Man Arrested After Father Files FIR: ପୁଅର କାଣ୍ଡରେ ହତବାକ୍ ବାପା, ନିଜେ କଲେ ଥାନାରେ ଅଭିଯୋଗ

Aug 26, 2026 - 16:11
Man Arrested After Father Files FIR: ପୁଅର କାଣ୍ଡରେ ହତବାକ୍ ବାପା, ନିଜେ କଲେ ଥାନାରେ ଅଭିଯୋଗ

ଆସାମର ଯୋରହାଟରୁ ଆସିଛି ଏକ ଚାଞ୍ଚଲ୍ୟକର ଚୋରି ମାମଲା। ନିଜ ଘରୁ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଓ ସୁନା ଅଳଙ୍କାର ଚୋରି କରିଥିବା ଅଭିଯୋଗରେ ଯଶ ଧନୁକା ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା, ଅଭିଯୁକ୍ତଙ୍କ ବାପା ନିଜ ପୁଅ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେବା ପରେ ଘଟଣାଟି ସାମ୍ନାକୁ ଆସିଛି।

ପୋଲିସ ସୂଚନା ଅନୁସାରେ, ଯଶଙ୍କ ବାପା-ମାଆ କିଛି ଦିନ ପାଇଁ ଘରେ ନଥିବା ସମୟରେ ସେ ତାଙ୍କ ବାପା-ମାଆଙ୍କ ରୁମ୍‌ରେ ଥିବା ଲକର ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିଲେ। ଘରର ଲକରରେ ଟଙ୍କା ଓ ଅଳଙ୍କାର ରହିଥିବା ସମ୍ପର୍କରେ ସେ ଅବଗତ ଥିଲେ ବୋଲି ତଦନ୍ତକାରୀମାନେ କହିଛନ୍ତି।

ଅଭିଯୋଗ ଅନୁସାରେ, ଚୋରି କରିଥିବା କିଛି ସୁନା ଅଳଙ୍କାରକୁ ଯଶ ବିକ୍ରି କରିଦେଇଥିଲେ। ସେଥିରୁ ମିଳିଥିବା ଟଙ୍କାରେ ପ୍ରେମିକାଙ୍କ ପାଇଁ ଦାମୀ ଉପହାର କିଣିବା ସହ ଦୁହେଁ ମିଶି ବୁଲାବୁଲି ଓ ପାର୍ଟିରେ ଟଙ୍କା ଖର୍ଚ୍ଚ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏପରିକି ପ୍ରେମିକାଙ୍କୁ ପ୍ରାୟ ୧.୫ ଲକ୍ଷ ଟଙ୍କାର ଏକ iPhone ଉପହାର ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ତଦନ୍ତ ସମୟରେ ଯଶଙ୍କ ପ୍ରେମିକା ପୁବାଲି ଦତ୍ତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଯଶଙ୍କ ବାପା-ମାଆ ଘରେ ନଥିବା ସମୟରେ ପୁବାଲି ତାଙ୍କ ଘରକୁ ଆସିଥିବା ପୋଲିସ ଜାଣିବାକୁ ପାଇଛି। ଚୋରି ଟଙ୍କା ବା ସୁନାର ଉତ୍ସ ସମ୍ପର୍କରେ ସେ ଜାଣିଥିଲେ କି ନାହିଁ, ତାହା ଜାଣିବା ପାଇଁ ଦୁହିଁଙ୍କ ମଧ୍ୟରେ ହୋଇଥିବା ମେସେଜ୍‌ ମଧ୍ୟ ଯାଞ୍ଚ କରୁଛି ପୋଲିସ।

ଏହି ମାମଲାରେ ଆଉ ଦୁଇ ଜଣ ସାମ୍ବାଦିକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ଜିତେନ୍ଦ୍ର ସୋମାନି ଓ ରୋହିତ ପ୍ରସାଦ ଚୋରି ହୋଇଥିବା କିଛି ସୁନା ବିକ୍ରି କରିବାରେ ଯଶଙ୍କୁ ସହାୟତା କରିଥିବା ଅଭିଯୋଗ ରହିଛି। ଗୋଲାଘାଟର ଏକ ଦୋକାନରେ କିଛି ଅଳଙ୍କାର ବିକ୍ରି ହୋଇଥିବା ନେଇ ମଧ୍ୟ ତଦନ୍ତ ଚାଲିଛି।

ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ନ୍ୟାୟ ସଂହିତା ବା BNSର ସମ୍ପୃକ୍ତ ଧାରାରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଏବେ ଚୋରି ହୋଇଥିବା ସୁନା ଓ ଟଙ୍କା ଉଦ୍ଧାର କରିବା ସହ କେଉଁଠି କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏହି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏପଟେ ନିଜ ପୁଅ ବିରୋଧରେ ବାପା ଏଫ୍‌ଆଇଆର୍‌ କରିବା ଘଟଣା ପରିବାରକୁ ଗଭୀର ମାନସିକ ଆଘାତ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।