Mahendratanaya River: ବର୍ଷା ଋତୁରେ ବି ଶୁଖିଲା ମହେନ୍ଦ୍ରତନୟା, ଜଳଧାରା ସଙ୍କୁଚିବାକୁ ନେଇ ଉଦ୍‌ବେଗ

Oct 17, 2026 - 11:35
Mahendratanaya River: ବର୍ଷା ଋତୁରେ ବି ଶୁଖିଲା ମହେନ୍ଦ୍ରତନୟା, ଜଳଧାରା ସଙ୍କୁଚିବାକୁ ନେଇ ଉଦ୍‌ବେଗ

"ପାରଳାଖେମୁଣ୍ଡି: ବର୍ଷା ଋତୁରେ ବି ନଦୀରେ ନାହିଁ ସ୍ୱାଭାବିକ ଜଳଧାରା।

କେଉଁଠି ପାଣି ସ୍ଥିର ହୋଇ ରହିଛି ତ ଆଉ କେଉଁଠି ଶୁଖିଲା ପଡ଼ିଛି ନଦୀଶଯ୍ୟା।

ନଦୀଗର୍ଭରେ ଘାସଲତା ଓ ଛୋଟ ଗଛ ଉଠିବା ଭଳି ସ୍ଥିତି ମଧ୍ୟ ଦେଖାଗଲାଣି।

ଗଜପତି ଜିଲ୍ଲାର ଜୀବନଧାରା ମହେନ୍ଦ୍ରତନୟା ନଦୀର ଏଭଳି ସ୍ଥିତିକୁ ନେଇ ଉଦ୍‌ବେଗ ବଢ଼ିଛି।

ନଦୀର ଜଳପ୍ରବାହ ହ୍ରାସ ପଛରେ ପ୍ରକୃତ କାରଣ କ"ଣ, ତାହା ସ୍ପଷ୍ଟ ହୋଇନଥିବା ବେଳେ ମହେନ୍ଦ୍ରଗିରିର ପରିବେଶ, ଜଙ୍ଗଲ ଓ ପ୍ରାକୃତିକ ଜଳସ୍ରୋତ ଉପରେ ବଢ଼ୁଥିବା ଚାପର ପ୍ରଭାବକୁ ନେଇ ପ୍ରଶ୍ନ ଉଠିଛି।

ଏହାର ପ୍ରଭାବ ନଦୀର ତଳମୁଣ୍ଡରେ ଜଳ ଉପଲବ୍ଧତା ଓ ଜନଜୀବନ ଉପରେ ପଡ଼ିବା ଆଶଙ୍କା ଥିବାରୁ ସରକାରୀ ସ୍ତରରେ ବୈଜ୍ଞାନିକ ଅନୁଧ୍ୟାନ ସହ ପରିବେଶଗତ ପ୍ରଭାବର ଯାଞ୍ଚ ଦାବି ହୋଇଛି।

ମହେନ୍ଦ୍ରତନୟା ନଦୀ ଗଜପତି ଜିଲ୍ଲାର ଅନେକ ଅଞ୍ଚଳର କୃଷି, ଜଳଯୋଗାଣ ଓ ଜନଜୀବନ ସହ ଜଡ଼ିତ।

ଏହାର ଜଳଧାରା ଉପରେ ନିର୍ଭର କରୁଥିବା ତଳମୁଣ୍ଡ ଅଞ୍ଚଳ ପାଇଁ ନଦୀରେ ଜଳପ୍ରବାହ ହ୍ରାସ ଚିନ୍ତାର ବିଷୟ ପାଲଟିଛି।

ଗତ କିଛି ବର୍ଷ ଧରି ଏଭଳି ସ୍ଥିତି ଦେଖାଦେଉଥିବା କୁହାଯାଉଛି।

ତେବେ ବର୍ଷାର ପରିମାଣ, ଜଳଗ୍ରହଣ ଅଞ୍ଚଳର ସ୍ଥିତି, ଭୂତଳ ଜଳସ୍ତର ଏବଂ ଜଳସ୍ରୋତର ପରିବର୍ତ୍ତନ ସମ୍ପର୍କରେ ଠୋସ୍‌ ତଥ୍ୟ ନଥିବାରୁ ଏହାର କାରଣ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ ହୋଇପାରିନାହିଁ।

୨୦୧୮ ମସିହାରେ ତିତିଲି ମହାବାତ୍ୟାର ତାଣ୍ଡବ ପରେ ମହେନ୍ଦ୍ରଗିରି ଅଞ୍ଚଳର ପ୍ରାକୃତିକ ପରିବେଶ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା।

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଧସିବା ଯୋଗୁଁ ଭୂପୃଷ୍ଠରେ ପରିବର୍ତ୍ତନ ଘଟିଥିଲା।

ଏହାପରେ କେତେକ ଝରଣାର ଜଳପ୍ରବାହ ଓ ଗତିପଥ ପ୍ରଭାବିତ ହୋଇଥିବା ଏବଂ ପାହାଡ଼ ତଳି ଅଞ୍ଚଳରେ ଜଳସଙ୍କଟ ଦେଖାଦେଇଥିବା କୁହାଯାଉଛି।

ତେବେ ଏହି ଘଟଣାଗୁଡ଼ିକ ଓ ବର୍ତ୍ତମାନର ନଦୀଜଳ ପ୍ରବାହ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି କି ନାହିଁ, ତାହା ବୈଜ୍ଞାନିକ ଭାବେ ଯାଞ୍ଚ କରିବା ଆବଶ୍ୟକ।Advertisment ମହେନ୍ଦ୍ରତନୟା ଜୀବନ ଓ ଜୀବିକାର ଆଧାର ମହେନ୍ଦ୍ରଗିରିର ଶିଖର ଓ ମହେନ୍ଦ୍ରତନୟାର ଉତ୍ପତ୍ତିସ୍ଥଳ ନିକଟରେ ଖନନ ଏବଂ ସିମେଣ୍ଟ-କଂକ୍ରିଟ୍‌ ନିର୍ମାଣ ଭଳି କାର୍ଯ୍ୟ ପ୍ରାକୃତିକ ପରିବେଶ ଓ ଜଳସ୍ରୋତକୁ ପ୍ରଭାବିତ କରୁଛି କି ନାହିଁ, ତାହା ମଧ୍ୟ ତଦନ୍ତର ପରିସରଭୁକ୍ତ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ପାହାଡ଼ର ଜଙ୍ଗଲ, ମୃତ୍ତିକା ଓ ପ୍ରାକୃତିକ ଭୂପୃଷ୍ଠ ବର୍ଷାଜଳକୁ ଧରି ରଖିବା ସହ ଧୀରେ ଧୀରେ ଜଳସ୍ରୋତକୁ ଯୋଗାଇଥାଏ।

ଏହି ପ୍ରାକୃତିକ ବ୍ୟବସ୍ଥାରେ ବ୍ୟାଘାତ ଘଟିଲେ ଝରଣାର ଜଳପ୍ରବାହ ଓ ଭୂତଳ ଜଳଧାରଣ କ୍ଷମତା ପ୍ରଭାବିତ ହୋଇପାରେ।

ତେଣୁ ପରିବେଶଗତ ପରିବର୍ତ୍ତନକୁ ନେଇ ଆଶଙ୍କା ପ୍ରକାଶ ପାଉଥିଲେ ମଧ୍ୟ ତଥ୍ୟଭିତ୍ତିକ ଅନୁଧ୍ୟାନ ବିନା କୌଣସି ନିର୍ଦ୍ଦିଷ୍ଟ କାରଣକୁ ଦାୟୀ କରିବା ଉଚିତ ହେବ ନାହିଁ।

ମହେନ୍ଦ୍ରଗିରିର ପରିବେଶ ସୁରକ୍ଷା ଓ ମହେନ୍ଦ୍ରତନୟାର ପ୍ରାକୃତିକ ଜଳପ୍ରବାହ ବଜାୟ ରଖିବା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।

ନଦୀର ଉତ୍ପତ୍ତିସ୍ଥଳ, ପାହାଡ଼ିଆ ଝରଣା ଓ ଜଳଗ୍ରହଣ ଅଞ୍ଚଳର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସରକାରୀ ସ୍ତରରେ ବିସ୍ତୃତ ଅନୁଧ୍ୟାନ କରିବାକୁ ସମାଜସେବୀ ସଞ୍ଜୟ ରାଉତ ଦାବି କରିଛନ୍ତି।

ଏଥିସହ ମହେନ୍ଦ୍ରଗିରିରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟର ପରିବେଶଗତ ପ୍ରଭାବ ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ନିୟନ୍ତ୍ରଣମୂଳକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।

ନଦୀର ଜଳପ୍ରବାହ, ବର୍ଷାର ପରିମାଣ, ଜଙ୍ଗଲ ଆବରଣ, ଭୂତଳ ଜଳସ୍ତର ଓ ଝରଣାଗୁଡ଼ିକର ସ୍ଥିତିକୁ ନେଇ ଦୀର୍ଘମିଆଦୀ ତଥ୍ୟ ସଂଗ୍ରହ କରାଗଲେ ଜଳଧାରା ହ୍ରାସର ପ୍ରକୃତ କାରଣ ଚିହ୍ନଟ କରିବା ସହଜ ହେବ।

ମହେନ୍ଦ୍ରତନୟା କେବଳ ଏକ ନଦୀ ନୁହେଁ, ଏହା ଗଜପତିର ଅନେକ ଅଞ୍ଚଳର ଜୀବନ ଓ ଜୀବିକାର ଆଧାର।

ତେଣୁ ବର୍ଷା ଋତୁରେ ମଧ୍ୟ ନଦୀର ଜଳଧାରା ସଙ୍କୁଚିତ ହେବାର କାରଣ ଖୋଜିବା ସହ ଏହାର ତଳମୁଣ୍ଡରେ ଜଳ ଉପଲବ୍ଧତା ଉପରେ ପଡ଼ିପାରୁଥିବା ପ୍ରଭାବର ଆକଳନ ଜରୁରୀ।

ଅନୁଧ୍ୟାନର ଫଳାଫଳ ଆଧାରରେ ନଦୀର ପ୍ରାକୃତିକ ଜଳଧାରା ଓ ମହେନ୍ଦ୍ରଗିରିର ପରିବେଶ ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ ନିଆଯିବା ଆବଶ୍ୟକ।

Autorickshaw Overturned: ଦୁର୍ଗା ଘାଟିରେ ଅଟୋ ଓଲଟି ଜଣେ ମୃତ, ୫ ଆହତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।