Marital Dispute Turns Tragic: ମୃତ୍ୟୁ ପୂର୍ବରୁ ୧୩ ମିନିଟ୍‌ର ଭିଡିଓ, ଘରୋଇ ହିଂସା ଆଇନକୁ ନେଇ ଉଠାଇଲେ ପ୍ରଶ୍ନ

Oct 20, 2026 - 22:37
Marital Dispute Turns Tragic: ମୃତ୍ୟୁ ପୂର୍ବରୁ ୧୩ ମିନିଟ୍‌ର ଭିଡିଓ, ଘରୋଇ ହିଂସା ଆଇନକୁ ନେଇ ଉଠାଇଲେ ପ୍ରଶ୍ନ

ବିବାହର ମାତ୍ର ୮ ମାସ ପରେ ଜୀବନରେ ଘୋଟିଗଲା ଅନ୍ଧାର! ପାରିବାରିକ ବିବାଦ, ଆଇନଗତ ଲଢ଼େଇ ଆଉ ମାନସିକ ଯନ୍ତ୍ରଣାର ଅଭିଯୋଗ। ଶେଷରେ ୧୭୦୦ ଫୁଟ୍ ଉଚ୍ଚ ପାହାଡ଼ ଉପରୁ ଡେଇଁ ଜୀବନ ହାରିଲେ ୨୪ ବର୍ଷୀୟ ଯୁବକ। ମୃତ୍ୟୁ ପୂର୍ବରୁ ପ୍ରାୟ ୧୩ ମିନିଟ୍‌ର ଭିଡିଓ ରେକର୍ଡ କରି ଘରୋଇ ହିଂସା ଆଇନ ଏବଂ ନ୍ୟାୟ ବ୍ୟବସ୍ଥାକୁ ନେଇ ଉଠାଇଥିଲେ ପ୍ରଶ୍ନ। ଗୁଜରାଟର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ଯୁବକଙ୍କ ନାଁ ବିଶ୍ୱରାଜସିଂହ ମୟୂରସିଂହ ଗୋହିଲ। ବୟସ ମାତ୍ର ୨୪ ବର୍ଷ। ଗୁଜରାଟର ଭାବନଗରରେ ଡାକ ବିଭାଗରେ କାମ କରୁଥିଲେ। ହେଲେ ବୈବାହିକ ଜୀବନରେ ବିବାଦ ତାଙ୍କୁ ଗଭୀର ମାନସିକ ଚାପରେ ପକାଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ହରିଶ୍ଚନ୍ଦ୍ରଗଡ଼ସ୍ଥିତ କୋଙ୍କଣକଡ଼ା ପାହାଡ଼ରୁ ପ୍ରାୟ ୧୭୦୦ ଫୁଟ୍ ତଳକୁ ଡେଇଁ ସେ ଜୀବନ ହାରିଥିବା ରିପୋର୍ଟ ହୋଇଛି।

ମୃତ୍ୟୁ ପୂର୍ବରୁ ସେ ଏକ ପ୍ରାୟ ୧୩ ମିନିଟ୍‌ର ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ପତ୍ନୀଙ୍କ ପକ୍ଷରୁ ଦାଖଲ ଘରୋଇ ହିଂସା ଅଭିଯୋଗ ଏବଂ ତାହା ପରେ ନିଜ ପରିବାର ହଇରାଣ ହେଉଥିବା ନେଇ ସେ ଅଭିଯୋଗ କରିଥିଲେ।

ଭିଡିଓରେ ବିଶ୍ୱରାଜସିଂହ ବୈବାହିକ ସମ୍ପର୍କରେ ମତଭେଦ ଓ ଚାଲିଥିବା ଆଇନଗତ ପ୍ରକ୍ରିୟାକୁ ନେଇ ନିଜ ଯନ୍ତ୍ରଣା ବ୍ୟକ୍ତ କରିଥିଲେ। ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଛୋଟ ଛୋଟ ଘରୋଇ କଳହକୁ ମାରପିଟ୍‌ର ରୂପ ଦିଆଯାଉଥିବା ତାଙ୍କର ଅଭିଯୋଗ ଥିଲା।

ଏଥିସହ ଘରୋଇ ହିଂସା ଆଇନ ଏବଂ ଭାରତୀୟ ଦଣ୍ଡବିଧିର 'ଧାରା ୪୯୮ଏ'କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଏହି ଧାରାରେ ହେଉଥିବା ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ସେ ନିଜ ଭିଡିଓରେ କହିଥିଲେ। ତେବେ ଭିଡିଓରେ ଥିବା ଅଭିଯୋଗଗୁଡ଼ିକର ସତ୍ୟତା ଏଯାଏଁ ପ୍ରମାଣିତ ହୋଇନାହିଁ।

ସୂଚନା ଅନୁସାରେ, ଚଳିତ ବର୍ଷ ଫେବ୍ରୁଆରୀ ୮ ତାରିଖରେ ବିଶ୍ୱରାଜସିଂହଙ୍କ ବିବାହ ହୋଇଥିଲା। ମାତ୍ର କିଛି ମାସ ପରେ ସମ୍ପର୍କରେ ଦେଖାଦେଇଥିଲା ବିବାଦ। ସେପ୍ଟେମ୍ବର ୧୨ରେ ତାଙ୍କ ପତ୍ନୀ ଘରୋଇ ହିଂସା ନେଇ ପୁଲିସରେ ଅଭିଯୋଗ କରିଥିଲେ।

ଅକ୍ଟୋବର ୯ରେ କୋର୍ଟରେ ହାଜର ହେବା ପରେ ବିଶ୍ୱରାଜସିଂହ ଘର ଛାଡ଼ିଥିଲେ। ଏହାପରେ ମହାରାଷ୍ଟ୍ରର କୋଙ୍କଣକଡ଼ାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଭିଡିଓରେ ଉଠାଯାଇଥିବା ଅଭିଯୋଗଗୁଡ଼ିକର ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।