Lost Both Palms, Never Lost Hope: ହରାଇଥିଲେ ଦୁଇ ହାତ, ହରାଇ ନଥିଲେ ହିମ୍ମତ; ପାଦ ତଳେ ପହଞ୍ଚିଲା ସଫଳତା, ହୋଇଗଲେ ତହସିଲଦାର

Oct 06, 2026 - 14:58
Lost Both Palms, Never Lost Hope: ହରାଇଥିଲେ ଦୁଇ ହାତ, ହରାଇ ନଥିଲେ ହିମ୍ମତ; ପାଦ ତଳେ ପହଞ୍ଚିଲା ସଫଳତା, ହୋଇଗଲେ ତହସିଲଦାର

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ପିଲାଦିନର ଏକ ଭୟଙ୍କର ଦୁର୍ଘଟଣାରେ ଦୁଇ ହାତର ପାପୁଲି ହରାଇଥିଲେ। ହେଲେ ଜୀବନରେ କିଛି କରି ଦେଖାଇବାର ଜିଦ୍‌କୁ କେବେ ହାରିବାକୁ ଦେଇନଥିଲେ। ନିଜର ଅକ୍ଲାନ୍ତ ପରିଶ୍ରମ, ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ବଳରେ ରାଜସ୍ଥାନର ରାଜବୀର ଗୁର୍ଜର RAS-୨୦୨୪ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏବେ ତାଙ୍କୁ ରାଜସ୍ଥାନ ତହସିଲଦାର ସେବା ମିଳିଛି।

ରାଜସ୍ଥାନ ଲୋକସେବା ଆୟୋଗ, ଆଜମେର ପକ୍ଷରୁ ଆୟୋଜିତ RAS ନିଯୁକ୍ତି ପରୀକ୍ଷା ୨୦୨୪ର ସଫଳ ପ୍ରାର୍ଥୀମାନଙ୍କୁ ସେବା ବଣ୍ଟନ ଆରମ୍ଭ ହୋଇଛି। ଏଥିରେ ଦୌସା ଜିଲ୍ଲାର ରାଜବୀର ଗୁର୍ଜରଙ୍କ ସଫଳତା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଦିବ୍ୟାଙ୍ଗ ବର୍ଗରେ ସେ ଚତୁର୍ଥ ରାଙ୍କ ହାସଲ କରିଛନ୍ତି।

୧୦ ବର୍ଷ ବୟସରେ ବଦଳିଯାଇଥିଲା ଜୀବନ

ରାଜବୀର ଦୌସା ଜିଲ୍ଲାର ଛୋଟ ଗାଁ ସଲେମପୁରର ବାସିନ୍ଦା। ତାଙ୍କ ବାପା ବିକ୍ରମ ସିଂହ ପୋଲିସ ବିଭାଗରେ ହେଡ୍ କନଷ୍ଟେବଲ୍ ଭାବେ କାର୍ଯ୍ୟ କରନ୍ତି ଏବଂ ମା’ ଜଣେ ଗୃହିଣୀ। ରାଜବୀରଙ୍କ ଏକ ସାନ ଭାଇ ମଧ୍ୟ ଅଛନ୍ତି।

ରାଜବୀରଙ୍କୁ ପ୍ରାୟ ୧୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଜୀବନରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା। ଘର ସାମ୍ନା ରାସ୍ତାରେ ପଡ଼ିଥିବା ଏକ ଜିନିଷକୁ ସେ ଖେଳନା ଭାବି ଘରକୁ ଆଣିଥିଲେ। ଏହାକୁ ଚଲାଇବାକୁ ଚେଷ୍ଟା କରିବା ସମୟରେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ତାଙ୍କ ଦୁଇ ହାତର ପାପୁଲି ନଷ୍ଟ ହୋଇଯାଇଥିଲା।

ଦୁଇ ହାତ ଯୋଡ଼ି ଧରନ୍ତି କଲମ

ଏତେ ବଡ଼ ଦୁର୍ଘଟଣା ପରେ ମଧ୍ୟ ରାଜବୀର ପାଠପଢ଼ା ଛାଡ଼ି ନଥିଲେ। ପାପୁଲି ନଥିବାରୁ ସେ ଦୁଇ ହାତର ଅବଶିଷ୍ଟ ଅଂଶକୁ ଏକାଠି କରି କଲମ ଧରିବା ଅଭ୍ୟାସ କରିଥିଲେ। ସେହିଭଳି ଲେଖିଲେ, ସ୍କୁଲ୍ ଓ କଲେଜ ପାଠପଢ଼ା ଶେଷ କଲେ ଏବଂ ପରେ RAS ପରୀକ୍ଷା ମଧ୍ୟ ଦେଲେ।

ରାଜବୀର ହିନ୍ଦୀ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। RAS ପରୀକ୍ଷାରେ ଏହା ଥିଲା ତାଙ୍କର ଦ୍ୱିତୀୟ ପ୍ରୟାସ। ପ୍ରଥମ ଥର ସଫଳତା ମିଳିନଥିଲେ ମଧ୍ୟ ସେ ନିରାଶ ହୋଇନଥିଲେ। କୌଣସି କୋଚିଂର ସହାୟତା ନନେଇ ସେଲ୍ଫ ଷ୍ଟଡି ଉପରେ ଭରସା କରିଥିଲେ। ଶେଷରେ ତାଙ୍କ ପରିଶ୍ରମର ଫଳ ମିଳିଛି।

ଅଫିସର ହେବାର ସ୍ୱପ୍ନ ଛାଡ଼ି ନଥିଲେ

ପିଲାଦିନରୁ ଜଣେ ଅଧିକାରୀ ହେବାକୁ ଚାହୁଁଥିଲେ ରାଜବୀର। ତାଙ୍କ ବାପା ଜଣେ RPS ଅଧିକାରୀଙ୍କ ସରକାରୀ ଗାଡ଼ିର ଡ୍ରାଇଭର ଭାବେ କାମ କରୁଥିବାରୁ ସେ ପିଲାବେଳୁ ଅଧିକାରୀମାନଙ୍କୁ ଦେଖୁଥିଲେ। ଏକଦା ପୋଲିସ ଅଧିକାରୀ ହେବା ଥିଲା ତାଙ୍କ ସ୍ୱପ୍ନ। ଦିବ୍ୟାଙ୍ଗତା କାରଣରୁ RPS ସେବାରେ ଯିବା ସମ୍ଭବ ହୋଇନଥିଲେ ମଧ୍ୟ ପ୍ରଶାସନିକ ସେବାରେ ଅଧିକାରୀ ହେବାର ଲକ୍ଷ୍ୟକୁ ସେ ଛାଡ଼ି ନଥିଲେ।

ରାଜବୀରଙ୍କ କହିବା କଥା, ଶାରୀରିକ ଅକ୍ଷମତାକୁ କେବେ ମନ ଉପରେ ହାବି ହେବାକୁ ଦେବା ଉଚିତ୍ ନୁହେଁ। ମନ ଦୃଢ଼ ରହିଲେ ଏବଂ ଇଚ୍ଛାଶକ୍ତି ମଜବୁତ ଥିଲେ ମଣିଷ ଯେକୌଣସି ଲକ୍ଷ୍ୟ ହାସଲ କରିପାରିବ।

ତହସିଲଦାର ଭାବେ ସେବା ପାଇବା ପରେ ଏବେ ରାଜବୀରଙ୍କ ପରିବାରରେ ଖୁସିର ମାହୋଲ। ଆଗାମୀ ଦିନରେ ସେ ସଚ୍ଚୋଟତାର ସହ କାମ କରିବା ସହ ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି। ବିଶେଷକରି ନିଜ ଭଳି ଦିବ୍ୟାଙ୍ଗ ଓ ପରିଶ୍ରମୀ ପିଲାମାନଙ୍କୁ ସମ୍ଭବ ସହାୟତା କରି ସେମାନଙ୍କ ସ୍ୱପ୍ନ ପୂରଣରେ ସାଥୀ ହେବାକୁ ଚାହୁଁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।