Loktantra Bachao: ଜନମତ ନ ମିଳିବାରୁ କଂଗ୍ରେସ ହତାଶ: ନିତିନ ନବୀନ
ରୋହତକ: ନିର୍ବାଚନରେ ଜନମତ ନ ମିଳିବାରୁ କଂଗ୍ରେସ ହତାଶ ହୋଇପଡ଼ିଛି। ଏଥିପାଇଁ ଦଳ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଟାର୍ଗେଟ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ଜାତୀୟ ସଭାପତି ନିତିନ ନବୀନ। ରବିବାର ହରିୟାଣାର ରୋହତକଠାରେ ‘ଲୋକତନ୍ତ୍ର ବଚାଓ, ଅରାଜକତା ହଟାଓ’ ପଦଯାତ୍ରାର ନେତୃତ୍ୱ ନେଇ ସେ କଂଗ୍ରେସ ଓ ବିରୋଧୀ ଇଣ୍ଡିମେଣ୍ଟକୁ ସମାଲୋଚନା କରିଛନ୍ତି। ନିର୍ବାଚନୀ ଭୋଟ୍ ଚୋରି ଅଭିଯୋଗ ଏବଂ ନିର୍ବାଚନ କମିସନଙ୍କ ବିରୋଧରେ ବିରୋଧୀଙ୍କ ଅଭିଯାନର ଜବାବ ଦେବାକୁ ବିଜେପି ଏହି ପଦଯାତ୍ରା ଆୟୋଜନ କରିଛି।
ନବୀନ କହିଛନ୍ତି, ଗଣତନ୍ତ୍ରରେ ଲୋକେ ଭୋଟ୍ ଦେଇ ସରକାର ଗଠନ କରନ୍ତି। କିନ୍ତୁ ଜନମତ ନ ପାଇ କଂଗ୍ରେସ ଏବେ ହତାଶ ହୋଇ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୋଷ ଦେଉଛି। ବିଜେପି କର୍ମୀମାନେ ଲୋକଙ୍କ ସ୍ୱର ହୋଇ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି। ୧୯୮୪ ମସିହାରେ ଶିଖ୍ମାନଙ୍କ ଗଣହତ୍ୟା ପାଇଁ କଂଗ୍ରେସ ଅନୁତାପ କରିବା ସହ କ୍ଷମା ମାଗିବା ଉଚିତ ଥିଲା। କିନ୍ତୁ ଏହା କରିବା ପରିବର୍ତ୍ତେ ଦଳ ଦିଲ୍ଲୀରେ ପ୍ରତିବାଦ କରୁଛି ବୋଲି ନବୀନ କହିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ‘ଏକ ବଡ଼ ଗଛ ପଡ଼ିଲେ ପୃଥିବୀ ଥରେ’ ମନ୍ତବ୍ୟକୁ ଉଲ୍ଲେଖ କରି ସେ କହିଛନ୍ତି, ଏହାଦ୍ବାରା ରାଜୀବ ଗାନ୍ଧୀ ହିଂସାକୁ ସମର୍ଥନ କରିଥିଲେ। ସେ ଏହି ହିଂସାରେ ପ୍ରାଣ ହରାଇଥିବା ଶିଖ୍ମାନଙ୍କ ପାଇଁ ଅନୁତାପ କରିବା ସହ କ୍ଷମା ମାଗିବା ଆବଶ୍ୟକ ଥିଲା।
Iran:ଖେମିନିଙ୍କ ଶେଷକୃତ୍ୟ ପାଇଁ ନିତିନ ନବୀନ, ଖଡ଼ଗେ ନିମନ୍ତ୍ରିତ
ସେହିପରି କଂଗ୍ରେସ ନିଜ ଦଳ ଭିତରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ଉଚିତ ବୋଲି ନବୀନ କହିଛନ୍ତି। ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର କରି ଦଳରେ ଚାଲିଥିବା ପାରିବାରିକ ଆଧିପତ୍ୟର ଅବସାନ ଘଟାଇବାକୁ ସେ କଂଗ୍ରେସ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ, ନିର୍ବାଚନୀ ତାଲିକାରେ ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗ ଉଠାଇ ବିରୋଧୀ ମେଣ୍ଟ ରବିବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ‘ଚଲୋ ଦିଲ୍ଲୀ’ ରାଲି ଆୟୋଜନ କରିଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଏହି ଅଭିଯାନର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ।
ଏହାର ଜବାବରେ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ଲୋକତନ୍ତ୍ର ବଚାଓ, ଅରାଜକତା ହଟାଓ’ ପଦଯାତ୍ରା ଆୟୋଜନ କରାଯାଉଛି। ରୋହତକରେ ଏହି ପଦଯାତ୍ରାରେ ହରିୟାଣା ପାଇଁ ବିଜେପିର ଦାୟିତ୍ୱରେ ଥିବା ସ୍ମୃତି ଇରାନୀ, କେନ୍ଦ୍ରମନ୍ତ୍ରୀ ତଥା ଆର୍ଏଲ୍ଡି ନେତା ଜୟନ୍ତ ଚୌଧୁରୀ, ହରିୟାଣା ବିଜେପି ସଭାପତି ଅର୍ଚ୍ଚନା ଗୁପ୍ତାଙ୍କ ସମେତ ବହୁ ବରିଷ୍ଠ ନେତା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ। ପଦଯାତ୍ରାରେ ଯୋଗଦେଇଥିବା କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ନବୀନ କହିଥିଲେ, ଏହି ଅଭିଯାନର ପ୍ରତ୍ୟେକ ପଦକ୍ଷେପ ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ। ଜନମତକୁ ସମ୍ମାନ ଦେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଦୁଆକୁ ମଜବୁତ କରିବା ବିଜେପିର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।