Low Pressure Triggers Heavy Rain: ବୈତରଣୀରେ ଷଷ୍ଠଥର ବନ୍ୟା, ଉତ୍ତର ଓଡ଼ିଶାକୁ ବଡ଼ ବର୍ଷା ବିପଦ
ବୈତରଣୀରେ ପୁଣି ବନ୍ୟା ସ୍ଥିତି। ଆଖୁଆପଦା ଆନିକଟଠାରେ ବିପଦସଙ୍କେତ ପାଖାପାଖି ଚାଲିଛି ବନ୍ୟା ଜଳ। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀ ଫୁଲିବା ଆଶଙ୍କା କରାଯାଉଛି। ଏବର୍ଷ ଷଷ୍ଠଥର ପାଇଁ ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖାରେ ବି ପୁଣି ବନ୍ୟା ଆଶାଙ୍କା। ସତର୍କ ସୂଚନା ଟପିଛି ନଦୀର ଜଳସ୍ତର। ଝାଡ଼ଖଣ୍ଡର ଗାଲୁଡ଼ିହ ବ୍ୟାରେଜର ୯ଟି ଗେଟ୍ ଖୋଲିବା ପରେ ସୁବର୍ଣ୍ଣରେଖାରେ ଜଳସ୍ତର ବଢିଛି। ସତର୍କ ସୂଚନା ୯.୪୫ ମିଟର ଥିବା ବେଳେ ୯.୮୩ ମିଟରରେ ଜଳ ପ୍ରବାହିତ ହେଉଛି। ବସ୍ତା ବ୍ଲକ୍ ମଥାନୀଠାରେ ଜଳକା ନଦୀ ବି ବିପଦ ସଙ୍କେତ ପାଖରେ ପହଁଚିଛି। ଲଘୁଚାପ ପ୍ରଭାବରେ ମୟୂରଭଞ୍ଜରେ ଦୁଇଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ଫୁଲିଛି ନଦୀ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କଡ ଲୋ ପ୍ରେସର ସକ୍ରିୟ ରହିଛି। ଏହା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଝାଡଖଣ୍ଡ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହା ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଅନ୍ୟ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।