Mahaprasad: ଆମିଷ ହୋଟେଲ୍ରେ ମହାପ୍ରସାଦ ବିକ୍ରି! ପୁଲିସର ତଦନ୍ତ ଆରମ୍ଭ
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ପବିତ୍ର ମହାପ୍ରସାଦକୁ ନେଇ ସଙ୍ଗିନ ଅଭିଯୋଗ ସାମନାକୁ ଆସିଛି। ଆମିଷ ହୋଟେଲରେ ମହାପ୍ରସାଦ ବିକ୍ରି କରାଯାଉଥିବା ଅଭିଯୋଗରେ ସହରରେ ତୀବ୍ର ଉତ୍ତେଜନା ଓ ଅସନ୍ତୋଷ ଦେଖାଦେଇଛି। ଏଭଳି ଘଟଣା ପୁରୀ ରେଡ୍କ୍ରସ୍ ରୋଡ୍ରେ ଥିବା ଜଣାଶୁଣା ହୋଟେଲ ‘ସ୍ୱାଗତ’ରେ ଘଟିଛି।
Nobel Prize! ନୋବେଲ୍ ପୁରସ୍କାର ଦୌଡ଼ରେ ‘ଆଇଏସ୍ଏସ୍’!
ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ଦୁଇଜଣ ସ୍ଥାନୀୟ ଯୁବକ ହୋଟେଲ ‘ସ୍ୱାଗତ’କୁ ମିଲ୍ ପାର୍ସଲ ନେବାକୁ ଆସିଥିଲେ। ସେମାନେ ପାର୍ସଲ ପ୍ରସ୍ତୁତ ହେଉଥିବା ବେଳେ ହୋଟେଲ ଭିତରେ ଆମିଷ ଭାତ ସହିତ ମହାପ୍ରସାଦ ଅନ୍ନକୁ ମଧ୍ୟ ପାର୍ସଲ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଭିଯୋଗ ଅନୁଯାୟୀ, କେବଳ ଭାତ ବା ଅନ୍ନ ନୁହେଁ, ଡାଲି, ବେସର, ମହୁର, ଖଟା ଭଳି ମହାପ୍ରସାଦ ତରକାରୀକୁ ମଧ୍ୟ ଆମିଷ ତରକାରୀ ସହ ଗ୍ରାହକଙ୍କୁ ଦିଆଯାଉଛି। ଏହା ସହିତ ହୋଟେଲ ପଛପଟେ ଓ ରୋଷେଇ ଘର ଭିତରେ ବହୁ ପରିମାଣରେ ମହାପ୍ରସାଦ ଅବଢ଼ା କୁଡୁଆ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଦୁଇ ଯୁବକ ଏ ନେଇ ପ୍ରଶ୍ନ ଉଠାଇବା ସହ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ବ୍ୟାପିବା ପରେ ସେଠାରେ ଭିଡ଼ ଜମିଥିଲା। ଘଟଣା ସମ୍ପର୍କରେ ହୋଟେଲ ସ୍ୱାଗତର ମାଲିକ ମନୋଜ କୁମାର ଦାସ କହିଛନ୍ତି, ‘ମୁଁ ମହାପ୍ରସାଦକୁ ଅପମାନ କରିନାହିଁ। ଘରକୁ ନେବା ପାଇଁ ଆଣିଥିବା ମହାପ୍ରସାଦକୁ ଦୋକାନରେ ରଖିଥିଲି। ଜଣେ ପରିଚିତ ବ୍ୟକ୍ତି ଆସି ମହାପ୍ରସାଦ ଦେଖି ଟିକେ ମାଗିବାରୁ ମୁଁ ପଲିଥିନ୍ରେ କାଢି ଦେଇଥିଲି। କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ମୋତେ ବଦନାମ କରୁଛନ୍ତି।’
Liver Transplantation: ଯକୃତ ପ୍ରତିରୋପଣରେ ଷ୍ଟାର୍ ହସ୍ପିଟାଲ୍ର ସଫଳତା
ଘଟଣା ସମ୍ପର୍କରେ ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହୋଟେଲର ଯାଞ୍ଚ କରିଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୋଗକୁ ଗୁରୁତ୍ବର ସହ ନିଆଯାଇଛି। ହୋଟେଲରୁ ନମୁନା ସଂଗ୍ରହ କରାଯାଉଛି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନିଆଯାଉଛି। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିରର ମହାପ୍ରସାଦ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଅତ୍ୟନ୍ତ ପବିତ୍ର। ତାକୁ ଆମିଷ ଖାଦ୍ୟ ସହ ମିଶାଇ ବିକ୍ରି କରିବା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି ବୋଲି ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ହୋଟେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।