ଅର୍ଥାତ୍‌, ହେ ଜଳ, ତୁମେ ହିଁ ସୁଖ ଓ କଲ୍ୟାଣର ଉତ୍ସ।

ଗ୍ରିକ୍ ଦାର୍ଶନିକ ଥେଲ୍‌ସଙ୍କ ପାଇଁ ଏହା ଥିଲା "ଆର୍କେ"- ଅର୍ଥାତ୍ ବ୍ରହ୍ମାଣ୍ଡର ମୂଳ ଉପାଦାନ।

ହେରାକ୍ଲିଟସ୍ ନଦୀର ସ୍ରୋତକୁ ଦେଖି ପରିବର୍ତ୍ତନକୁ ହିଁ ସଂସାରର ଏକମାତ୍ର ସତ୍ୟ ବୋଲି କହିଥିଲେ।

ପ୍ରାଚୀନ ପ୍ରାଚ୍ୟ ଦର୍ଶନରେ, ଲାଓଜିଙ୍କ "ଦାଓଡେଜିଙ୍ଗ" ଜଳକୁ ସର୍ବୋତ୍ତମ ଗୁଣର ପ୍ରତୀକ ଭାବେ ବର୍ଣ୍ଣନା କରିଛି।

ଆଦିବାସୀ ପରମ୍ପରାରେ ଜଳକୁ ପବିତ୍ର ଜୀବନଶକ୍ତି ଭାବେ ଦେଖାଯାଇଛି।

କିନ୍ତୁ ଏହି ପବିତ୍ର ଦର୍ଶନ ସମୟକ୍ରମେ ବଦଳିଗଲା।

ମାନବ ସଭ୍ୟତା ଜୀବନଦାତ୍ରୀ ଜଳକୁ କ୍ଷମତାର ଅସ୍ତ୍ରରେ ପରିଣତ କଲା।

ଇଜିପ୍ଟ, ମେସୋପଟାମିଆ, ସିନ୍ଧୁ ଭଳି ମହାନ ସଭ୍ୟତା ନଦୀକୂଳରେ ଗଢ଼ି ଉଠିଥିଲା।

ଯିଏ ଜଳକୁ ନିୟନ୍ତ୍ରଣ କଲା, ସେ କୃଷିକୁ ନିୟନ୍ତ୍ରଣ କଲା; ଯିଏ କୃଷିକୁ ନିୟନ୍ତ୍ରଣ କଲା, ସେ ଖାଦ୍ୟକୁ ନିୟନ୍ତ୍ରଣ କଲା; ଆଉ ଯିଏ ଖାଦ୍ୟକୁ ନିୟନ୍ତ୍ରଣ କଲା, ସେ ରାଷ୍ଟ୍ରକୁ ନିୟନ୍ତ୍ରଣ କଲା।

କୌଟିଲ୍ୟ ତେଣୁ ଅର୍ଥଶାସ୍ତ୍ରରେ ଜଳକୁ କେବଳ ପ୍ରାକୃତିକ ଉପହାର ନୁହେଁ, କ୍ଷମତାର ସଂରଚନା ବୋଲି କହିଥିଲେ।

ଏହି କ୍ଷମତା-ଲୋଭ ହିଁ ଆଜି ଆମକୁ ଏକ ଭୟଙ୍କର ଭବିଷ୍ୟତ ଆଡ଼କୁ ଠେଲି ଦେଇଛି।

ବିଶ୍ୱ ବ୍ୟାଙ୍କର ପୂର୍ବତନ ଉପ-ମହାସଚିବ ଇସମାଇଲ ସେରାଗେଲଦିନ ଚେତାବନୀ ଦେଇଥିଲେ- “ଆଗାମୀ ଯୁଦ୍ଧ ତେଲ ପାଇଁ ନୁହେଁ, ପାଣି ପାଇଁ ହେବ।” ସାମ୍ପ୍ରତିକ ପରିସ୍ଥିତିରେ ସାମୁଏଲ ଟେଲର କଲରିଜଙ୍କ ସେହି ଅମର ପଙ୍‌କ୍ତି - “ଚାରିଆଡ଼େ ଜଳ, କେବଳ ଜଳରାଶି, ହେଲେ ପିଇବାକୁ ଟୋପାଏ ନାହିଁ” - କବିତାରୁ ବାହାରି ବାସ୍ତବତାରେ ପରିଣତ ହେବାର ସମ୍ଭାବନା ଦେଖା ଦେଇଛି।ଜଳ ଯେତେବେଳେ କ୍ଷମତାର ପ୍ରତୀକ ପାଲଟେ, ଏକ ଛୋଟ ଜମିଖଣ୍ଡ ବି ଯନ୍ତ୍ରଣାର କେନ୍ଦ୍ରବିନ୍ଦୁ ହୋଇଯାଏ।

ଓଡ଼ିଶାରେ ଏବେ ତା"ର ଜ୍ବଳନ୍ତ ଉଦାହରଣ ହେଉଛି ନେରେଡ଼ି।

ବଂଶଧାରା ଉପରେ ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ଜମି ଆନ୍ଧ୍ରକୁ ହସ୍ତାନ୍ତର ନିଷ୍ପତ୍ତିର ପ୍ରସଙ୍ଗ ରାଜ୍ୟରେ ଜନଅସନ୍ତୋଷ ସୃଷ୍ଟି କରିଛି।

ଗଜପତି ଜିଲ୍ଲାର "ସାରା" ଗ୍ରାମପୁଞ୍ଜ ଜଳମଗ୍ନ ହେବାର ଭୟ ଜାତ ହୋଇଛି, ଯାହା ଓଡ଼ିଶାର ଜଳ ଅଧିକାର ଓ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।

ଏହା ଏକ ବୃହତ୍ତର ଚିତ୍ରର ଅଂଶ ମାତ୍ର।

ମହାନଦୀକୁ ନେଇ ଛତିଶଗଡ଼ ସହ ବିବାଦ, ମାଛକୁଣ୍ଡ, ବାଲିମେଳା, ପୋଲାଭରମ ଓ ଝଞ୍ଜାବତୀ ପ୍ରକଳ୍ପରେ ଓଡ଼ିଶାର ଅଭିଜ୍ଞତା କହେ ପଡ଼ୋଶୀ ରାଜ୍ୟର ବିକାଶ ହୋଇଛି କିନ୍ତୁ ଜଳ, ଜମି, ଜଙ୍ଗଲ ହରାଇ ଜଳବୁଡ଼ି ଓ ବିସ୍ଥାପନର ମୂଲ୍ୟ ଦେଇଛି ଓଡ଼ିଶା।

ଜାତୀୟ ସ୍ତରରେ କାବେରୀ, କୃଷ୍ଣା ଓ ରବି-ବ୍ୟାସ ନଦୀକୁ ନେଇ ସମାନ ବିବାଦ ଚାଲିଛି, ଗମ୍ଭୀର ଆନ୍ତଃରାଜ୍ୟ ମତଭେଦ ସୃଷ୍ଟି କରିଛି।

ଚାଲିଛି ଅନେକ ଟ୍ରିବ୍ୟୁନାଲ, କୋର୍ଟ ମାମଲା ଓ ତିକ୍ତ ରାଜନୈତିକ ସଂଘର୍ଷ।

ବିଶ୍ୱସ୍ତରରେ ମଧ୍ୟ ନୀଳନଦୀ, ଟାଇଗ୍ରିସ-ୟୁଫ୍ରେଟିସ୍, ସିନ୍ଧୁ, ମେକଙ୍ଗ ଓ ଅନ୍ୟାନ୍ୟ ନଦୀ ଅବବାହିକା ବ୍ୟବହାର କରୁଥିବା ଦେଶଗୁଡ଼ିକ ମଧ୍ୟରେ ଜଳ ବିବାଦ ରହିଛି।

ଏହି ବିବାଦ ହିଁ ଜଳଯୁଦ୍ଧର ସ୍ୱରୂପ, ଯାହା ବନ୍ଧୁକରେ ଲଢ଼ାଯାଏ ନାହିଁ।

ଲଢ଼ାଯାଏ ବନ୍ଧ, ବ୍ୟାରେଜ, ଟ୍ରିବ୍ୟୁନାଲ, କୋର୍ଟରୁମ୍ ଓ "ଉଦ୍‌ବୃତ୍ତ ଜଳ"ର ଦାବି ଭିତରେ।

Electricity consumers: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ ଭଗୀରଥଙ୍କ ମହତ୍ତ୍ୱ ଗଙ୍ଗାଙ୍କୁ ସ୍ୱର୍ଗରୁ ଆଣିବାର ଚମତ୍କାରିତା ମଧ୍ୟରେ ନଥିଲା।

ଥିଲା ତାଙ୍କ ଉଦ୍ଦେଶ୍ୟରେ- ସଗର ବଂଶର ମୁକ୍ତିରେ।

ସେହି ବାର୍ତ୍ତା ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକ ମନେହୁଏ।

ଜଳକୁ ଆମେ ଅଧିକାର ବୋଲି ଭାବିଲେ ତାହା ପବିତ୍ର ହୁଏ ନାହିଁ, ବରଂ ଏହା ସେତେବେଳେ ପବିତ୍ର ହୁଏ ଯେତେବେଳେ ଆମେ ଏହାକୁ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ରଖୁ, ନିଜର ସ୍ବାର୍ଥ ସାଧନ ପୂର୍ବରୁ ଅନ୍ୟର ସ୍ବାର୍ଥ ପ୍ରତି ଧ୍ୟାନ ଦେଉ।

ପ୍ରାଚୀନ କାଳରେ ଆମ ମୁନି-ଋଷି ପ୍ରାର୍ଥନା କରିଥିଲେ - “ଶଂ ନୋ ଦେବୀରଭିଷ୍ଟୟ ଆପୋ ଭବନ୍ତୁ...” ଅର୍ଥାତ୍‌, ଜଳ ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।

ଏହି ପ୍ରାର୍ଥନାକୁ ଯଦି ଆମେ ସଙ୍କଳ୍ପ ଭାବେ ଗ୍ରହଣ କରିବା, ତେବେ ଆଗାମୀ ଦିନରେ ଜଳ ଯନ୍ତ୍ରଣା ନୁହେଁ, ଜୀବନ ଦାନ ପୂର୍ବକ ଶାନ୍ତି, ମୈତ୍ରୀ ଓ ପ୍ରୀତିର ପ୍ରତୀକ ହୋଇ ପାରିବ।

ଏହା ହିଁ ଆମ ପାଇଁ ଆହ୍ୱାନ, ଏହା ହିଁ ଆଶା।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୯୩୭୦୪୨୫୨୭"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।